କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍-୨୦୨୫, ସମ୍ମାନଜନକ ସ୍ଥାନରେ “ସୋଆ’
ଭୁବନେଶ୍ୱର,୧୦/୧୧: ସମ୍ମାନଜନକ କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା(କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍-୨୦୨୫) ରେ ଚମକିଲା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ । ଅଞ୍ଚଳ ଭିତ୍ତିରେ ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି ।
ସେହିପରି ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ର୍ୟାଙ୍କିଙ୍ଗରେ ଆହ୍ଲାବାଦସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି(ଆଇଆଇଆଇଟି)ଠୁ ମଧ୍ୟ ଆଗରେ ରହିଛି ସୋଆ ।
ଦକ୍ଷିଣ ଏସିଆ ନିମନ୍ତେ ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ ସୋଆ ୨୦୨୪ରେ ୧୪୩ ତମ ସ୍ଥାନ ପାଇଥିବା ବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଞ୍ଚିଛି । ଏସିଆ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ ୨୦୨୪ରେ ସୋଆ ୫୦୧-୫୫୦ ବ୍ରାକେଟରେ ଥିବା ବେଳେ ୨୦୨୫ରେ ଏଥିରେ ଉପରକୁ ଉଠି ୨୭୮ତମ ସ୍ଥାନରେ ପହଞ୍ଚିଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ ୨୦୨୪ରେ ସୋଆ ୧୨୦୧-୧୪୦୦ ବ୍ରାକେଟରେ ଥିବାବେଳେ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ଏହି ସ୍ଥିତିକୁ ବଜାୟ ରଖିଛି ।
ସେହିପରି ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ୍ ଫ୍ରେମୱାର୍କ (ଏନଆଇଆରଏଫ୍) ର୍ୟାଙ୍କିଂ ୨୦୨୪ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଥିଲା । ୨୦୧୬ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ରେ ପ୍ରତିଥର ଦେଶର ଶ୍ରେଷ୍ଠ ୨୫ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନକୁ ସୁଦୃଢ଼ କରିପାରିଛି ସୋଆ ।