ଅକାଉଣ୍ଟାଣ୍ଟ ବିଶ୍ୱଜିତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିକରି ଧାରଣାରେ ବସିଲେ ମା ଓ ଭଉଣୀ ସମେତ ଶତାଧିକ ଗ୍ରାମବାସୀ
ସାଲେପୁର,୨୫/୦୯: ଅକାଉଣ୍ଟାଣ୍ଟ ବିଶ୍ୱଜିତଙ୍କ ମୃତ୍ୟୁ ଘଟଣାକୁ ୧୨ ଦିନରୁ ଉର୍ଦ୍ଧ୍ୱ ସମୟ ବିତିଗଲାଣି । ହେଲେ ଏହି ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏହାର ପ୍ରତିବାଦ ହୋଇଛି । ନ୍ୟାୟ ପ୍ରଦାନ ସହ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି ମୃତ ବିଶ୍ୱଜିତର ମା ଓ ଭଉଣୀ ସମେତ ଶତାଧିକ ଗ୍ରାମବାସୀ ସାଲେପୁର ଥାନା ସମ୍ମୁଖରେ ବେକ୍ଷୋଭ କରିବା ସହ ଧାରଣାରେ ବସିଛନ୍ତି ।
ସୂଚନା ମୁତାବକ, କିଶୋନଗର ଥାନା ଅନ୍ତର୍ଗତ ମୁଗୁରିଆ ଗ୍ରାମର ବିଶ୍ୱଜିତ ମହାନ୍ତି ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳ ଚଳିତ ମାସ ୧୨ତାରିଖରେ ତାଙ୍କର ମୃତଦେହ ନିଶ୍ଚିତକୋଇଲି ଅଞ୍ଚଳରେ ଥିବା ଏକ କେନାଲରୁ ଉଦ୍ଧାର କରାଯାଇଥିଲା । ଏନେଇ ତାଙ୍କ ପରିବାର ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏହି ଘଟଣାକୁ ବିତିଗଲାଣି ୧୨ ଦିନରୁ ଉର୍ଦ୍ଧ୍ୱ ସମୟ । ପୋଲିସ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏହାର ପ୍ରତିବାଦରେ ଆଜି ମୃତ ବିଶ୍ୱଜିତର ଗ୍ରାମବାସୀ ଓ ପରିବାରର ସଦସ୍ୟମାନେ ସାଲେପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।
ତେବେ ବିଶ୍ୱଜିତ ମହାନ୍ତି ଆକାଉଣ୍ଟାଣ୍ଟ ଭାବେ ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ ଥିବାବେଳେ ଚଳିତ ମାସ ୧୧ତାରିଖରେ ସେ ତାଙ୍କ ବାପାଙ୍କୁ ଫୋନ କରିଥିଲେ । ଉକ୍ତ କମ୍ପାନୀର ମ୍ୟାନେଜର, ସୁପରଭାଇଜର ବିଶ୍ୱଜିତଙ୍କୁ ମାଡ଼ମାରି ତାଙ୍କ ମୋବାଇଲ ଓ ଟଙ୍କା ଛଡାଇ ନେଇ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କଥା ତାଙ୍କ ବାପାଙ୍କୁ ଜଣାଇଥିଲେ । ଏହାର ପରଦିନ ଅର୍ଥାତ ସେପ୍ଟେମ୍ୱର ୧୨ ତାରିଖରେ ନିଶ୍ଚିତକୋଇଲି ଅଞ୍ଚଳରେ ଥିବା ଏକ କେନାଲରୁ ବିଶ୍ୱଜିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଉକ୍ତ ଆଇଟି କମ୍ପାନୀର ମାଲିକ ,ମ୍ୟାନେଜର ଓ ସୁପରଭାଇଜର ବିଶ୍ୱଜିତଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।