ରାଜ୍ୟ

ବାତ୍ୟା ପୁନରୁଦ୍ଧାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ତିନି ଜିଲ୍ଲା ଅଧିକ ପ୍ରଭାବିତ

ଭୁବନେଶ୍ବର: ବାତ୍ୟା ପରେ ପୁନରୁଦ୍ଧାର, ରିଲିଫ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ବାତ୍ୟା ପରିସ୍ଥିତି ସ୍ବାଭାବିକ ହୋଇଛି। ସମସ୍ତେ ନିର୍ଭୟରେ ରୁହନ୍ତୁ।

ଆମ ଟିମ୍ ସଜାଗ ଅଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ପୂର୍ବରୁ ରାଜ୍ୟରେ ଆଶ୍ରୟସ୍ଥଳକୁ ସମୁଦାୟ ୮,୦୯,୫୧୩ ଲୋକଙ୍କୁ ଅଣାଯାଇଥିଲା। ପାଣି ଜମି ରହିଥିବାରୁ ୧,୧୦,୭୭୦ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି। ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସେମାନେ ରହିପାରିବେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ବାତ୍ୟା ଯୋଗୁ ସମୁଦାୟ ୨୨.୮୪ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା। ଆଜି ସନ୍ଧ୍ୟା ୭ ଟା ୩୦ ସୁଦ୍ଧା ୯୨%ରୁ ଅଧିକ ପରିବାରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି।

୯୨ ପ୍ରତିଶତରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ
୨୮ଜଣଙ୍କୁ ସାପ କାମୁଡ଼ିଛି, ସମସ୍ତେ ସୁସ୍ଥ
ଏବେ ଆଶ୍ରୟସ୍ଥଳରେ ଅଛନ୍ତି ୧,୧୦,୭୭୦ ଜଣ

ବାତ୍ୟା ‘ଦାନା’ ଦ୍ୱାରା କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା। ଏହିସବୁ ଜିଲ୍ଲାରେ ଗଛ ପଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା। କେନ୍ଦ୍ରାପଡାରେ ବର୍ତ୍ତମାନ ସ୍ଥିତି ପ୍ରାୟତଃ ସ୍ବାଭାବିକ ଅଛି। ବର୍ତ୍ତମାନ ସୁଦ୍ଧା ୯୫% ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି। ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି।
ଭଦ୍ରକରେ ଜଳବନ୍ଦୀ ସମସ୍ୟା ଯୋଗୁ ବିଦ୍ୟୁତ୍ ଯୋଗାଣ କାମ ବିଳମ୍ବ ହେଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୭% ପୁନରୁଦ୍ଧାର ହୋଇଛି। ପ୍ରାୟ ୭୦,୦୦୦ ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି। ବାଲେଶ୍ୱରରେ ପ୍ରାୟ ୮୧% ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିମିଳିପାଳରେ ବର୍ଷା ଯୋଗୁଁ ବୁଢାବଳଙ୍ଗ ନଦୀରେ ଜଳସ୍ତରରେ ବୃଦ୍ଧି ଘଟୁଥିଲା। ଏବେ ଜଳସ୍ତର ସ୍ଥିର ଅଛି। ବର୍ଷା ବନ୍ଦ ହୋଇଥିବାରୁ ଜଳସ୍ତର କମିବ। ବାଲେଶ୍ୱରର ୬ଟି ପଞ୍ଚାୟତର ୨୦ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮୦୦୦ ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି। ମୟୂରଭଞ୍ଜରେ ବିଦ୍ୟୁତ୍ ସଂଯୋଗ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ହୋଇଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ସେଠାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବନ୍ୟାଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ୧୧ଟି ପାୱାର ବୋଟ୍ ଏବଂ ବାଲେଶ୍ୱର ଜିଲ୍ଲାକୁ ଅତିରିକ୍ତ ୧୦ଟି ପାୱାର ବୋଟ୍ ପଠାଯାଇଛି। ବାତ୍ୟାରେ ସାପ କାମୁଡ଼ାରେ ୨୮ଜଣ ବ୍ୟକ୍ତି ଆହତ ହୋଇ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button