ରାଜ୍ୟ

ଗାଁରେ ବ୍ୟାପିବାରେ ଲାଗିଛି ଜଣ୍ଡିସ ରୋଗ, ଛୋଟ ପିଲାମାନେ ହେଉଛନ୍ତି ଅଧିକ ଆକ୍ରାନ୍ତ

ଦିନକୁ ଦିନ ବଢ଼ୁଛି ଜଣ୍ଡିସ ରୋଗୀଙ୍କ ସଂଖ୍ୟା । ଗାଁର ପିଲାଙ୍କ ଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଅଧିକାଂଶ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଲେଣି । କିନ୍ତୁ ଆବଶ୍ୟକୀୟ ଚିକିତ୍ସା ଅବହେଳା ସହିତ ପାଖରେ ଥିବା କାରଖାନାର ଧୂଆଁ ଲୋକଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଦେଲାଣି । ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ବ୍ଲକ ଅଧିନସ୍ଥ ରାନ୍ଦିଆ ପଂଚାୟତର ଚେଙ୍ଗ ଗଡିଆ ଗାଁରେ ।

ଭଦ୍ରକ ସହର ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଏହି ଗାଁ । ଏହି ଗାଁରେ ଏବେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ଗାଁରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ଚାଳିଶିରୁ ଅଧିକ ଲୋକ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଲେଣି । ବିଶେଷ କରି ଛୋଟ ପିଲାମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଅନୁଭବ କରୁଛନ୍ତି ।

ଏହି ଗାଁର ଲୋକମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । କାମ ଧନ୍ଦା କରି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି । ଏପରିସ୍ଥଳେ ସେମାନଙ୍କ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ସେମାନଙ୍କ ଚିକିତ୍ସାକୁ ଠିକ ଭାବେ ହୋଇପାରୁନି କି ସେମାନେ କାମ ଧନ୍ଦା ମଧ୍ୟ ଠିକରେ କରି ପାରୁ ନାହାନ୍ତି । ପିଲାମାନଙ୍କ ଆଖି ଧଳା ପଡି ଯାଉଛି, କାଶ ହେଉଛି, ଦେହରେ ଚର୍ମ ରୋଗ ମଧ୍ୟ ହେଉଛି ଏବଂ ଜ୍ଵର ଥଣ୍ଡା ଲାଗି ରହୁଛି । ପାଖରେ ଥିବା କାରଖାନାର ଧୂଆଁ ଓ ଧୂଳିରେ ସେମାନେ ଅଣନିଶ୍ୱାସୀ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି ଲୋକେ । ଧୂଆଁ ଓ ଧୂଳି ପାଣି ପବନରେ ମିଶିବା ଦ୍ୱାରା ସେମାନେ ଅଧିକ ମାତ୍ରାରେ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଉଥିବା କହିଛନ୍ତି । ଛୋଟ ଛୋଟ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହେବା ପରେ ଦୀର୍ଘ ୧୫ ଦିନରୁ ଅଧିକ ହେବ ସ୍କୁଲ ଯାଇ ପାରୁନାହାନ୍ତି ବୋଲି କହିଛନ୍ତି । ଏହି ରୋଗ ଗତ ୩ ମାସ ହେବ ଅଧିକ ବ୍ୟାପିବାରେ ଲାଗିଛି ।

ସମାନ ଭାବେ ଏହି ଗାଁରେ ଜଣ୍ଡିସ ରୋଗ ବ୍ୟାପି ଚାଲିଥିବା ବେଳେ ଗାଁକୁ ଡାକ୍ତରୀ ଟିମ ଯାଉ ନାହାନ୍ତି । ଆବଶକୀୟ ସଚେତନତାର ଅଭାବ ସହିତ ଚିକିତ୍ସା ଅବହେଳା ଯୋଗୁ ଜଣକ ପରେ ଜଣଙ୍କୁ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି । ଏପରି ସ୍ଥଳେ ଧୂଆଁ ଓ ଡଷ୍ଟ ଗୁଣ୍ଡ ଏହି ରୋଗକୁ ଆହୁରି ଅଧିକ ମାତ୍ରାରେ ବଢ଼ାଇ ଚାଲିଛି । ଗାଁର ଗଛ ପତ୍ର ଚାଳ ଛପର ଛାତ ଉପରେ ଡଷ୍ଟ ଜମି ରହୁଛି । ଏହି ଧୂଳି ନଳକୂପରେ ପଡିବା ସହିତ ପିଲାଙ୍କ ଆଖି କାନ ଓ ନାକ ଭିତରେ ପ୍ରବେଶ କରି ଜଣ୍ଡିସ ରୋଗ ସୃଷ୍ଟି କରୁଛି । ବିଶେଷ କରି ପିଲାଙ୍କୁ ଏହି ରୋଗ ଅଧିକ ମାତ୍ରାରେ ହେଉଛି । ଅନ୍ୟପଟେ ଏଥିପ୍ରତି କାହାରି ନିଘା ନଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଦେଖା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଏହି ଗାଁରେ ଜଣ୍ଡିସ ରୋଗ ବ୍ୟାପିଥିବା ଜାଣିଛନ୍ତି । ରୋଗୀମାନେ ଆଡମିସନ ହୋଇ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି । ସ୍ୱାସ୍ଥ୍ୟ ଟିମ ଗାଁକୁ ଯାଇ ସ୍ଥିତି ଦେଖି ଲୋକଙ୍କୁ ସଚେତନ କରିଛନ୍ତି ବୋଲି କହିବା ସହିତ ଏହି ରୋଗ ହେଲେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସନ୍ତୁ ବୋଲି କହିଛନ୍ତି । ତେବେ ଗାଁର ଗରିବ ଲୋକଙ୍କ ସମସ୍ୟା ଓ ସେମାନଙ୍କ ରୋଗର ନିରାକରଣ ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button