ଖେଳ

ଭୁଶୁଡ଼ିଲା ଘରୋଇ ଦୁର୍ଗ: ୧୨ ବର୍ଷ ପରେ ଘରୋଇ ଟେଷ୍ଟ୍ ଶୃଙ୍ଖଳା ପରାଜୟ

ପୁଣେ: ଘରୋଇ ମାଟିରେ ଭାରତୀୟ କ୍ରିକେଟ୍ ଦୁର୍ଗର ପତନ ଘଟିଛି। ୧୨ ବର୍ଷ ପରେ ପ୍ରଥମ ଥର ନିଜସ୍ବ ମାଟିରେ ଟେଷ୍ଟ୍ ଶୃଙ୍ଖଳା ହାରି ଲଜ୍ଜିତ ହୋଇଛି ରୋହିତ ଶର୍ମାଙ୍କ ଦଳ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ଏକ ବହୁ ପ୍ରତୀକ୍ଷିତ ସ୍ବପ୍ନକୁ ସାକାର କରିନେଇଛି। ଭାରତ ମାଟିରେ ସର୍ବପ୍ରଥମ ଥର ଟେଷ୍ଟ୍ ଶୃଙ୍ଖଳା ଜିତିଯାଇଛି। ଯେଉଁ ଖେଳାଳି ଜଣଙ୍କ ନିଜ ଟେଷ୍ଟ୍ କ୍ରିକେଟ୍ ଜୀବନରେ କେବେ ବି ଗୋଟିଏ ପାଳିରେ ୩ରୁ ଅଧିକ ୱିକେଟ୍ ପାଇନଥିଲେ କି ମ୍ୟାଚ୍ରେ ୬ ୱିକେଟ୍ ସୀମା ଟପି ପାରିନଥିଲେ ସେ ହିଁ ଭାରତୀୟ ବ୍ୟାଟରଙ୍କୁ ସେମାନଙ୍କ ମାଟିରେ ଧୂଳି ଚଟାଇଛନ୍ତି।

ପୁଣେରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ରେ ସେ ଉଭୟ ପାଳିରୁ ୧୩ ୱିକେଟ୍ (୭/୫୩ ଓ ୬/୧୦୪) ନେଇ ରାତାରାତି କେବଳ ନାୟକ ସାଜିନାହାନ୍ତି। ଟମ୍ ଲଥାମଙ୍କ ଦଳକୁ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ଅର୍ପଣ କରିଥିବା ଏହି ବାମହାତୀ ସ୍ପିନର୍ ଜଣଙ୍କ ହେଲେ ମିଚେଲ୍ ସାଣ୍ଟନର୍। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ସାଣ୍ଟନର୍ଙ୍କୁ ମିଳିଛି। ଭାରତ ପାଇଁ ଏକମାତ୍ର ସାନ୍ତ୍ବନା ହେଉଛି ଏହି ଟେଷ୍ଟ୍ରେ ପ୍ରତ୍ୟାବର୍ତ୍ତନ କରିଥିବା ୱାସିଂଟନ୍ ସୁନ୍ଦର ୧୧ ୱିକେଟ୍ (୭/୫୯ ଓ ୪/୫୬) ଦଖଲ କରିଥିଲେ। ତାଙ୍କ ବ୍ୟାଟ୍ରୁ ମଧ୍ୟ ୩୯ ରନ୍ ମିଳିଥିଲା।

