ସାହା ହୋଇଥା’ଲୋ ମାଆ: ମଞ୍ଚେଶ୍ବର ଗାଁକୁ ସାହା ମା’ ଜାଗୁଳେଇ
ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ ହୁଅନ୍ତି। ଲୋକେ ବିଶ୍ବାସ କରନ୍ତି, ଗ୍ରାମଦେବତୀ ଗ୍ରାମବାସୀଙ୍କୁ ରୋଗବୈରାଗ୍ୟଠୁ ଆରମ୍ଭକରି ସବୁ ପ୍ରାକୃତିକ ବିପତ୍ତିଠାରୁ ରକ୍ଷା କରୁଛନ୍ତି। ଆସୁଥିବା ଅଦୃଶ୍ୟ ବିପତ୍ତି ଓ ଶତ୍ରୁମାନଙ୍କ ସହିତ ଲଢ଼େଇକରି ସେ ନିଜ ଗାଁକୁ ଘଣ୍ଟ ଘୋଡ଼େଇ ରଖନ୍ତି। ସବୁଠୁ ଉଲ୍ଲେଖନୀୟ, ଅଧିକାଂଶ ଗ୍ରାମଦେବତୀଙ୍କର ନାଁ ନିଚ୍ଛକ ଓଡ଼ିଆ ନାଁ- ଯେମିତିକି ସେ କାହିଁ କେତେ ପିଢ଼ି ଆଗରେ ପରିବାରର ଦାୟିତ୍ବ ନେଇଥିବା ଜଣେ ସାହସିନୀ, ଶକ୍ତିଶାଳୀ ଓଡ଼ିଆ ମା’! ଗ୍ରାମଦେବତୀଙ୍କ ପୂଜକ ବ୍ରାହ୍ମଣ ହେବା ନିହାତି ଆବଶ୍ୟକ ନୁହେଁ। ବିଧିବଦ୍ଧ ଗଢ଼ା ହୋଇଥିବା ଭାବେ ତାଙ୍କର ମୂର୍ତ୍ତି ବଦଳରେ କେବଳ କାଠ ବା ପଥର ରୂପରେ ସେ ବିଜେ କରିଥାଇ ପାରନ୍ତି। ପୁଣି ଗ୍ରାମବାସୀ ଖାଉଥିବା ଖାଦ୍ୟକୁ ସେ ଆନନ୍ଦର ସହ ଭୋଗଭାବେ ଗ୍ରହଣ କରନ୍ତି। ଏବେ ଏକ ଆଧୁନିକ ସହରେ ପରିଣତ ହୋଇଥିବା ଭୁବନେଶ୍ବର ଏକଦା କିଛି ଗାଁର ସମାହାର ଥିଲା। ଆଜିର ଚଉଡ଼ା ରାସ୍ତା, ଫ୍ଲାଏଓଭର୍, ମଲ୍ ଓ କୋଠା ଆଦି ଭିତରେ ସେ ଗାଁଗୁଡ଼ିକ ହଜି ଯାଇଛି। କିନ୍ତୁ ଆଜି ବି ମହାନଗରର ବିଭିନ୍ନ ସ୍ଥାନରେ ଗ୍ରାମଦେବତୀମାନଙ୍କ ଆସ୍ଥାନ ରହିଛି। ହଜିଯାଇଥିବା ସେ ଅଞ୍ଚଳର ଲୋକେ ଆଜି ବି ଭଲମନ୍ଦରେ ତାଙ୍କୁ ସୁମରଣା କରି ମୁଣ୍ଡିଆ ମାରନ୍ତି। ରାଜଧାନୀର ଗ୍ରାମଦେବତୀମାନଙ୍କୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା
ରିପୋର୍ଟ: ହରପ୍ରିୟା ପୃଷ୍ଟି, ଫଟୋ: ନରସିଂହ ପରିଡ଼ା
ଖଣ୍ଡଗିରି: ମଞ୍ଚେଶ୍ବର ଗାଁରେ କାହିଁ କେଉଁ କାଳରୁ ଗ୍ରାମଦେବତୀ ରୂପେ ମା’ ଜାଗୁଳେଇ ପୂଜା ପାଉଛନ୍ତି। ମା’ଙ୍କ ସୁସଜ୍ଜିତ କଳାମୁଗୁନି ପଥର ଏଠାରେ ପୂଜା କରାଯାଉଛି। ୬୦ ଦଶକ ପୂର୍ବରୁ ହାତଗଣତି କିଛି ପରିବାର ଓ ସେମାନଙ୍କ ଚାଳଛପର ଘରକୁ ଛାଡ଼ି ଦେଲେ ମଞ୍ଚେଶ୍ବରର ଅଧିକାଂଶ ଅଞ୍ଚଳ ଆମ୍ବତୋଟା ଥିଲା। ଗୋଟିଏ ପଟେ କୁଆଖାଇ ନଦୀ ଓ ଅନ୍ୟପଟେ କେନାଲ ବନ୍ଧ ଘେରାହୋଇ ଥିଲା ଗାଁ। ସେତେବେଳେ ଗଛମୂଳେ ପୂଜା ପାଉଥିଲେ ମା’ ଜାଗୁଳେଇ ଠାକୁରାଣୀ। କ୍ରମେ ସହରର ଚାଳଘର ସବୁ କୋଠାରେ ପରିଣତ ହେଲା। ତେଣୁ ରକ୍ଷାକାରିଣୀଙ୍କୁ ଗଛମୂଳରେ ନରଖି ମା’ଙ୍କ ପାଇଁ ପ୍ରଥମେ ପଥର କାନ୍ଥ ତିଆରି ହୋଇଥିଲା। ପରେ ପ୍ରାୟ ୬ ବର୍ଷ ତଳେ ଗ୍ରାମବାସୀ ମିଶି ଏହାକୁ ଏକ ଛୋଟ ମନ୍ଦିରରେ ପରିଣତ କରିଛନ୍ତି। ଏବେ ମଞ୍ଚେଶ୍ବର ମୂଳ ବାସିନ୍ଦାଙ୍କ ସହ ବାହାରୁ ଆସି ସେଠାରେ ଘର କରିଥିବା ଲୋକେ ମଧ୍ୟ ମା’ଙ୍କୁ ଗ୍ରାମଦେବତୀ ରୂପେ ପୂଜା କରୁଛନ୍ତି। ଗଉଡ଼ସାହି, ବ୍ରାହ୍ମଣସାହି, ବେଉରାସାହି, ମହାରଣାସାହି ସହିତ ଗ୍ରାମର ଅନ୍ୟ ସମସ୍ତ ଲୋକେ ମଧ୍ୟ ପୂଜା କରିବାକୁ ଆସୁଛନ୍ତି। ବିବାହ ହେଲେ ପ୍ରଥମ ନିମନ୍ତ୍ରଣ ମା’ ଜାଗୁଳେଇଙ୍କୁ ଦିଆଯାଏ। ବିବାହ ବେଳେ ଆଜି ବି ଦିଅଁ ମଙ୍ଗୁଳା ପାଇଁ ମା’ଙ୍କ ପୀଠକୁ ଯାଆନ୍ତି ଗ୍ରାମବାସୀ। ସେହିପରି ଘର ପ୍ରତିଷ୍ଠା, ଚତୁର୍ଥ/ଅଷ୍ଟମ ପ୍ରହରୀ ସହ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହେଲେ, ଆଗେ ମା’ଙ୍କ ପାଖରେ ପୂଜା କରାଯାଏ।
ଜାଗୁଳେଇଙ୍କ ପାଖରେ ଦଶହରା, ପୂର୍ଣ୍ଣିମା ଓ ଅମାବାସ୍ୟା, ଦୋଳପର୍ବରେ ବିଶେଷ ପୂଜା ହୋଇଥାଏ। ପ୍ରତିଦିନ ସକାଳ ୬ଟାରେ ମନ୍ଦିର ଖୋଲାଯାଇ ପହିଲି ନୀତି, ସ୍ନାନ, ଆଳତି ସହ ଶୁଖିଲା ଭୋଗ କରାଯାଏ। ମାନସିକ ଅନୁସାରେ ପ୍ରତିଦିନ ଅନେକ ପରିବାର ମା’ଙ୍କ ପାଖରେ ପୂଜାର୍ଚ୍ଚନା କରିବାକୁ ଆସିଥାନ୍ତି। ସଂକ୍ରାନ୍ତି ଓ ଅମାବାସ୍ୟାରେ ଏଠାରେ ଖେଚୁଡ଼ି ଭୋଗ କରାଯାଏ। ମଧ୍ୟାହ୍ନରେ କୌଣସି ଭୋଗ ଲଗାଯାଏ ନାହିଁ। ପୁଣି ସନ୍ଧ୍ୟାରେ ଆଳତି କରାଯାଇ ପହୁଡ଼ ପଡ଼େ। କୌଣସି ବିପଦ ପଡ଼ିଲେ ମା’ଙ୍କ ପାଖରେ ଅଧିଆ ପଡ଼ନ୍ତି ଶ୍ରଦ୍ଧାଳୁ। ବିପଦରୁ ମୁକ୍ତି ପାଇବା ପରେ କିମ୍ବା କୌଣସି କାର୍ଯ୍ୟ ସିଦ୍ଧିହେବା ପରେ ମା’ଙ୍କ ପାଖରେ ସେମାନେ ମାଜଣା କରନ୍ତି। ମନ୍ଦିର ହେବା ଦିନଠୁ ମନ୍ଦିର ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହା ସହ କାର୍ତ୍ତିକ ପୂର୍ଣ୍ଣମୀରେ ବଡ଼ ପୂଜା ହୁଏ। ପିଢ଼ି ପିଢ଼ି ଧରି ମା’ଙ୍କୁ ବାରିକ ପରିବାର ପୂଜା କରି ଆସୁଥିଲେ। ମନ୍ଦିର ପ୍ରତିଷ୍ଠା ପରେ ଏବେ ମା’ଙ୍କୁ ଅଭିମନ୍ୟୁ ପାଢ଼ୀ ପୂଜା କରୁଛନ୍ତି। ଗ୍ରାମ କମିଟିର ସଭ୍ୟ ନବକିଶୋର ନାୟକଙ୍କ କହିବା କଥା, ମା’ଙ୍କ ମନ୍ଦିର ହେବା ଦିନରୁ ଗ୍ରାମକୁ କୌଣସି ବିପଦ ଆସିନାହିଁ।