IBN ଓଡ଼ିଶା ବ୍ୟୁରୋ

ଜଟିଳ ହେଉଛି ମଣିପୁର ହିଂସା: ୨ ଜଣଙ୍କୁ ଜିଅନ୍ତା ଜାଳିଦେଲେ, ୬ ନିଖୋଜ

ଇମ୍ଫାଲ: ମଣିପୁର ହିଂସା ପୁଣି ତେଜିଛି। ଉଗ୍ରପନ୍ଥୀମାନେ ଗତରାତିରେ ମୈତେୟୀ ସଂପ୍ରଦାୟର ଦୁଇ ଜଣଙ୍କୁ ଜିଅନ୍ତା ଜାଳିଦେଇଛନ୍ତି ଏବଂ ଏହି ଘଟଣାରେ ୩ ଜଣ ମହିଳା ଓ ୩ ଶିଶୁ ନିଖୋଜ ଅଛନ୍ତି। ମଣିପୁରର ଜିରିବାମ ଜିଲ୍ଲାରେ କୁକି ଉଗ୍ରପନ୍ଥୀମାନେ ପୁଣି ଥରେ ଆତଙ୍କରାଜ ଆରମ୍ଭ କରି ସମଗ୍ର ଅଞ୍ଚଳକୁ ଅଶାନ୍ତ କରିଦେଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୧୧ ଉଗ୍ରପନ୍ଥୀ ନିପାତ ହୋଇଥିଲେ।

ତେବେ ଗତକାଲିଠାରୁ ୩ ଜଣ ମହିଳା ଏବଂ ୩ ଜଣ ଶିଶୁ ନିଖୋଜ ଥିବା ବେଳେ ଆଜି ଦୁଇ ଜଣଙ୍କ ଦଗ୍ଧୀଭୂତ ମୃତଦେହ ଠାବ ହୋଇଛି। ପୁଲିସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସୂଚନା ଦେଇଛି। ନିଖୋଜ ଶିଶୁ ଓ ମହିଳାଙ୍କୁ ଖୋଜିବାପାଇଁ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। ମଣିପୁରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆସାମ ରାଇଫଲ୍ସ, ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ସର୍ଚ୍ଚ୍ ଅପରେସନ୍ ଜାରି ରହିଛି। ପୁଲିସ ଅଧିକାରୀ କହିଛନ୍ତି, ଗତକାଲି ଠାରୁ ନିଖୋଜ ଥିବା ୧୩ ଜଣ ଲୋକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଛି। ୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ୬ ଜଣ ନିଖୋଜ ଅଛନ୍ତି। ମୃତ ୨ ଜଣ ବ୍ୟକ୍ତି ହେଉଛନ୍ତି ମୈତେୟୀ ସମ୍ପ୍ରଦାୟର ବରିଷ୍ଠ ନାଗରିକ। ଉଗ୍ରପନ୍ଥୀ ନିଆଁ ଲଗାଇ ଦେଇଥିବା ଏକ ଘରୁ ସେମାନଙ୍କ ମୃତଦେହ ମିଳିଛି।

ଉଲ୍ଲେଖଯୋଗ୍ୟ, ମଣିପୁରର ଜିରିବାମ୍ ଜିଲ୍ଲାରେ ସୋମବାର ସିଆର୍ପିଏଫ୍ ଯବାନଙ୍କ ସହ ଗୁଳିମାଡ଼ରେ ୧୧ ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀ ନିପାତ ହୋଇଥିଲେ। ଅନ୍ୟପକ୍ଷେ ଉଗ୍ରପନ୍ଥୀଙ୍କ ପକ୍ଷରୁ ହୋଇଥିବା ଗୁଳିମାଡ଼ରେ ୨ ଜଣ ସିଆର୍ପିଏଫ୍ ଯବାନ ମଧ୍ୟ ଆହତ ହୋଇଛନ୍ତି। ବୋରବେକ୍ରା ସବଡିଭିଜନ୍ ଅଧୀନ ଜାକୁରାଡ଼ର କାରୋଙ୍ଗରେ ସୁରକ୍ଷାକର୍ମୀ ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରଥମେ ସନ୍ଦିଗ୍ଧ କୁକି ଉଗପନ୍ଥୀମାନେ ଅପରାହ୍ନରେ ୨ ପାର୍ଶ୍ବରୁ ଜିରିବାମ ଥାନା ଉପରକୁ ଆକ୍ରମଣ କରିବାପରେ ଏନ୍କାଉଣ୍ଟର ଆରମ୍ଭ ହୋଇଥିଲା। ଥାନା ନିକଟରେ ଏକ ରିଲିଫ୍ ଶିବିର ମଧ୍ୟ ଥିଲା। ଉଲ୍ଲେଖଯୋଗ୍ୟ, ଜିରିବାମ୍ର ବୋରବେକ୍ରାରେ ଥିବା ଏହି ଥାନା ଉପରେ ଗତ କିଛି ମାସ ମଧ୍ୟରେ ଲଗାତାର ଆକ୍ରମଣ ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button