ରାଜ୍ୟ

ସ୍ବପ୍ନରେ ରହିଯିବ ତାଳଚେର ମେଡିକାଲ କଲେଜ

ନୁଗୁଳ: ମେଡିକାଲ କଲେଜ ହେବ। ଖଣି ଓ ପ୍ରଦୂଷଣ ପାଇଁ ବିଭିନ୍ନ ରୋଗରେ ପଡ଼ୁଥିବା ଲୋକଙ୍କୁ ଉନ୍ନତମାନର ସେବା ମିଳିବ। ସାମାନ୍ୟ ରୋଗ ପାଇଁ ଆଉ କଟକ, ଭୁବନେଶ୍ବର ଦୌଡ଼ିବାକୁ ପଡ଼ିବନି। ପ୍ରାୟ ଏକ ଦଶନ୍ଧି ଧରି ଏମିତି ସୁନେଲି ସ୍ବପ୍ନ ତାଳଚେରବାସୀ ଦେଖି ଆସୁଛନ୍ତି। ହେଲେ ଦିନ ଗଡ଼ିବା ସହ ଏହି ସ୍ବପ୍ନ ପାଣିଚିଆ ହେବାରେ ଲାଗିଛି।

ବହୁବର୍ଷର ଦାବି ପରେ ତାଳଚେରରେ ଏକ ମେଡିକାଲ କଲେଜ ଖୋଲିବା ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା। ୨୦୧୯ରେ ଏହି ମେଡିକାଲ କଲେଜର ନୂତନ କୋଠା ଉଦ୍ଘାଟିତ ହୋଇଥିଲା। ଲୋକେ ଆଶା ରଖିଥିଲେ ବର୍ଷେ ଦୁଇବର୍ଷ ଭିତରେ ଏଠାରେ ରୋଗୀସେବା ଆରମ୍ଭ ହୋଇଯିବ। ହେଲେ ୬ ବର୍ଷ ବିତିଥିଲେ ମଧ୍ୟ ମେଡିକାଲ କଲେଜ କେବଳ ଧୂଆଁବାଣରେ ସୀମିତ ରହିଯାଇଛି। ଏହା କେବେ ଆରମ୍ଭ ହେବ ସେଥିନେଇ ସରକାର କିଛି ସ୍ପଷ୍ଟ କରୁନାହାନ୍ତି।

ଏମ୍ସିଏଲ୍ ପକ୍ଷରୁ ଏହି ମେଡିକାଲ କଲେଜ କୋଠା ନିର୍ମାଣ କରାଯାଇଥିଲା ବେଳେ ଆରମ୍ଭରୁ ଏହା ପରିଚାଳନାଗତ ବିବାଦରେ ଫସିଥିଲା। ମେଡିକାଲ କଲେଜ ଚଳାଇବା ପାଇଁ ଅଭିଜ୍ଞତା ନ ଥିବା ଦର୍ଶାଇ ଏମ୍ସିଏଲ୍ ରାଜି ହୋଇ ନଥିଲା। ପରେ ରାଜ୍ୟ ସରକାର ମେଡିକାଲ କଲେଜ ଚଳାଇବା ପାଇଁ ମଙ୍ଗିଥିଲେ। ଏଥିପାଇଁ ଏମ୍ସିଏଲ୍ ଟଙ୍କା ଦେବ ବୋଲି ସର୍ତ୍ତ ରହିଥିଲା। ପ୍ରାୟ ୨ବର୍ଷ ତଳେ ଏଥିନେଇ ଚୁକ୍ତି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି। ଏପଟେ ଗତ ଅକ୍ଟୋବର ୨ ତାରିଖରୁ ଏହି ମେଡିକାଲ କଲେଜରେ ରୋଗୀସେବା ଆରମ୍ଭ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମେଡିକାଲ କଲେଜର ନାମ ବଦଳାଇ ଏହାକୁ ସରକାରୀ ଡାକ୍ତରଖାନାରେ ପରିଣତ କରିଦେଇଥିଲେ। ରାତାରାତି ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ବଦଳି ଯାଇଥିଲା। ପୂର୍ବରୁ ଥିବା ନେହରୁ ଶତାବ୍ଦୀ ହସ୍ପିଟାଲରେ ରୋଗୀସେବା ଆରମ୍ଭ କରିଥିଲେ ରାଜ୍ୟ ସରକାର। ଆଗରୁ ଯେମିତି ଚିକିତ୍ସା ଚାଲୁଥିଲା ଏବେ ସେମିତି ହିଁ ଚାଲିଛି। ଏଥିପାଇଁ ଡାକ୍ତରଖାନାକୁ ଯିବା ପାଇଁ ରୋଗୀ ମଙ୍ଗୁ ନାହାନ୍ତି। ଏଠାରେ ୩ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରହିଥିଲେ ମଧ୍ୟ ଏଥିରୁ ମାତ୍ର ୩.୩୪ ପ୍ରତିଶତ ଶଯ୍ୟା ପୂରଣ ହେଉଛି।

ମେଡିକାଲ କଲେଜ ସ୍ବପ୍ନ ମଉଳିବା ପରେ ଏହାକୁ ନେଇ ତାଳଚେରବାସୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିନେଇ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆବାହକ ପଦ୍ମଚରଣ ସାମଲ କହିଛନ୍ତି ଯେ, ସରକାର ଭଣ୍ଡେଇବାକୁ ଚେଷ୍ଟା କରୁଛନ୍ତି। ଏହାର ଜବାବ ଖୁବଶୀଘ୍ର ଦିଆଯିବ। ମେଡିକାଲ କଲେଜ ଚାଲିବା ନେଇ ଘୋଷଣା ନ ହେଲେ ତାଳଚେର ବନ୍ଦ କରାଯିବା ସହ ସବୁ ସରକାରୀ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କହିଛନ୍ତି, ମେଡିକାଲ କଲେଜ ଯେମିତି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିନେଇ ସେ ରାଜ୍ୟ ସରକାରଙ୍କ ଆଲୋଚନା କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ସମନ୍ବୟ ରକ୍ଷା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button