ରାଜ୍ୟ

ମେଟ୍ରୋ ଗଡ଼ିବାକୁ ଖର୍ଚ୍ଚ ହେବ ୬୦୦୦ କୋଟି: ଡିପିଆର୍ ଦାଖଲ କଲା, ଡିଏମ୍‌ଆର୍‌ସି – Ibnodisha

[ad_1]

ବିମାନବନ୍ଦରରୁ ବାହାରି ତ୍ରିଶୁଳିଆ ଯିବ; ୨୬କିମିରେ ରହିବ, ୨୦ଟି ଷ୍ଟେସନ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍‌ଆର୍‌ସି) ଆଜି ରାଜ୍ୟ ସରକାରଙ୍କୁ ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରଦାନ କରିଛି। ଏଥିରେ ୨୬କିମି ରାସ୍ତାରେ ମେଟ୍ରୋ ଚାଲିବାକୁ ଥିବାବେଳେ ଭିତ୍ତିଭୂମି ନିର୍ମାଣ ପାଇଁ ୬ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି।

ଡିଏମ୍‌ଆର୍‌ସି ପକ୍ଷରୁ ଟ୍ରାଫିକ ସର୍ଭେ, ଜିଓ ଟେକନିକାଲ ଇନଭେଷ୍ଟିଗେସନ୍, ଟପୋଗ୍ରାଫିକ ସର୍ଭେ, ପରିବେଶ ଏବଂ ସାମାଜିକ ପ୍ରଭାବ ମୂଲ୍ୟାଙ୍କନ ପରେ ଡିପିଅାର୍ ପ୍ରସ୍ତୁତ ହୋଇଛି। ଡିଏମ୍‌ଆର୍‌ସି କର୍ତ୍ତୃପକ୍ଷ ଆଜି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଭେଟି ଏହି ଡିପିଆର୍ ପ୍ରଦାନ କରିଛନ୍ତି। ଏହାପରେ ଭୁବନେଶ୍ବର ମେଟ୍ରୋ ରେଲ୍ କର୍ପୋରେସନ୍ ପକ୍ଷରୁ କନସଲ୍‌ଟାଣ୍ଟ ନିୟୋଜିତ କରାଯିବ ଏବଂ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଟେଣ୍ଡର ଚୂଡ଼ାନ୍ତ ହେଲେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି। ଡିଏମ୍‌ଆର୍‌ସି ପକ୍ଷରୁ ଦିଆଯାଇଥିବା ଡିପିଆର୍‌ରେ ମେଟ୍ରୋ ଟ୍ରେନ୍ ଭୁବନେଶ୍ବର ବିମାବନ୍ଦର- କ୍ୟାପିଟାଲ ହସ୍ପିଟାଲ- ଶିଶୁଭବନ- ବାପୁଜୀନଗର- ଭୁବନେଶ୍ବର ରେଳ ଷ୍ଟେସନ-ରାମ ମନ୍ଦିର ଛକ- ବାଣୀବିହାର- ଆଚାର୍ଯ୍ୟ ବିହାର ଛକ- ଜୟଦେବ ବିହାର ଛକ- ଜାଭିୟର ଛକ- ରେଳ ସଦନ- ଡିଷ୍ଟ୍ରିକ୍ଟ ସେଣ୍ଟର- ଡମଣା ଛକ- ପଟିଆ ଛକ- କିଟ୍‌ ଛକ- ନନ୍ଦନ ବିହାର- ରଘୁନାଥପୁର- ନନ୍ଦନକାନନ- ଫୁଲ‌େପାଖରୀ- ତ୍ରିଶୁଳିଆ ରୁଟ୍‌ରେ ଯାତାୟତ କରିବ। ପ୍ରାୟ ୨୬କିମି ପର୍ଯ୍ୟନ୍ତ ସୁଉଚ୍ଚ ବ୍ରିଜ୍ ନିର୍ମାଣ କରି ରେଳ ଲାଇନ୍ ବିଛାଯିବ। ଏଥିରେ ଦୁଇଟି ଟ୍ରାକ୍ ରହିବ। ୨୦ଟି ଷ୍ଟେସନ୍‌ ରହିବ। ‌ଷ୍ଟେସନ୍‌କୁ ଯେପରି ସୁବିଧା ଯାତାୟତ କରିହେବ ସେହି ଅନୁଯାୟୀ ବସଷ୍ଟପ୍, କ୍ୟାବ୍ ଷ୍ଟାଣ୍ଡ, ସାଧାରଣ ପାର୍କିଂ ବ୍ୟବସ୍ଥା ବି କରାଯିବ।

ଏହି ପ୍ରକଳ୍ପ ପାଇଁ ଡିଏମ୍‌ଆର୍‌ସି ୫୯୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡିପିଆର୍‌ରେ ଦର୍ଶାଯାଇଛି। କନସଲ୍‌ଟାଣ୍ଟ୍‌ ନିୟୋଜନ ବାବଦକୁ ରାଜ୍ୟ ସରକାର ଆଉ ୭୦ରୁ ୮୦କୋଟି ଟଙ୍କା ଖର୍ଚ୍ଚ କରିବେ। ଏହିପରି ପ୍ରାୟ ୬ହଜାରକୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ହେଲେ ଏହି ମେଟ୍ରୋ ଟ୍ରେନ୍ ଚଳାଇବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ନା କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିବେ ନା ପିପିପି ମୋଡ଼ରେ କରିବେ ତାହା ନିଷ୍ପତ୍ତି ହୋଇନି। କନସଲ୍‌ଟାଣ୍ଟ୍‌ ନିୟୋଜନ ହେବା ପରେ ଏନେଇ ନିଷ୍ପତ୍ତିି ହେବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ଗତ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଏହା ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ଚଳାଚଳ କରିବ ଓ ପରବର୍ତ୍ତୀ ସମୟରେ ଖୋର୍ଦ୍ଧା, କଟକ ଓ ପୁରୀକୁ ଚଳାଚଳ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାପରେ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଡିପିଆର୍ ପ୍ରସ୍ତୁତ ପାଇଁ ନିୟୋଜନ କରାଯାଇଥିଲା। ପରେ ଗତ ୩ତାରିଖରେ ରାଜ୍ୟ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (ବିଏମଆରସିଏଲ) ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ କରିବା ସହ ଏହାର ସିଇଓ ଓ ଜେନେରାଲ ମ୍ୟାନେଜର(ପ୍ରଶାସନ)ଙ୍କୁ ନିଯୁକ୍ତି ଦେଇଥିଲେ।

ଅପରପକ୍ଷେ ଅଗଷ୍ଟ୧୪ରେ ଭୁବନେଶ୍ୱର ରେଳଷ୍ଟେସନରେ ତେଜସ୍ ରେକଯୁକ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ। ଶ୍ରୀ ପ୍ରଧାନ କହିଥିଲେ, ୪-୫ଜଣ ବାବୁ ସକାଳୁ ଉଠି ବୁଲୁଛନ୍ତି ଆଉ ଫଟୋ ଉଠେଇ ଘୋଷଣା କରିଦେଉଛନ୍ତି ଯେ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ଚାଲିବ। ମୁଁ ଯେତିକି ଜାଣିଛି ଯେ କେନ୍ଦ୍ର-ରାଜ୍ୟ ମିଳିତ ଉଦ୍ୟମରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ହୁଏ। ୪-୫ ଜଣ ବାବୁ ସକାଳୁ ବୁଲି ଫଟୋ ଉଠେଇ ଦେଲେ ମେଟ୍ରୋ ଟ୍ରେନ୍ ପ୍ରକଳ୍ପ ହୋଇଯାଏନି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button