ରାଜ୍ୟ

ଶୋଇଥିବା ବେଳେ ଘରୁ ଘୋଷାଡ଼ି ଆଣି ମହିଳାଙ୍କୁ ଦଳିଦେଲା ଦନ୍ତା, ଜଣେ ଆହତ

ବାରିପଦା: ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ରକ୍ତମୁଖା ଦନ୍ତା ପୁଣି ଜଣଙ୍କ ଜୀବନ ନେଇଛି। ରାତିରେ ଘରେ ପଶି ଶୋଇଥିବା ଜଣେ ମହିଳାଙ୍କୁ ଘୋଷାଡ଼ି ଆଣି ଘର ବାହାରେ କଚାଡି ମାରିଛି । ମୃତା ମହିଳା ଜଣକ ହେଉଛନ୍ତି ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା (୩୫) ।

ସୂଚନା ମୁତାବକ ଗାଁକୁ ବଣୁଆହାତୀ ଅନୁପ୍ରବେଶ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଘରୁ ନବାହାରିବାକୁ ଡକାବାଜି ଯନ୍ତ୍ରଦ୍ୱାରା ପ୍ରଚାରକରି ଗ୍ରାମବାସୀଙ୍କୁ ସତର୍କ କରାଯାଇଥିଲା ।

ଗ୍ରାମବାସୀ ନିଜନିଜ ଘରେ ଶୋଇଥିବା ବେଳେ ବେତନଟୀ ରେଞ୍ଜ ଇଲାକାରେ ବିଚରଣ କରୁଥିବା ନରହନ୍ତା ଦନ୍ତା ୧୮ନଂ ଜାତୀୟ ରାଜପଥ ଅତିକ୍ରମ କରି ଭୋର ତିନିଟା ପାଖାପାଖି ସମୟରେ ରାଧିକାଶୋଳ ଗ୍ରାମରେ ପ୍ରବେଶ କରିଥିଲା । ଗ୍ରାମର ତିନି ଚାରିଟି ଘର ଭାଙ୍ଗିବା ସହିତ ଘର ଭିତରେ ଶୋଇଥିବା ମାନକାଙ୍କୁ ଘୋଷାଡ଼ି ଆଣି ଘର ଅଗଣାରେ କଚାଡି ଦଳି ଦେଇଥିଲା । ପାଖରେ ଶୋଇଥିବା ସ୍ୱାମୀ ସୀତାନାଥ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ରାମରେ ଚହଳ ପଡିଯାଇଥିଲା। ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗର ଅପାରଗତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି । ସେହିପରି ସୁରେଇଡିହି ଗ୍ରାମର ଆଉଜଣେ ମଧ୍ୟ ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି ।

ଗୁରୁବାର ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ଏଏସଆଇ ସୂତାର କୁମାର ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି । ତେବେ ବାରମ୍ବାର ବନବିଭାଗର ଅବହେଳା ଏବଂ ଅପାରଗତା ପାଇଁ ହାତୀ ଜନବସତି ଭିତରେ ପଶି ଧନଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗିରହିଛି । ନରହନ୍ତା ଦନ୍ତା ଆକ୍ରମଣରେ ବିଗତ ତିନିଦିନରେ ୪ଜଣଙ୍କ ମୃତ୍ୟୁ ଘଟଣା ବନବିଭାଗ ପାଇଁ ମଧ୍ୟ ଅଡୁଆସ୍ଥିତି ସୃଷ୍ଟି କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button