ଖେଳ

ପୁଣି ନମ୍ବର-୧ ଟେଷ୍ଟ ବୋଲର ହେଲେ ବୁମରା, କୋହଲିଙ୍କ ଟପ୍-୧୦କୁ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି। ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ବୋଲିଂ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି। ସେ ନିଜ ଦେଶର ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ଵିନଙ୍କୁ ପଛରେ ପକାଇଛନ୍ତି। ବର୍ତ୍ତମାନ ବୁମରାଙ୍କ ରେଟିଂ ପଏଣ୍ଟ ୮୭୦ ରହିଥିବା ବେଳେ ଅଶ୍ଵିନ ୮୬୯ ରେଟିଂ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଦୁଇ ନିକଟରେ ଗତକାଲି ସଂପନ୍ନ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରି ୧୧ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ବୁମରା କାନପୁର ଟେଷ୍ଟରେ ୬ ଓ ଅଶ୍ଵିନ ୫ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ଚେନ୍ନାଇ ଟେଷ୍ଟରେ ଶତକ ଅର୍ଜନ କରିଥିବା ଅଶ୍ଵିନ ପ୍ଲେୟାର ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି।

ବାଂଲାଦେଶର ମେହଦି ହସନ ମିରାଜ ୪ଟି ସ୍ଥାନ ଉପରକୁ ଉଠି ୧୮ତମ ଓ ଅନୁଭବୀ ଶାକିବ ଅଲ ହସନ ୫ଟି ସ୍ଥାନ ଉନ୍ନତି ଘଟାଇ ୨୮ତମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରୀଲଙ୍କାର ସ୍ପିନର ପ୍ରଭାତ ଜୟସୂର୍ଯ୍ୟା(୮୦୧) ନିଜ କ୍ୟାରିୟରର ଶ୍ରେଷ୍ଠ ରେଟିଂ ହାସଲ କରିଛନ୍ତି। ସେ ଯୁଗ୍ମ ଭାବେ ନବମ ସ୍ଥାନରେ ରହିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଥିଲେ। ୧୮ ଓ୍ଵିକେଟ୍ ଅକ୍ତିକାର କରି ପ୍ଲେୟାର ଅଫ୍ ଦ ସିରିଜ୍ ଜିତିଥିଲେ।

ସେହିପରି ବ୍ୟାଟିଂ ତାଲିକାରେ ଭାରତର ତାରକା ବ୍ୟାଟର ବିରାଟ କୋହଲିଙ୍କ ଟପ୍-୧୦କୁ ପ୍ରତ୍ୟାବର୍ତ୍ତନ ଘଟିଛି। କୋହଲି ୭୨୪ ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ସେ କାନପୁର ଟେଷ୍ଟର ପ୍ରଥମ ଇନିଂସରେ ୪୭ ରନ ଓ ଦ୍ଵିତୀୟ ଇନିଂସରେ ଅପରାଜିତ ୨୭ ରନ କରିଥିଲେ। ଓପନର ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ୨ଟି ସ୍ଥାନ ଉନ୍ନତି ଘଟାଇ କ୍ୟାରିୟରର ଶ୍ରେଷ୍ଠ ସ୍ଥାନକୁ ଉଠି ତୃତୀୟରେ ପହଞ୍ଚିଛନ୍ତି।

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରେ ଖରାପ ପ୍ରଦର୍ଶନ କରିଥିବା ଅଧିନାୟକ ରୋହିତ ଶର୍ମା(୬୯୩) ପଞ୍ଚମ ସ୍ଥାନ ତଳକୁ ଖସି ୧୫ତମ ସ୍ଥାନରେ ରହିଛନ୍ତି। ହିଟ୍ମ୍ୟାନ ନାମରେ ପ୍ରସିଦ୍ଧ ରୋହିତ ବାଂଲାଦେଶ ବିପକ୍ଷ ଦୁଇ ଟେଷ୍ଟରେ ମୋଟ୍ ୪୨ ରନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button