ରାଜ୍ୟ

ହକି ଭଳି ଓଡ଼ିଶା ଅନ୍ୟ ଖେଳକୁ ବଦଳାଉ: ବିଷ୍ଣୁ ବର୍ଦ୍ଧନ

ଭୁବନେଶ୍ବର(ସୁରେଶ ସ୍ବାଇଁ): ଆଇଟିଏଫ୍ ବିଶ୍ବ ଟୁର୍ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ପ୍ରତିଯୋଗିତା ମେନ୍ସ୨୫ ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଛି। ଏଥିରେ ଅଂଶଗ୍ରହଣ କରିବାକୁ ଭାରତର ଏକାଧିକ ଅଗ୍ରଣୀ ଖେଳାଳି ଆସିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୪ ଥରର ଜାତୀୟ ଚାମ୍ପିଅନ୍ ତଥା ଏସୀୟ କ୍ରୀଡ଼ା ଯୁଗଳ ପଦକ ବିଜେତା ବିଷ୍ଣୁ ବର୍ଦ୍ଧନ।

ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ପରବର୍ତ୍ତୀ ପିଢ଼ି ଭାବେ ଆଗକୁ ବଢ଼ିଥିବା ଏହି ସିକନ୍ଦରାବାଦ ଖେଳାଳି ଏକଦା ଭାରତକୁ ଡେଭିସ୍ କପ୍ ବିଶ୍ବ ଗ୍ରୁପ୍କୁ ନେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ତଥାପି ୩୭ ବର୍ଷୀୟ ବିଷ୍ଣୁଙ୍କ ଟେନିସ୍ କୋର୍ଟ ସଫଳତାର ତୃଷ୍ଣା କମିନାହିଁ। ଏଟିପି ମାନ୍ୟତାରେ ଆଗକୁ ବଢ଼ିବା ଲକ୍ଷ୍ୟରେ ପ୍ରଥମ ଥର ଓଡ଼ିଶା ଆସିଛନ୍ତି ଏହି ଲଣ୍ଡନ୍ ଅଲିମ୍ପିଆନ୍।

‘ଆଇଟିଏଫ୍ ମେନ୍ସ୨୫ ପ୍ରତିଯୋଗିତା ବହୁ ଗୁରୁତ୍ବପୂର୍ଣ୍ଣ। ଭାରତୀୟ ପେସାଦାର ଖେଳାଳିଙ୍କ ପାଇଁ ଅନ୍ତର୍ଜାତୀୟ ପଏଣ୍ଟ୍ ଅର୍ଜନ ସହ ଆକର୍ଷଣୀୟ ପୁରସ୍କାର ରାଶି ଜିତିବାକୁ ଏହା ବଡ଼ ସୁଯୋଗ ଦେଇଛି। କାରଣ ସୁମିତ ନଗଲଙ୍କ ବିନା ଅଧିକାଂଶ ଭାରତୀୟ ଖେଳାଳିଙ୍କ ମାନ୍ୟତା ୩୫୦ ଉପରେ ରହିଛି। କଡ଼ା ପ୍ରତିଯୋଗିତା ହୋଇଥିବାରୁ ମୁଁ ବି କିଛି ଆଶା ନେଇ ଆସିଛି’ ବୋଲି ‘ସମ୍ବାଦ’ ସହ କଥା ହେବାବେଳେ ପ୍ରକାଶ କରିଥିଲେ ବିଷ୍ଣୁ ବର୍ଦ୍ଧନ। ବ୍ୟକ୍ତିଗତ ଭାବେ ମୁଁ କିଛି ଗ୍ରାଣ୍ଡ୍ ସ୍ଲାମ୍ରେ ଭଲ ବିଜୟ ପାଇପାରିଥିଲେ ଖୁସି ହୋଇପାରିଥାନ୍ତି ବୋଲି ଏକଦା ୱିମ୍ବଲଡନ୍ ଦ୍ବିତୀୟ ରାଉଣ୍ଡ୍ ପହଞ୍ଚିଥିବା ବିଷ୍ଣୁ ଅବସୋସର ସହ ପ୍ରକାଶ କରିଥିଲେ। ଭାରତରେ ଟେନିସ୍ ସ୍ଥିତିକୁ ନେଇ ବିଷ୍ଣୁ ବିଶେଷ ଖୁସି ନଥିବା ପ୍ରତୀୟମାନ ହୋଇଥିଲା। ଭାରତୀୟ ଖେଳାଳି ଯୁଗଳ ବର୍ଗରେ ଭଲ ଖେଳୁଛନ୍ତି, କିନ୍ତୁ ଏକକରେ ଆମ ନିକଟରେ ଦକ୍ଷତା ଥିଲେ ବି ସଫଳତା ମିଳିପାରିନି। ଏ ଦିଗରେ ଅନେକ କିଛି କାର୍ଯ୍ୟ କରିବାର ଅଛି। ଜାତୀୟ ମହାସଂଘ ଭିତରେ ଥିବା ନକରାତ୍ମକ ଭାବନା ଦୂର ହେବା ଅତ୍ୟନ୍ତ ଜରୁରି। ଖେଳାଳି ଓ ମହାସଂଘ ମିଳିତ ଭାବେ କାର୍ଯ୍ୟକଲେ ଭାରତ ବହୁ ଆଗକୁ ବଢ଼ିପାରିଥାନ୍ତା। ପୂର୍ବତନ ଖେଳାଳିମାନଙ୍କୁ ନିଯୁକ୍ତ କରି ଯୁବ ଖେଳାଳିଙ୍କୁ ତାଲିମ ଦେବା ସହ ଏକ ବ୍ୟବସ୍ଥିତ କୋଚିଂ ପ୍ରୋଗ୍ରାମ୍ର ଆବଶ୍ୟକତା ରହିଛି ବୋଲି ବିଷ୍ଣୁ ପରାମର୍ଶ ଦେଇଥିଲେ।

