ରାଜ୍ୟ

ବେଆଇନ ବାଣ କାରଖାନାରେ ବିସ୍ଫୋରଣ: ବିପୁଳ ପରିମାଣର ରାସାୟନିକ ସାମଗ୍ରୀ ଜବତ

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ତଥା ସାଲେପୁର ଥାନା ଅନ୍ତର୍ଗତ ଜିଗ୍ନିପୁର ଗ୍ରାମରେ ବେଆଇନ ଭାବେ ଚାଲିଥିବା ଏକ ବାଣ କାରଖାନାରେ ଆଜି ସକାଳେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ କାରିଗର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କଟକ ନିଆଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିପୁଳ ପରିମାଣର ବାଣ ତିଆରି ସାମଗ୍ରୀ ଓ ରାସାୟନିକ ଦ୍ରବ୍ୟ ଜବତ କରିଛି।

ସୂଚନା ମୁତାବକ, ଜିଗ୍ନିପୁର ଗ୍ରାମର ପର୍ଶୁରାମ ବେହେରାଙ୍କ ଘରେ ବହୁଦିନ ଧରି ବେଆଇନ ଭାବେ ବାଣ ତିଆରି କାରଖାନା ଚାଲିଥିଲା। ସେଠାରେ ଆଜି ସକାଳେ ବାଣ ପ୍ରସ୍ତୁତି ଚାଲିଥିଲା ବେଳେ ଅଚାନକ ବିସ୍ଫୋରଣ ହୋଇଥିଲା। ଫଳରେ ଜିଗ୍ନିପୁର ଗ୍ରାମର କାରିଗର ରବୀନ୍ଦ୍ର ଦଳାଇ(୪୮) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅବସ୍ଥା ଉଦ୍ବେଗଜନକ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସାଲେପୁର ଥାନା ଆଇଆଇସି ମନୋଜ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ବେଆଇନ ବାଣ ତିଆରିରେ ବ୍ୟବହୃତ ବିପୁଳ ପରିମାଣର ବାରୁଦ, ବାଉଁଶପାତିଆ, ଓ ବିସ୍ଫୋରକ ଦ୍ରବ୍ୟ ଜବତ କରିଥିଲେ। ଏ ନେଇ ପୁଲିସ ନିଜ ଆଡ଼ୁ ଏକ ମାମଲା (କେସ୍ ନଂ-୩୯୩/୨୪) ରୁଜୁ କରିଛି। ଖବର ପାଇ କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକାରୀ କୃଷ୍ଣପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳ

ପରିଦର୍ଶନ କରିଛନ୍ତି। ବେଆଇନ ବାଣ କାରଖାନା କରିଥିବା ଏବଂ ବେଆଇନ ଭାବେ ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ପଟ୍ଟନାୟକ ସାଲେପୁର, ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ, ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଅବାଧରେ ବାଣ ତିଆରି ଓ ବିକ୍ରି ଚାଲିଥିବା ଜଣାଯାଇଛି। ଏପରିସ୍ଥଳେ ବେଆଇନ ବାଣ ବ୍ୟବସାୟୀଙ୍କ ଠାରୁ ଅର୍ଥ ନେଇ ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ନିକଟରେ ଅସୁରେଶ୍ବରର ଏକ ସରକାରୀ ଜମିରୁ ଘର ଉଚ୍ଛେଦ ସମୟରେ ପୁଲିସ ବିପୁଳ ପରିମାଣର ବାଣ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button