ରାଜ୍ୟ

ପ୍ରତି ମିନିଟ୍‌ରେ ଶିଳ୍ପ ଶୋଷୁଛି ୨ଲକ୍ଷ ଲିଟର ପାଣି: ଶୁଖିଯିବ ବ୍ରାହ୍ମଣୀ, ଖରସ୍ରୋତା!

ମହାନଦୀ ଭଳି ଦଶା ଭୋଗିବାକୁ ଯାଉଛି ଓଡ଼ିଶାର ଦ୍ବିତୀୟ ବୃହତ୍‌ ନଦୀ ବ୍ରାହ୍ମଣୀ ଓ ଏହାର ଶାଖା ନଦୀ ଖରସ୍ରୋତା। ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଗଢ଼ି ଉଠିଥିବା ଶିଳ୍ପସଂସ୍ଥା ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରଚୁର ପାଣି ଏହି ଦୁଇନଦୀରୁ ଯୋଗାଣ ହେଉଛି। ଫଳରେ ଦୁଇନଦୀର ତଳମୁଣ୍ଡରେ ଗତ କିଛିବର୍ଷ ହେଲା ଉତ୍କଟ ଜଳ ସଙ୍କଟ ଦେଖାଦେଉଛି। ଜଳ ଗଚ୍ଛିତ ପାଇଁ ଆବଶ୍ୟକ ବ୍ୟାରେଜ୍ ନଥିବାରୁ ଯାଜପୁର ଜିଲ୍ଲାର ୬ଟି ବ୍ଲକ୍‌ ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ବ୍ଲକ୍‌ ଏହି କାରଣରୁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ବର୍ଷା ଋତୁରେ ମାସ ଦୁଇଟା ଛାଡ଼ିଦେଲେ ପ୍ରାୟ ୧୦ ମାସ ଏହି ଦୁଇନଦୀର ତଳମୁଣ୍ଡରେ ପାଣିଧାର ଦେଖିବାକୁ ମିଳୁନି। ଗାଧୋଇବା ଦୂରେ ଥାଉ, ବ୍ରାହ୍ମଣୀର ଜେନାପୁରଠାରୁ ତଳମୁଣ୍ଡ ଓ ଖରସ୍ରୋତାର ଯୋକଡ଼ିଆଠାରୁ ତଳମୁଣ୍ଡରେ ଶୌଚ ହେବା ପାଇଁ ପାଣି ଟୋପେ ରହୁନି। କଳିଙ୍ଗନଗରର ବୃହତ୍‌ ଶିଳ୍ପସଂସ୍ଥା ଏହି ଦୁଇନଦୀରୁ ପ୍ରତି ସେକେଣ୍ଡରେ ୧୧୦ କ୍ୟୁସେକ୍‌ ପାଣି ଶୋଷୁଛନ୍ତି। ଅର୍ଥାତ ପ୍ରତି ମିନିଟ୍‌ରେ ଦୁଇ ନଦୀରୁ ୨ଲକ୍ଷ ଲିଟର ପାଣି ଉଠାଯାଉଛି। ଶିଳ୍ପସଂସ୍ଥା ମାତ୍ରାଧିକ ଜଳ ଉତ୍ତୋଳନ କରୁଥିବାରୁ ଆଗାମୀ ଦିନରେ ଏହି ଦୁଇନଦୀରେ ଭୟଙ୍କର ଜଳ ସଙ୍କଟ ଦେଖାଦେବ ବୋଲି ପରିବେଶବିତ୍‌ମାନେ ଆଶଙ୍କା କରିଛନ୍ତି।

ଏପଟେ ଯୋକଡ଼ିଆଠାରେ ପ୍ରସ୍ତାବିତ ବ୍ୟାରେଜ୍‌ ଆରମ୍ଭ ହୋଇପାରୁନାହିଁ। ଦୀର୍ଘ ୨୦ ବର୍ଷ ହେଲା ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ଘଟିନାହିଁ। ଏଭଳି ସ୍ଥିତିରେ ଏହି ଦୁଇନଦୀର ଅବବାହିକାରେ ରହୁଥିବା ଲୋକଙ୍କ ଚାଷଜମିକୁ ପାଣି ମିଳୁନି। ସେହିଭଳି କଳିଙ୍ଗନଗର ଶିଳ୍ପସଂସ୍ଥାରୁ ବାହାରୁଥିବା ରାସାୟନିକ ବର୍ଜ୍ୟ ମଧ୍ୟ ସିଧାସଳଖ ଗଣ୍ଡାନାଳ ଦେଇ ଖରସ୍ରୋତାରେ ମିଶୁଛି। ଫଳରେ ନଦୀଜଳ ଏବେ ପାନୀୟ ଅନୁପଯୋଗୀ ହୋଇପଡ଼ିଛି।

