ରାଜ୍ୟ

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ

ପୁରୀ: କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦଯୁକ୍ତ ଦ୍ବିତୀୟା ତିଥିରେ ଆଜି ଶ୍ରୀମନ୍ଦିରରେ ବଡ଼ଠାକୁର ବଳଭଦ୍ରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ହୋଇଥିଲା। ବହୁ ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଛନ୍ତି। ସକାଳ ୭ଟା ୫ରେ ଅବକାଶ ନୀତି ଶେଷ ପରେ ସକାଳ ୭ଟା ୧୦ରେ ମଇଲମ ନୀତି ବଢ଼ିଥିଲା।

ପରେ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ହରିହର ବେଶରେ ସଜାଯାଇଥିଲା। ସକାଳ ୮ଟା ୧୦ରେ ବେଶ ନୀତି ଆରମ୍ଭ ହୋଇଥିଲା। ବେଶ ଶେଷ ପରେ ବଡ଼ଠାକୁର ହରିହର ବେଶରେ ଦର୍ଶନ ଦେଇଥିଲେ।

କଳା, ଧଳା ବସ୍ତ୍ର ସହ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହେଲେ ବଳଭଦ୍ର

ଦୀପାବଳି ଅମାବାସ୍ୟା ପରଠାରୁ ଶୁକ୍ଳ ଦଶମୀ ତିଥି ମଧ୍ୟରେ ପଡ଼ୁଥିବା ପ୍ରତି ସୋମବାର ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି। ମହାକାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଠାକୁରମାନେ ବିଷ୍ଣୁଙ୍କୁ ୬ଟି ବେଶରେ ଦର୍ଶନ ଦେବେ। ସେଥିମଧ୍ୟରେ ହରିହର ବେଶ ଅନ୍ୟତମ। ଏହି ବେଶ ଶିବ ଓ ବିଷ୍ଣୁଙ୍କ ସମନ୍ବୟର ଆକାର। ଏଥିପାଇଁ ଆଜି ବଡ଼ଠାକୁର ବଳଭଦ୍ରଙ୍କୁ ବାସୁଦେବ ମନ୍ତ୍ରରେ ପୂଜା କରାଯିବା ସହ ଶ୍ରୀକଣ୍ଠ ବିନ୍ୟାସ କରାଯାଇଥିଲା। ସକାଳ ଧୂପ ପରେ ରାଧାଦାମୋଦର ବେଶ ନୀତି ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁସାରେ, ଶ୍ରୀବଳଭଦ୍ରଙ୍କ ଶ୍ରୀଅଙ୍ଗରେ ଅର୍ଦ୍ଧେକ ଶ୍ବେତବସ୍ତ୍ର ଲାଗି ହୋଇଥିବା ବେଳେ ବାକି ଅଧା କୃଷ୍ଣବସ୍ତ୍ରରେ ମଣ୍ଡିତ କରାଯାଇଥିଲା। ଧଳା ଓ କଳା, ଉଭୟ ବସ୍ତ୍ରରେ ବଡ଼ଠାକୁର ଶ୍ରୀବଳଭଦ୍ର ସୁସଜ୍ଜିତ ହୋଇଥିଲେ। ଶ୍ରୀଭୁଜରେ ସୁବର୍ଣ୍ଣ ନଳୀ ଭୁଜ, କର୍ଣ୍ଣରେ କୁଣ୍ଡଳ, କଟିରେ ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button