ଓଡ଼ିଶାରେ ଗତବର୍ଷଠାରୁ କଳିଙ୍ଗ ଷ୍ଟାଡିୟମ୍ରେ ଗଢ଼ି ଉଠିଥିବା ଟେନିସ୍ ଭିତ୍ତିଭୂମି ଦେଖିବା ପରେ ବିଷ୍ଣୁ ଖୁସି ହୋଇଯାଇଛନ୍ତି। ଆମ ଯୁବାବସ୍ଥାରେ ଏଭଳି ଭିତ୍ତିଭୂମି ସୁବିଧା ସୁଯୋଗ ନଥିଲା। ମୁଁ ବିଦେଶ ଯିବା ପର୍ଯ୍ୟନ୍ତ ଏଭଳି ଭିତ୍ତିଭୂମି ଦେଖି ନଥିଲି। ଓଡ଼ିଶା ତ ହକିର ଗୌରବକୁ ଫେରାଇ ଆଣିଛି। ଏବେ ଅନ୍ୟ ଖେଳକୁ ବି ସମାନ ଧରଣର ସମର୍ଥନ କଲେ ଭଲ ହୁଅନ୍ତା। ଭୁବନେଶ୍ବର ଟେନିସ୍ ଭିତ୍ତିଭୂମି ଦେଖିବା ପରେ ମୋର ବଡ଼ ପ୍ରସ୍ତାବ ହେଉଛି ଏଠାରେ ଏକ ଜାତୀୟ ଟେନିସ୍ କେନ୍ଦ୍ର (ଏନ୍ଟିସି) ଖୋଲିଲେ ଏହା ଖେଳାଳିଙ୍କ ପାଇଁ ସବୁଠାରୁ ଉପଯୋଗୀ ହୁଅନ୍ତା। ଓଡ଼ିଶାରୁ ଉଭା ହେଉଥିବା କବିର ହଂସଙ୍କୁ ସେ ଉଚ୍ଚ ପ୍ରଶଂସା କରିଥିଲେ। କବିରଙ୍କ ନିକଟରେ ଭଲ ଫାୟାର ପାୱାର ରହିଛି ଏବଂ ମୁଁ ବି ତାଙ୍କ ବିପକ୍ଷରେ ଖେଳିଛି। କବିରଙ୍କୁ ଠିକଣା ସମର୍ଥନ ମିଳିଲେ ସେ ଭବିଷ୍ୟତରେ ବହୁ ଆଗକୁ ବଢ଼ିପାରିବେ ବୋଲି ମୋ ଦୃଢ଼ ବିଶ୍ବାସ ଥିବା ବିଷ୍ଣୁ ଶେଷରେ ପ୍ରକାଶ କରିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button