ରାଜ୍ୟ

ଅଧାରୁ ଭାଙ୍ଗିଗଲା ସବୁ ସ୍ୱପ୍ନ: ଏମିତି ଦୁଃଖକୁ କେମିତି ସହିବ ଏ ପରିବାର

ବାଙ୍ଗିରିପୋଷି: ଏମିତି ଦୁଃଖ..ଭଗବାନ୍ କାହାକୁ ବି ନ ଦିଅନ୍ତୁ । ଜୀବନ ଥାଇକି ବି ନଥିଲା ଭଳି ଏଇ ବାପା ମାଆଙ୍କର ଏବେ ଅବସ୍ଥା । କାହିଁକି ନା ଅକାଳରେ ଚାଲିଯାଇଛନ୍ତି ଏମାନଙ୍କର ପୁଅ । ତିନି ତିନୋଟି ମାଆ କୋଳ ଆଜି ଖାଲି ହୋଇଯାଇଛି । ଏଦୁଃଖ ସହିବା ଭାରି କଷ୍ଟ । କେମିତି ବା ସହିବେ । କେତେ ଆଶା କେତେ ସ୍ୱପ୍ନ ଦେଖିଥିଲେ ।

ତିନି ବାପା ମାଆଙ୍କର ଏମାନେ ଗୋଟିଏ ଲେଖାଏଁ ପୁଅ । ଭାରି ଗେଲ ବସରରେ ବଢାଥିଲେ । ପୁଅ ଭଲ ପାଠ ପଢିବ, ବଡ ଚାକିରି କରିବ । ଆଉ ପରିଣତ ବୟସରେ ଆଶାବାଡି ସାଜିବ । ହେଲେ ପୂରା ହୋଇପାରିଲାନି ଆଶା । ଅଧାକୁ ଭାଙ୍ଗିଗଡା ସବୁ ସ୍ୱପ୍ନ । ନିମିଷକ ଭିତରେ ଭାଙ୍ଗିରୁଜି ଚୁରମାର୍ ହୋଇଗଲା ସୁନା ସଂସାର । ଜୀବନ କି ମୃତ୍ୟୁ କେବେ ହେଲେ ଖେଳଘର କଥା ନୁହେଁ । କିନ୍ତୁ ଖେଳରେ ଖେଳରେ ମରଣ ଯେ ଏମିତି ଆସିବ, କିଏ ଜାଣିଥିଲା କହିଲେ ।

ପାଣିରେ ବୁଡି ଚାଲିଗଲା ତିନି ତିନି ଜଣ ନାବାଳକଙ୍କ ଜୀବନ । ସୁବର୍ଣ୍ଣରେଖା କେନାଲରେ ଘଟିଲା ଅଘଟଣ । ଖେଳରେ ଖେଳରେ ଯମ ଡାକିନେଲା କେନାଲ ଭିତରକୁ । ଆଉ ଏକାଠି ନେଇ ଚାଲିଗଲା ତିନି ଜଣ ସାଙ୍ଗଙ୍କୁ । ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ନିକଟ ସୁବର୍ଣ୍ଣରେଖା କେନାଲରେ ଘଟିଛି ଏଭଳି ଅଘଟଣ । ସାରସକଣା ଗ୍ରାମର ଗଣେଶ୍ୱର ସାହୁଙ୍କ ୧୪ବର୍ଷର ପୁଅ ମଦନ ମୋହନ ସାହୁ , ସନ୍ତୋଷ ସାହୁଙ୍କ ପୁଅ ଶ୍ରୀୟାଂଶୁ ସାହୁ ଓ ସୁମନ୍ତ ସାହୁଙ୍କ ପୁଅ ସାଇ ଶଙ୍କର ସାହୁଙ୍କର କେନାଲରେ ବୁଡି ମୃତ୍ୟୁ ହୋଇଛି । ଯାହା ଖବର ମିଳିଛି କି, ଗତକାଲି ଅପରାହ୍ନ ସମୟରେ ସୁବର୍ଣ୍ଣରେଖା କେନାଲ କଡ଼ରେ କ୍ରିକେଟ୍ ଖେଳୁଥିଲେ ପିଲାମାନେ । ହଠାତ୍ ସେହି ସମୟରେ କ୍ରିକେଟ୍ ବଲ୍ ଟି କେନାଲ ଭିତରେ ପଡି ଯାଇଥିଲା । ଏହି ସମୟରେ ତିନି ଜଣ ସାଙ୍ଗ ମିଶିକି ବଲ୍ ଆଣିବାକୁ କେନାଲ ଭିତରକୁ ପଶି ଯାଇଥିବାବେଳେ, କେନାଲରେ ସେମାନଙ୍କର ଗୋଡ଼ ଖସି ଯାଇଥିଲା ।

ଯାହାଫଳରେ ତିନି ଜଣକ ଯାକ କେନାଲରେ ଭାସି ଯାଇଥିଲେ । ଖବରପାଇ ସ୍ଥାନୀୟ ଲୋକ ତିନି ଜଣକୁ ଉଦ୍ଧାର କରି ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବାବେଳେ ସେତେବେଳକୁ କିନ୍ତୁ ସବୁ ସରିସାରିଥିଲା । ଡାକ୍ତର ତିନି ନାବଳକଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଖବର ପାଇ ଝାରପୋଖରିଆ ପୋଲିସ୍ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ଏମିତି ଦୁଃଖକୁ କେମିତି ସହିବ ଏ ପରିବାର । ଏଭଳି ଘଟଣା ଏବେ ସମଗ୍ର ସାରସକଣା ଗାଁକୁ ସ୍ତବ୍ଧ କରିଦେଇଛି । କେହି କଳ୍ପନାରେ ସୁଦ୍ଧା ଭାବିନଥିଲେ ସାମାନ୍ୟ ଗୋଟେ ବଲ୍ ପାଇଁ ଏମିତି ଚାଲିଯିବ ତିନି ତିନିଟା କଅଁଳ ଜୀବନ । ଏପରି ହୃଦୟ ବିଦାରକ ଘଟଣା ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ଖେଳାଇଦେଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button