ଅବସର ପରେ ଚାକିରି ଦେବେ ରାଜ୍ୟ ସରକାର, ଜାଣନ୍ତୁ ,କେଉଁମାନେ ପାଇବାକୁ ଯୋଗ୍ୟ
ଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସାମୟିକ ନିୟୋଜନ ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଦେଖିବା କେଉଁମାନେ ସାମୟିକ ନିୟୋଜନ ପାଇଁ ଯୋଗ୍ୟ ବିବେଚିତ ହେବେ । ଯେଉଁ ଅଧିକାରୀମାନେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି ଏବଂ ୬୫ ବର୍ଷରୁ କମ୍ ବୟସ ହେବା ସହ ଭଲ ସେବା ରେକର୍ଡ ରହିଛି ଏବଂ ଶାରୀରିକ ଭାବେ ଫିଟ୍ ଅଛନ୍ତି ସେମାନେ ପୁନଃ ନିଯୁକ୍ତି ପାଇଁ ବିବେଚିତ ହେବେ ।
ଯେଉଁମାନଙ୍କ ବିରୋଧରେ ବିଭାଗୀୟ ପ୍ରକ୍ରିୟା କିମ୍ବା ଅପରାଧିକ ମାମଲା ବିଚାରାଧୀନ ଅଛି, କିମ୍ବା ଅବସର ପୂର୍ବ ୫ ବର୍ଷ ମଧ୍ୟରେ ଅସଦାଚରଣ ପାଇଁ ଦଣ୍ଡିତ ହୋଇଛନ୍ତି , ଅବସର ପରେ ସେମାନେ ପୁନଃନିଯୁକ୍ତି ପାଇଁ ବିବେଚିତ ହେବେ ନାହିଁ । ଅବସର ପର୍ବରୁ ୬୦ ମାସ ପାଇଁ ଉଲ୍ଲେଖନୀୟ CCR ବା PAR ଅଧିକାରୀମାନେ ପୁନଃ ନିଯୁକ୍ତି ପାଇଁ ବିବେଚିତ ହେବେ । ଖୋଲା ବିଜ୍ଞାପନ କିମ୍ବା ସମୟ ସମୟରେ ସରକାରଙ୍କ ଦ୍ବାରା ସ୍ଥିର କରାଯାଉଥିବା ପଦ୍ଧତି ଦ୍ବାରା ବ୍ୟକ୍ତି ଚୟନ କରାଯିବ।
ପୁନଃନିଯୁକ୍ତି ନିମନ୍ତେ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବା ପାଇଁ ଚୟନ କମିଟି ଗଠନ ହେବ। ଏହି କମିଟିର ସଭାପତି ରହିବେ ମୁଖ୍ୟ ଶାସନ ସଚିବ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗ ସଚିବ ଏହାର ସଦସ୍ୟ ରହିବେ। ଆବାହକ ସଦସ୍ୟ ରହିବେ ସଂପୃକ୍ତ ବିଭାଗର ସଚିବ। ସଂପୃକ୍ତ ବିଭାଗର ସଚିବଙ୍କୁ ଏପରି ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ବାଧ୍ୟତାମୂଳକର କାରଣ ବିଷୟରେ କମିଟିକୁ ସନ୍ତୁଷ୍ଟ କରିବାକୁ ପଡ଼ିବ।
ସମସ୍ତ ପୁନଃନିଯୁକ୍ତି କେବଳ ବିରଳ କ୍ଷେତ୍ରରେ ବିଚାର କରାଯିବ ଏବଂ ଏହା ନିତିଦିନିଆ କାର୍ଯ୍ୟପାଇଁ ନୁହେଁ। ପୁନଃନିଯୁକ୍ତି ପାଇଁ କମିଟିର ସୁପାରିଶ କେବଳ ଯଥେଷ୍ଟ ନୁହେଁ। ଏହା ପୁନଃନିଯୁକ୍ତି ନିମନ୍ତେ କୌଣସି ଅଧିକାର ବୋଲି ବିବେଚନା କରାଯିବ ନାହିଁ। ଏଭଳି ପୁନଃ ନିଯୁକ୍ତି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦଦନ ହେବା ଆବଶ୍ୟକ। .