ଭାରତ ଶନିବାର ସକାଳେ ପଡ଼ିଆକୁ ଓହ୍ଲାଇବା ବେଳେ ନ୍ୟୁଜିଲାଣ୍ଡ୍ ନିକଟରେ ୩୦୦ରୁ ଊର୍ଧ୍ବ ରନ୍ ଅଗ୍ରଣୀ ଥିଲା। ହାତରେ ୫ ୱିକେଟ୍ ବି ଥିଲା। ଭାରତୀୟ ବୋଲର ଅବଶ୍ୟ ୨୪ ରନ୍ ଭିତରେ ଭ୍ରମଣକାରୀ ଦଳର ଶେଷ ୫ ୱିକେଟ୍ ଦଖଲ କରିନେଇଥିଲେ। ଅଶ୍ବିନ ଓ ଜାଡ଼େଜା ଏହି କାମ ତ କରି ନେଇଥିଲେ। କିନ୍ତୁ ଘରୋଇ ଦଳ ସମ୍ମୁଖରେ ପାହାଡ଼ ଭଳି ୩୫୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ବିପଜ୍ଜନକ ପିଚ୍ରେ ତିଷ୍ଠି ରହି ଖେଳିବା କଷ୍ଟକର ଥିବାରୁ ଯଶସ୍ବୀ ଜୟସ୍ବାଲ ବିସ୍ଫୋରକ ଆରମ୍ଭ କରିଥିଲେ। ୪୧ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ପରେ ୬୫ ବଲ୍ ଖେଳି ୭୭ ରନ୍ କରି ସାଣ୍ଟନର୍ଙ୍କ ଶିକାର ହୋଇଥିଲେ। ତାଙ୍କ ପୂର୍ବରୁ ରୋହିତ ଶର୍ମା ଓ ଶୁବମନ ଗିଲ୍ଙ୍କୁ ସାଣ୍ଟନର୍ ପ୍ୟାଭିଲିଅନ୍ ଫେରାଇ ସାରିଥିଲେ। ଋଷଭ ପନ୍ତ୍ଙ୍କ ଦୁର୍ଭାଜ୍ୟଜନକ ରନ୍ ଆଉଟ୍ ଏବଂ ବିରାଟ କୋହଲିଙ୍କ ଆଉ ଏକ ବିଫଳତା ଭାରତକୁ ପରାଜୟ ମୁହାଁ କରିଥିଲା।

ଭାରତ ୧ ୱିକେଟ୍ ହରାଇ ୯୬ ରନ୍ ସଂଗ୍ରହ କରିବା ପରେ କିଛିଟା ଆଶା ସଂଚାର ହୋଇଥିଲା। କିନ୍ତୁ ପୁଣି ସାଣ୍ଟନର୍ ତାଙ୍କ ଟର୍ଣ୍ଣ ଓ ବିବିଧତାରେ ଭାରତୀୟ ବ୍ୟାଟରଙ୍କୁ ଗୋଟିଏ ପରେ ଗୋଟିଏ ଶିକାର କରି ଖେଳ ଜୀବନର ସବୁଠାରୁ ସ୍ମରଣୀୟ କ୍ଷଣ ଅର୍ଜନ କରି ନେଇଥିଲେ। ଫଳରେ ତୃତୀୟ ଦିନ ଚା’ପାନ ବିରତି ପରେ ଭାରତ ପାଳି ୨୪୫ ରନ୍ରେ ଶେଷ ହୋଇଯିବାରୁ କିୱି ସେନା ୧୧୩ ରନ୍ରେ ବିଜୟ ସହ ଶୃଙ୍ଖଳା ବିଜୟ ପାଇଯାଇଥିଲା। ଶେଷ ଥର ପାଇଁ ୧୯୮୮ରେ ଭାରତ ବିପକ୍ଷରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଭାରତ ମାଟିରେ କିନ୍ତୁ ଏହା ନ୍ୟୁଜିଲାଣ୍ଡ୍ର ସର୍ବପ୍ରଥମ ଟେଷ୍ଟ୍ ଶୃଙ୍ଖଳା ବିଜୟ। ପୂର୍ବରୁ ୧୯୬୯ରେ ୧-୧ ଏବଂ ୨୦୦୩ରେ ୦-୦ରେ ଡ୍ର’ ରହିଥିଲା। ତୃତୀୟ ତଥା ଅନ୍ତିମ ଟେଷ୍ଟ୍ ୱାଙ୍ଖ୍ଡେରେ ତୃତୀୟ ତଥା ଅନ୍ତିମ ଟେଷ୍ଟ୍ ଖେଳାଯିବ।

ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ପ୍ରଥମ ପାଳି: ୨୫୯ (ଡେଭନ୍ କନୱେ ୭୬, ରାଚିନ ରବୀନ୍ଦ୍ର ୬୫, ମିଚେଲ ସାଣ୍ଟନର୍ ୩୩, ୱାସିଂଟନ୍ ସୁନ୍ଦର ୭/୫୯, ଆର୍ ଅଶ୍ବିନ ୩/୬୪)। ଭାରତ ପ୍ରଥମ ପାଳି: ୧୫୬ (ରବୀନ୍ଦ୍ର ଜାଡ଼େଜା-୩୮, ଶୁବମନ ଗିଲ୍-୩୦, ଯଶସ୍ବୀ ଜୟସ୍ବାଲ-୩୦, ଋଷଭ ପନ୍ତ୍-୧୮, ୱାସିଂଟନ୍ ସୁନ୍ଦର-୧୮*, ମିଚେଲ୍ ସାଣ୍ଟନର୍-୭/୫୩, ଗ୍ଲେନ୍ ଫିଲିପ୍ସ-୨/୨୬, ଟିମ୍ ସାଉଦି-୧/୧୮)। ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ପାଳି: ୬୯.୪ ଓଭରରେ ୨୫୫/୧୦ (ଟମ୍ ଲଥାମ-୮୬, ଟମ୍ ବ୍ଳଣ୍ଡେଲ୍-୪୧, ଗ୍ଲେନ୍ ଫିଲିପ୍ସ-୪୮*, ୱାସିଂଟନ୍ ସୁନ୍ଦର-୪/୫୬, ରବୀନ୍ଦ୍ର ଜାଡ଼େଜା-୩/୭୨, ରବିଚନ୍ଦ୍ରନ ଅଶ୍ବିନ-୨/୯୭)। ଭାରତ ଦ୍ବିତୀୟ ପାଳି: ୬୦.୨ ଓଭରରେ ୨୪୫/୧୦ (ଯଶସ୍ବୀ ଜୟସ୍ବାଲ-୭୭, ରବୀନ୍ଦ୍ର ଜାଡ଼େଜା-୪୨, ଶୁବମନ ଗିଲ୍-୨୩, ୱାସିଂଟନ୍ ସୁନ୍ଦର-୨୧, ମିଚେଲ୍ ସାଣ୍ଟନର୍-୬/୧୦୪, ଏଜାଜ ପଟେଲ୍-୨/୪୩, ଗ୍ଲେନ୍ ଫିଲିପ୍ସ-୧/୬୦)।

ଗୁଣ୍ଡାପ୍ପା, ଗାଭାସ୍କରଙ୍କୁ ଟପିଲେ ଯଶସ୍ବୀ
ଟେଷ୍ଟ୍ କ୍ରିକେଟ୍କୁ ଆସିବା ଦିନଠାରୁ ଯୁବ ଭାରତୀୟ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି। ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ରନ୍ ସଂଗ୍ରହରେ ସେ ଏବେ ଗୁଣ୍ଡାପ୍ପା ବିଶ୍ବନାଥ ଓ ସୁନୀଲ ଗାଭାସ୍କରଙ୍କ ୪୫ ବର୍ଷ ତଳର ଭାରତୀୟ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ବିଶ୍ବନାଥ ଓ ଗାଭାସ୍କର ୧୯୭୯ ମସିହାରେ ଯଥାକ୍ରମେ ୧୦୪୭ ଓ ୧୦୧୩ ରନ୍ ସଂଗ୍ରହ କରିଥିଲେ। ଜୟସ୍ବାଲ ୨୦୨୪ କ୍ୟାଲେଣ୍ଡର୍ ବର୍ଷରେ ଏ ପର୍ଯ୍ୟନ୍ତ ୧୦୫୬ ରନ୍ ସଂଗ୍ରହ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ୧୦୦୦ରୁ ଊର୍ଧ୍ବ ରନ୍ ସଂଗ୍ରହରେ ୨୨ ବର୍ଷୀୟ ଏହି ବାମହାତୀ ବ୍ୟାଟର୍ ବିଶ୍ବର ସପ୍ତମ ହୋଇଛନ୍ତି। ଅନ୍ୟ ୪ ଜଣ ହେଲେ ଗ୍ରାହାମ ଗୁଚ୍ (୧୦୫୮, ୧୯୯୦), ଜଷ୍ଟିନ୍ ଲାଙ୍ଗର୍ (୧୦୧୨, ୨୦୦୪), ମହମ୍ମଦ ୟୁସୁଫ୍ (୧୧୨୬, ୨୦୦୬) ଏବଂ ମାଇକେଲ୍ କ୍ଲାର୍କ (୧୪୦୭, ୨୦୧୨)। ୨୩ ବର୍ଷ ବୟସ ପୂର୍ଣ୍ଣ କରିବା ପୂର୍ବରୁ ଜୟସ୍ବାଲ ଏହି କ୍ଲବରେ ସାମିଲ ହେବାରେ ପ୍ରଥମ ଖେଳାଳି ମଧ୍ୟ ହୋଇଛନ୍ତି। ସେହିଭଳି ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ଟେଷ୍ଟ୍ କ୍ରିକେଟ୍ରେ ୩୦ରୁ ଊର୍ଧ୍ବ ଛକା ମାରିବାରେ ଜୟସ୍ବାଲ ପ୍ରଥମ ଭାରତୀୟ ଓ ଦ୍ବିତୀୟ ଖେଳାଳି ହୋଇଛନ୍ତି। ୨୦୧୪ରେ ନ୍ୟୁଜିଲାଣ୍ଡ୍ର ବ୍ରେଣ୍ଡନ୍ ମ୍ୟାକଲମ୍ ଏଭଳି କରିଥିଲେ।

ସାଣ୍ଟନର୍ଙ୍କ ‘କୋହଲି ଡବଲ୍’

ନ୍ୟୁଜିଲାଣ୍ଡ୍ର ମ୍ୟାଚ୍ ହିରୋ ମିଚେଲ ସାଣ୍ଟନର୍ ରାତାରାତି ଚର୍ଚ୍ଚାକୁ ଆସିଛନ୍ତି। ପୁଣେ ଟେଷ୍ଟ୍ରେ ୧୩ ୱିକେଟ୍ ଦଖଲ ଅବସରରେ ସେ ବିରାଟ କୋହଲିଙ୍କୁ ଉଭୟ ପାଳିରେ ଆଉଟ୍ କରି ବିରଳ ଡବଲ୍ ଅର୍ଜନ କରିଛନ୍ତି। ବିରାଟଙ୍କୁ ଗୋଟିଏ ଟେଷ୍ଟ୍ର ଉଭୟ ପାଳିରେ ଆଉଟ୍ କରିବାରେ ସେ ବିଶ୍ବର ପ୍ରଥମ ବାମହାତୀ ସ୍ପିନର୍ ହୋଇଛନ୍ତି। ସେହିଭଳି ଜୀବନରେ କେବେ ବି ଏକ ଟେଷ୍ଟ୍ ପାଳିରେ ୪ ୱିକେଟ୍ ସଫଳତା ପାଇନଥିବା ସାଣ୍ଟନର୍ ପ୍ରଥମ ନ୍ୟୁଜିଲାଣ୍ଡ୍ ଖେଳାଳି ଭାବେ ଭାରତ ମାଟିରେ ଉଭୟ ପାଳିରେ ୫ ୱିକେଟ୍ ସଫଳତା ଅର୍ଜନ କରିଛନ୍ତି। ଭାରତ ବିପକ୍ଷରେ ଭାରତ ମାଟିରେ ଜଣେ ସ୍ପିନର୍ ଭାବେ ଏଭଳି ସଫଳତା ପାଇବା ଶେଷ ଥର ପାଇଁ ୭ ବର୍ଷ ତଳେ ଦେଖିବାକୁ ମିଳିଥିଲା। ୨୦୧୭ରେ ସେହି ପୁଣେ ଟେଷ୍ଟ୍ରେ ଅଷ୍ଟ୍ରେଲିଆର ଷ୍ଟିଭ୍ ଓ’କିଫ୍ ୬/୩୫ ଚିତ୍ର ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button