ଆଡିଲେଡ୍ରେ ‘ଗୋଲାପି’ ପରୀକ୍ଷା: ଅଷ୍ଟ୍ରେଲିଆ ଗଡ଼ ଦଖଲ ପାଇଁ ଭାରତ ପ୍ରସ୍ତୁତ
ଆଡିଲେଡ୍: ଆଡିଲେଡ୍ରେ ଶୁକ୍ରବାରଠାରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର୍ ଟ୍ରଫିର ଦ୍ବିତୀୟ ଟେଷ୍ଟ୍। ଦିବା-ରାତ୍ର ଭିତ୍ତିର ଏହି ମ୍ୟାଚ୍ ଗୋଲାପି ବଲ୍ରେ ଖେଳାଯିବ। ବହୁ ପ୍ରତୀକ୍ଷିତ ଗୋଲାପି ଟେଷ୍ଟ୍ ଲାଗି ଭାରତ ବି ପୂରା ପ୍ରସ୍ତୁତ ରହିଛି। ତେବେ ଗୋଲାପି ବଲ୍ରେ ଅଷ୍ଟ୍ରେଲିଆ ସବୁବେଳେ ଭଲ କରି ଆସୁଥିବାରୁ ଭାରତ ପାଇଁ ଏହା ମସ୍ତବଡ଼ ଆହ୍ବାନ ନେଇ ଆସିଛି। ତଥାପି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଥିବା ଭାରତୀୟ କ୍ରିକେଟ୍ ଦଳ କଙ୍ଗାରୁ ଦଳର ଅଭେଦ୍ୟ ଦୁର୍ଗ ଦଖଲ କରିବାକୁ ରଣନୀତି ପ୍ରସ୍ତୁତ କରି ସାରିଥିଲା ବେଳେ ଏଥିଲାଗି ଆବଶ୍ୟକ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରି ସାରିଛି। କେଉଁ ଅସ୍ତ୍ର କିଭଳି ଓ କେଉଁଠାରେ ବ୍ୟବହାର ହେବ, ସେ ନିଷ୍ପତ୍ତି ବି ନେଇସାରିଛି। ଅର୍ଥାତ୍ ବ୍ୟାଟିଂ ଓ ବୋଲିଂ ବାହିନୀରେ କିଏ କିଏ ରହିବେ, ତାହା ସ୍ଥିର ହୋଇ ସାରିଛି। ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିବା ପରେ ଦଳର ଆତ୍ମବିଶ୍ବାସ ଆହୁରି ବଢ଼ିଛି। କିନ୍ତୁ ଦଳରେ କିଛିଟା ପରିବର୍ତ୍ତନ ଅବଶ୍ୟମ୍ଭାବୀ ହୋଇଯାଇଛି। ପର୍ଥ ଟେଷ୍ଟ୍ରେ କେଏଲ୍ ରାହୁଲ ଓ ଯଶସ୍ବୀ ଜୟସ୍ବାଲ୍ ଓପନିଂ କରିଥିଲେ। ଆଡିଲେଡ୍ରେ ଏହି ଯୋଡ଼ି ପାଳି ଆରମ୍ଭ କରୁଛନ୍ତି ନା ରୋହିତ-ଯଶସ୍ବୀ ପାଳି ଆରମ୍ଭ କରି ରାହୁଲ ମଧ୍ୟକ୍ରମକୁ ଖସିବେ ତାହା ଭାରତୀୟ ଦଳ ସ୍ପଷ୍ଟ କରିନି। କାନବେରାରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍ରେ ରୋହିତ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିଥିଲେ। ରାହୁଲ-ଯଶସ୍ବୀ ପାଳି ଆରମ୍ଭ କରିଥିଲେ। ହେଲେ ସେହି ମ୍ୟାଚ୍ରେ ବିରାଟ କୋହଲି ଖେଳି ନଥିଲେ। ଏଣୁ ଆଡିଲେଡ୍ରେ ଭାରତର ଓପନିଂ ଯୋଡ଼ିଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ବୁଧବାର ରାହୁଲ ଦେଇଥିବା ସାକ୍ଷାତକାର ମଧ୍ୟ ସ୍ଥିତିକୁ ଆହୁରି ରହସ୍ୟମୟ କରିଛି। ରାହୁଲ କହିଛନ୍ତି, ଆଡିଲେଡ୍ରେ କିଏ ଓପନିଂ କରିବ, ସେ କଥା ମୁଁ ଜାଣିଛି ହେଲେ ମୋତେ ଚୁପ୍ ରହିବାକୁ କୁହାଯାଇଛି। ଏଣୁ ଆପଣ ମ୍ୟାଚ୍ ଯାଏ ଅପେକ୍ଷା କରନ୍ତୁ।
ସ୍ପିନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ
ଆଡିଲେଡ୍ ପିଚ୍ ସ୍ପିନରଙ୍କୁ ସୁଆଇବ। ସେଥିପାଇଁ ପିଚ୍ରେ କିଛି ଅତିରିକ୍ତ ଘାସ ଛାଡ଼ିଛୁ। ଏହା ଦ୍ବାରା ସ୍ପିନରମାନେ ବଲ୍ ଗ୍ରିପ୍ ଓ ବାଉନ୍ସ ପାଇବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ମୁଖ୍ୟ କୁରେଟର୍ ଡାମିଏନ୍ ହ୍ୟୁଗ୍। ଗୋଲାପି ବଲ୍ ଜଲ୍ଦି ଖରାପ ନହେବା ପିଚ୍ରେ ଘାସ ଛାଡ଼ିବାର ପ୍ରମୁଖ କାରଣ ବୋଲି ସଙ୍କେତ ଦେଇଛନ୍ତି ସେ। ‘‘ଆଡିଲେଡ୍ ଓଭାଲ ପିଚ୍ ପ୍ରଥମେ ପ୍ରଥମେ ପେସର୍କୁ ସହାୟତା କରିବ। ମ୍ୟାଚ୍ ଆଗେଇବା ସହ ସ୍ପିନର ନିର୍ଣ୍ଣାୟକ ଭୂମିକା ନେବେ। ପିଚ୍ରେ ପାଖାପାଖି ୬ ମିଲିମିଟରର ଘାସ ରହିଥିବାରୁ ଫ୍ଲଡ୍ ଲାଇଟ୍ରେ ବ୍ୟାଟିଂ କରିବା ସହଜ ହେବନି। ସବୁଦିଗରୁ ଏହି ମ୍ୟାଚ୍ ହିଟ୍ ହେଉ ବୋଲି ଆମେ ଚାହୁଛୁ। ସେଥିପାଇଁ ଦିନରାତି କାମ କରୁଛୁ। ପର୍ଥରେ ଯେଭଳି ସମୟ ଗଡ଼ିବା ସହ ବ୍ୟାଟିଂ ସହଜ ହୋଇ ଯାଇଥିଲା ଏବଂ ମ୍ୟାଚ୍ ଚାରି ଦିନରେ ଶେଷ ହୋଇଯାଇଥିଲା, ସେହିଭଳି ଲକ୍ଷ୍ୟ ଓ ଯୋଜନା ଆମେ ରଖିଛୁ’’ ବୋଲି କହିଛନ୍ତି ହ୍ୟୁଗ୍। ୨୦୨୦ ଗସ୍ତରେ ଭାରତୀୟ ଦଳ ଆଡିଲେଡ୍ ଓଭାଲରେ ମାତ୍ର ୩୬ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ଏଥର ମଧ୍ୟ ସେହି ଭୂତ ଭାରତୀୟ ଦଳର ପିଛା କରିବ ବୋଲି ପରୋକ୍ଷରେ ଚେତାବନୀ ଦେଇଥିଲେ ସେ।
ଦ୍ରାବିଡ଼ଙ୍କ ପାଇଁ ଭାରତ ରଚିଥିଲା ଇତିହାସ
ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଅନେକ ମ୍ୟାଚ୍ରେ ଭାରତକୁ ବିଜୟୀ କରାଇଛନ୍ତି। ତେବେ ୨୦ବର୍ଷ ତଳେ ଅର୍ଥାତ୍ ୨୦୦୩ରେ ଆଡିଲେଡ୍ରେ ସେ କରିଥିବା ୨୩୩ ରନ୍ ଆଜି ବି ପ୍ରଶଂସକଙ୍କ ପ୍ରିୟ ପାଳି ହୋଇ ରହିଛି। ସେହି ଗସ୍ତରେ ଭାରତ-ଅଷ୍ଟ୍ରେଲିଆ ଆଡିଲେଡ୍ ମ୍ୟାଚ୍ରେ ଦ୍ରାବିଡ଼ ପ୍ରଥମ ପାଳିରେ ଦ୍ବିଶତକ ଅର୍ଜନ କରିବା ପରେ ଦ୍ବିତୀୟରେ ୭୨ ଅପରାଜିତ ରନ୍ କରିିଥିଲେ। ଫଳରେ ଭାରତ (୫୨୩, ୨୩୩/୬) ୨୦୦୩ ମସିହା ଡିସେମ୍ବର ୧୬ ତାରିଖରେ ନୂଆ ଇତିହାସ ରଚି ୨୨ବର୍ଷ ପରେ ଅଷ୍ଟ୍ରେଲିଆ (୫୫୬, ୧୯୬) ମାଟିରେ କୌଣସି ଟେଷ୍ଟ୍ ଜିତିବାର ବହୁ ପ୍ରତୀକ୍ଷତ ଗୌରବ ପାଇଥିଲା। ଅଷ୍ଟ୍ରେଲିଆ ପ୍ରଥମ ପାଳି ସ୍କୋର୍ ଜବାବରେ ଭାରତ ମାତ୍ର ୮୫ ରନ୍ରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଦ୍ରାବିଡ଼ ଦ୍ବିଶତକ ଏବଂ ଭିଭିଏସ୍ ଲକ୍ଷ୍ମଣ ୧୪୮ ରନ୍ କରି ଭାରତକୁ ରକ୍ଷା କରିଥିଲେ। ସେହି ଗସ୍ତର ଶୃଙ୍ଖଳାକୁ ଭାରତ ୧-୧ରେ ଅମୀମାଂସିତ ରଖିଥିଲା। ତେବେ ଅଷ୍ଟ୍ରେଲିଆରେ ସାହସିକ କ୍ରିକେଟ୍ ଖେଳିବାର ଧାରା ସମ୍ଭବତଃ ସେଠାରୁ ହିଁ ଆରମ୍ଭ ହୋଇଥିଲା।
ପ୍ରଶଂସକଙ୍କ ଅସଭ୍ୟ ଟିପ୍ପଣୀ, ଭାରତୀୟ ଖେଳାଳି କ୍ଷୁବ୍ଧ
ଭାରତୀୟ ଖେଳାଳିଙ୍କ ଅଭ୍ୟାସ ଦେଖିବାକୁ ଆଡିଲେଡ୍ ପ୍ରଶଂସକଙ୍କୁ ଏବେ ଆଉ ଅନୁମତି ମିଳିବନି। କାରଣ ବୁଧବାର ଭାରତୀୟ ଦଳର ଅଭ୍ୟାସ ବେଳେ ସେମାନେ ଲଗାତାର ଅସଭ୍ୟ ଟିପ୍ପଣୀ ଦେବା ଭଳି ଘଟଣା ଘଟିଥିଲା। ସୂଚନା ଅନୁସାରେ ଆଡିଲେଡ୍ ଓଭାଲରେ ଘରୋଇ ଅଷ୍ଟ୍ରେଲିଆ ଦଳର ଅଭ୍ୟାସ ଦେଖିବାକୁ ହାତଗଣତି ପ୍ରଶଂସକ ଏକାଠି ହୋଇଥିଲେ। କିନ୍ତୁ ଭାରତୀୟ ଦଳର ଅଭ୍ୟାସ ଦେଖିବାକୁ ହଠାତ୍ ହଜାରହଜାର କ୍ରିକେଟ୍ପ୍ରେମୀ ରୁଣ୍ଡ ହୋଇଥିଲେ। ଅଧିକାଂଶ ସମର୍ଥକ ଶୃଙ୍ଖଳାର ସହ ଭାରତୀୟ ଦଳର ଅଭ୍ୟାସ ଦେଖିଥିଲେ। ତେବେ ନେଟ୍ସ ନିକଟରେ ଥିବା କିଛି ଦର୍ଶକ ଭାରତୀୟ ଖେଳାଳିଙ୍କ ଧ୍ୟାନ ଭଗ୍ନ କରିବାକୁ ରୀତିମତ ପ୍ରୟାସ କରିଥିଲେ। ସେମାନେ ରୋହିତ ଶର୍ମା ଓ ଋଷଭ ପନ୍ତଙ୍କୁ ଛକା ମାରିବାକୁ କହିଥିଲେ। ଏଥିଲାଗି କୋହଲି ଓ ଗିଲ୍ଙ୍କ ଅଭ୍ୟାସରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିଲା। କିଛି ପ୍ରଶଂସକ ଭାରତୀୟ ଖେଳାଳିଙ୍କ ଅଭ୍ୟାସର ଫେସବୁକ୍ ଲାଇଭ୍ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଜଣେ ଭାରତୀୟ ଖେଳାଳିଙ୍କ ଶରୀରକୁ ନେଇ ମଧ୍ୟ କିଛି ପ୍ରଶଂସକ ଏଣୁତେଣୁ କହିଥିଲେ। ଯାହା ଭାରତୀୟ ଖେଳାଳିଙ୍କୁ କ୍ଷୁବ୍ଧ କରିଥିଲା।
ଟସ୍ ଜିତିଲେ ପ୍ରଥମେ ବ୍ୟାଟିଂ
ଗୋଲାପି ବଲ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆ ପାରମ୍ପରିକ ଭାବେ ଆଧିପତ୍ୟ ବିସ୍ତାର କରି ଆସିଛି। କଙ୍ଗାରୁ ଦଳ ଖେଳିଥିବା ଗୋଲାପି ବଲ୍ ଟେଷ୍ଟ୍ରୁ ୭ଟିରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଛି। ୪୦୦ରୁ ଅଧିକ ରନ୍ କରି ପ୍ରତିପକ୍ଷକୁ ଚାପରେ ପକାଇ ବିଜୟୀ ହୋଇଛି। ତେବେ ୨୦୨୦ରେ ଭାରତ ଏକମାତ୍ର ଦଳ ଭାବେ ପ୍ରଥମ ପାଳି ଅଗ୍ରଣୀ ଲାଭ କରିବା ସତ୍ତ୍ବେ ମ୍ୟାଚ୍ ହାରିଥିଲା। କାରଣ ଭାରତୀୟ ଦଳ ତାର ଦ୍ବିତୀୟ ପାଳିରେ ଲଜ୍ଜାଜନକ ଭାବେ ୩୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଗୋଲାପି ବଲ୍ ଟେଷ୍ଟ୍ରେ ନୂ୍ଆ ବଲ୍ ସବୁବେଳେ ବ୍ୟାଟର୍ଙ୍କୁ ପରୀକ୍ଷାରେ ପକାଇଥାଏ। ପ୍ରତ୍ୟେକ ଦିନ ଖେଳର ଅନ୍ତିମ ଅଧିବେଶନ ହିଁ ଜୟ/ପରାଜୟ ନିର୍ଣ୍ଣୟ କରିଥାଏ। ଗୋଲାପି ବଲ୍ ଟେଷ୍ଟ୍ରେ ଅଷ୍ଟ୍ରେଲିଆର ମାର୍ନସ୍ ଲବୁସାନ ସର୍ବାଧିକ ରନ୍ କରିଛନ୍ତି। ୧୪ ପାଳିରୁ ସେ ୬୩.୮୫ ହାରରେ ୮୮୯ ରନ୍ କରିଛନ୍ତି। ସେହିଭଳି ମିଚେଲ ଷ୍ଟାର୍କ ଏକମାତ୍ର ବୋଲର୍ ଭାବେ ଗୋଲାପି ବଲ୍ ଟେଷ୍ଟ୍ରେ ୫୦ରୁ ଅଧିକ ୱିକେଟ୍ ନେଇଛନ୍ତି। ୬୬ ୱିକେଟ୍ ନେଇ ଏହି କ୍ରମରେ ସେ ପ୍ରଥମ ସ୍ଥାନରେ ରହିଥିଲା ବେଳେ ଅନ୍ୟତମ ଅଷ୍ଟ୍ରେଲୀୟ ଜୋସ୍ ହାଜେଲଉଡ୍ (୩୭) ଦ୍ବିତୀୟ ଏବଂ ପ୍ୟାଟ୍ କମିନ୍ସ (୩୪) ତୃତୀୟ ସ୍ଥାନରେ ରହିଛନ୍ତି।