ଯାଜପୁରରେ ଉଜୁଡ଼ିଗଲା ୩୪୦ ହେକ୍ଟର ପରିବା ଚାଷ, ୨୧ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ

ଯାଜପୁର/ଟାଉନ/ସଦର: ବାତ୍ୟା ‘ଦାନା’ ପ୍ରଭାବରେ ଯାଜପୁର ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ଜିଲ୍ଲାରେ ୨୧୭୦୯ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ସେଥିରୁ କେବଳ ୧୫୨୭୩ ହେକ୍ଟର ଧାନଫସଲ। ସେହିପରି ୬୦୯୬ ହେକ୍ଟର ଅଣଧାନ ଫସଲ ନଷ୍ଟ ହୋଇଛି। ଜିଲ୍ଲାରେ ୩୪୦ ହେକ୍ଟର ପନିପରିବା ଚାଷ ବର୍ଷାଜଳ ଦ୍ୱାରା ପ୍ରଭାବିତ ହୋଇଛି।
ତେବେ ଏହି ଆକଳନ ବଢ଼ିବାର ଆଶଙ୍କା ରହିଛି। ଦୁଇଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି। ବିପନ୍ନ ପରିବାରଙ୍କୁ ୭ଦିନ ପର୍ଯ୍ୟନ୍ତ ଆଶ୍ରୟସ୍ଥଳୀରେ ରଖାଯାଇ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତ ପ୍ରତିନିଧିମାନଙ୍କ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା, କ୍ଷେତ୍ରୀୟ ଅଧିକାରୀ ଓ କର୍ମଚାରୀମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବାସ୍ତବ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ ଆଜି ଆଭାସି ବୈଠକ ମାଧ୍ୟମରେ ବାତ୍ୟାଜନିତ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।
ତଥ୍ୟ ଅନୁସାରେ ଜିଲ୍ଲାର ସମସ୍ତ ୧୦ଟି ବ୍ଲକ୍ର ୩୧୧ଟି ପଞ୍ଚାୟତ ଓ ୧୨୧୧ଟି ଗାଁର ୫୮ହଜାର ୭୧୦ ଲୋକ ‘ଦାନା’ ଦ୍ବାରା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୭୪୨ ଜଣ ଶିଶୁ ରହିଛନ୍ତି। ଜିଲ୍ଲାରେ ୬୧୪ଟି ରିଲିଫ୍ କେନ୍ଦ୍ରରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ୫୮୭୭ଟି ଗୋରୁଗାଈ ଓ ଗୃହପାଳିତ ପକ୍ଷୀ ପ୍ରଭାବିତ ହୋଇଛନ୍ତି। ୮୩୧ଟି ପ୍ରାଣୀ ମୃତାହତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ସମୁଦାୟ ୧୨୧୪ଟି ଘର କ୍ଷତିଗ୍ରସ୍ତ ହୋଇଛି। ସେଥିରୁ ୮୭୬ଟି କଚ୍ଚାଘର ଆଂଶିକ ଓ ୩୮ଟି କଚ୍ଚାଘର ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ୨ଟି କଚ୍ଚାଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ୪୦ଟି କୁଡ଼ିଆ ଘର ଓ ୨୫୮ଟି ଗାଈଗୁହାଳ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାରେ ୨୦ଟି ମେଡିକାଲ ଟିମ୍ ଓ ୧୦ଟି ପ୍ରାଣୀ ସମ୍ପଦ ଟିମ୍ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।