ରାଜ୍ୟ

ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ, ୧୩/୧୧ : ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଆଜି ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଏହା ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ। ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର ୨୦ତାରିଖରେ ୩୮ଟି ଆସନ ପାଇଁ ମତଦାନ ହେବ। ନଭେମ୍ବର ୨୩ରେ ମହାରାଷ୍ଟ୍ର ସହ ଫଳାଫଳ ପ୍ରକାଶ ପାଇବ।

ବର୍ତ୍ତମାନର ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ୨୦୨୫ ଜାନୁଆରୀ ୫ରେ ଶେଷ ହେଉଛି। ଭୋଟ୍ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ୯୫୦ଟି ବୁଥରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ୧୫,୩୪୪ଟି ମତଦାନ କେନ୍ଦ୍ର କରାଯାଇଛି।

ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୨୦୦ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋଟ ୬୮୩ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇବେ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୭୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୩ଟି ବିଧାନସଭା ଆସନ ମଧ୍ୟରୁ ୧୭ଟି ସାଧାରଣ ହୋଇଥିବା ବେଳେ ୨୦ଟି ଆସନ ଅନୁସୂଚିତ ଜନଜାତି ଓ ୬ଟି ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି।ଜାମସେଦପୁର ପୂର୍ବରେ ବିଜେପିର ପୂର୍ଣ୍ଣିମା ଦାସ କଂଗ୍ରେସର ଡାକ୍ତର ଅଜୟ କୁମାରଙ୍କ ସହ ମୁହାଁମୁହିଁ ହେବେ। ପୂର୍ଣ୍ଣିମା ରଘୁବର ଦାସଙ୍କ ବୋହୂ ହୋଇଥିବା ବେଳେ ଅଜୟ କୁମାର ଜଣେ ପୂର୍ବତନ ଆଇପିଏସ୍ ଅଧିକାରୀ ଏବଂ ଜାମସେଦପୁରରୁ ସାଂସଦ ଅଛନ୍ତି। କୋଡର୍ମା, ବରକଥା, ବାର୍ହି, ବରକାଗାଓଁ, ହଜାରୀବାଗ, ସିମାରିଆ, ଚତ୍ରା, ବାହାରଗୋରା, ଘାଟଶିଲା, ପୋଟ୍କା, ଯୁଗସଲାଇ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଇଚାଗଡ଼, ସରାଇକେଲା, ଚାଇବାସା, ମାଜାଗାଓଁ, ଜଗନ୍ନାଥପୁର, ମନୋହରପୁର, ଚକ୍ରଧରପୁର, ଖାରସାୱାନ, ତମାର, ତୋରପା, ଖୁଣ୍ଟି, ରାଞ୍ଚି, ହାତିଆ, କାଙ୍କେ, ମନ୍ଦାର, ସିସାଇ, ଗୁମଲା, ବିଶୁନପୁର, ସିମଡେଗା, କୋଲେବିରା, ଲୋହରଦଗା, ମଣିକା, ବାଲେବିରା, ଲୋହରଦଗା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ମତଦାନ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button