IBN ଓଡ଼ିଶା ବ୍ୟୁରୋ

ତିରୁପତିଙ୍କ ଲଡୁରେ ପଶୁ ଚର୍ବି ମିଶିବା ପ୍ରସଙ୍ଗ: ସୁପ୍ରିମକୋର୍ଟରେ ପିଟିସନ୍ ଦାଏର୍‌

ନୂଆଦିଲ୍ଲୀ : ପ୍ରସିଦ୍ଧ ତିରୁପତି ମନ୍ଦିରରେ ପ୍ରସ୍ତୁତ ହେଉଥିବା ଲଡୁ ପାଇଁ ବ୍ୟବହୃତ ଘିଅରେ ଗାଈ, ଘୁଷୁରୀ ଭଳି ପଶୁଙ୍କ ଚର୍ବି ମିଶଯାଉଛି ବୋଲି ଯେଉଁ ଅଭିଯୋଗ ହୋଇଛି। ତାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଏହି ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ମଗାଇଥିବା ଜଣାପଡିଛି। ରିପୋର୍ଟ ହସ୍ତଗତ ହେବାପରେ ଏ ପ୍ରସଙ୍ଗରେ ସତ୍ୟାସତ୍ୟ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟିର ସହାୟତା ଲୋଡାଯିବ ବୋଲି ନଡ୍ଡା କହିଛନ୍ତି। ତିରୁପତି ମନ୍ଦିରରେ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଲଡୁରେ ପଶୁଙ୍କ ଚର୍ବି ବ୍ୟବହାର କରାଯାଉଛି ବୋଲି ନାଇଡୁ ଗତ ବୁଧବାର ଗୁରୁତର ଅଭିଯୋଗ ଆଣିଥିଲେ। ଆନ୍ଧ୍ରରେ ପୂର୍ବରୁ କ୍ଷମତାସୀନ ଜଗନ ରେଡ୍ଡିଙ୍କ ସରକାର ଏଭଳି ବ୍ୟବସ୍ଥା କରିଥିବା ନାଇଡୁ କହିଛନ୍ତି।

ସହସ୍ରାଧିକ ଭକ୍ତ ଦୈନନ୍ଦିନ ତିରୁପତି ମନ୍ଦିର ପରିଦର୍ଶନ କରୁଥିବାବେଳେ ପ୍ରସାଦ ଭାବେ ସେମାନଙ୍କୁ ଏହି ଲଡୁ ବଣ୍ଟନ କରାଯାଇଥାଏ। ତେଣୁ ଭକ୍ତଙ୍କ ଧାର୍ମିକ ମନୋଭାବ ସହ ଏଭଳି ଚକ୍ରାନ୍ତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ନାଇଡୁ କହିଛନ୍ତି। ଅପରପକ୍ଷରେ ନାଇଡୁଙ୍କ ଏଭଳି ଅଭିଯୋଗକୁ ୱାଇଏସଆର କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି। ରାଜନୈତିକ ଫାଇଦା ଉଠାଇବାକୁ ନାଇଡୁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣୁଥିବା ୱାଇଏସଆର କଂଗ୍ରସ ପକ୍ଷରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button