ଶୁଖିଯିବ ବ୍ରାହ୍ମଣୀ, ଖରସ୍ରୋତା!/ମହାନଦୀ ଦଶା ଭୋଗିବେ ଦୁଇ ନଦୀ, ୨୦ ବର୍ଷ ହେଲା ଅନିଶ୍ଚିତତାରେ ଯୋକଡ଼ିଆ ବ୍ୟାରେଜ୍‌

କଳିଙ୍ଗନଗରରେ ୧୦ରୁ ଅଧିକ ବୃହତ୍‌ ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ଏଥିରୁ ଏକାଧିକ ବୃହତ୍‌ ଇସ୍ପାତ କାରଖାନା ରହିଛି। ଏଥିପାଇଁ ଆବଶ୍ୟକ ପାଣି ବ୍ରାହ୍ମଣୀ ଓ ଖରସ୍ରୋତାରୁ ଯୋଗାଣ କରାଯାଉଛି। ବ୍ରାହ୍ମଣୀ ନଦୀର ପଙ୍କପାଳଠାରେ ଓ ଖରସ୍ରୋତା ନଦୀ ନିକଟ ମାର୍ଥାପୁରଠାରେ ଶିଳ୍ପସଂସ୍ଥା ପକ୍ଷରୁ ଆଉ ଏକ ବୃହତ୍‌ ପମ୍ପ ହାଉସ୍‌ ନିର୍ମାଣ କରାଯାଇଛି। ଏହି ଦୁଇ ପମ୍ପ ହାଉସ୍‌ରୁ କଳିଙ୍ଗନଗର ଶିଳ୍ପସଂସ୍ଥାଗୁଡ଼ିକ ହାରାହାରି ପ୍ରତି ସେକେଣ୍ଡରେ ୧୧୦ କ୍ୟୁସେକ୍‌ ପାଣି ନେଉଛନ୍ତି। ଅର୍ଥାତ ପ୍ରତି ସେକେଣ୍ଡରେ ୩ ହଜାର ଲିଟର ଏବଂ ପ୍ରତି ମିନିଟ୍‌ରେ ୧ଲକ୍ଷ ୮୦ ହଜାର ଲିଟର ପାଣି ଯୋଗାଣ ହେଉଛି। ଯାହା ଏବେ ଉଭୟ ନଦୀ ପାଇଁ ବିପଦକୁ ଡାକି ଆଣିଛି। ବ୍ରାହ୍ମଣୀ ନଦୀ ଓ ଖରସ୍ରୋତାର ତଳମୁଣ୍ଡରେ ଏବେ ନଦୀର ଜଳଧାର ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷରେ ମାର୍ଥାପୁର ଓ ବ୍ରାହ୍ମଣ ଗାଁଠାରେ ଆଉ ଦୁଇଟି ପମ୍ପ ହାଉସ୍‌ ନିର୍ମାଣ କରାଯାଇଥିବା ବେଳେ ଏଠାରୁ ଜଳ ଉତ୍ତୋଳନ ହୋଇନାହିଁ। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଏକାଧିକ ସ୍ଥାନରେ ରାଜ୍ୟ ସରକାର ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି। ଯାଜପୁର ଜିଲ୍ଲାର ବ୍ୟାସନଗର ସହରକୁ ଜଳ ଯୋଗାଣ ପାଇଁ ଯୋକଡ଼ିଆଠାରେ ଏକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ବ୍ରାହ୍ମଣୀ ନଦୀର ଦୁଇଟି ସ୍ଥାନରେ ମଧ୍ୟ ବୃହତ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଉଛି। ସ୍ଥାନୀୟ ଚାଷୀମାନେ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ ହେବା ପରେ ବ୍ରାହ୍ମଣୀ, ଖରସ୍ରୋତାରେ ୨୦୦୮ ପରେ ଆଉ ବଡ଼ ବନ୍ୟା ଦେଖିବାକୁ ମିଳିନି। ସେଠାରେ ଭୂଇଁ ଟାଙ୍ଗରା ହୋଇଗଲାଣି। କଳିଙ୍ଗନଗର ଶିଳ୍ପସଂସ୍ଥାକୁ କେତେ ପାଣି ଯିବ, ଚାଷ ପାଇଁ କେତେ ରହିବ; ତା’ର ଯୋଜନା କରିବା ସହିତ ଯୋକଡ଼ିଆ ଓ ଜେନାପୁରଠାରେ ବ୍ୟାରେଜ୍‌ ନିର୍ମାଣ କରିବାକୁ ଦାବି ହୋଇଛି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button