ରାଜ୍ୟ

ମର୍ସିଡିଜ୍‌ରୁ ୧୦ ଲକ୍ଷ ଜବତ ମାମଲା: ବନ୍ଧାହେଲେ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ର ଜିଜିଏମ୍‌

ଭୁବନେଶ୍ବର: ଶନିବାର ରାତିରେ ଭୁବନେଶ୍ବରରୁ ଜବତ କରିଥିବା ୧୦ ଲକ୍ଷ ଟଙ୍କା ମାମଲାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ସିବିଆଇ ଟିମ୍‌। କେନ୍ଦ୍ର ସରକାରଙ୍କ ହେଭି ଇଣ୍ଡଷ୍ଟ୍ରି ବିଭାଗ ଅଧୀନସ୍ଥ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ ଭୁବନେଶ୍ବର ଅଫିସ୍‌ର ଗ୍ରୁପ୍‌ ଜେନେରାଲ୍‌ ମ୍ୟାନେଜର୍‌ (ଜିଜିଏମ୍‌) ଚଞ୍ଚଲ୍‌ ମୁଖାର୍ଜୀ ଏହି ୧୦ ଲକ୍ଷ ଟଙ୍କା ଲାଞ୍ଚ ଆକାରରେ ନେଉଥିବା ବେଳେ ସିବିଆଇ ଟିମ୍‌ ଧରିଛି। ବକେୟା ବିଲ୍‌ ପ୍ରଦାନ କରିବାକୁ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ କନ୍‌ଷ୍ଟ୍ରକ୍‌ସନ୍‌ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣା ଏହି ଲାଞ୍ଚ ଦେଉଥିଲେ। ଆଦିତ୍ୟଦେବ ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ଦେବଦତ୍ତ ମହାପାତ୍ର ଏହି ଲାଞ୍ଚ ଦେଣନେଣ କାରବାରର ମଧ୍ୟସ୍ଥତା କରୁଥିଲେ। ତେଣୁ ଏହି ମାମଲାରେ ସିବିଆଇ ଚଞ୍ଚଲ୍‌ ମୁଖାର୍ଜୀଙ୍କ ସହ ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ଗିରଫ କରିଛି। ତିନି ଅଭିଯୁକ୍ତଙ୍କୁ ଆଜି ସିବିଆଇ ସ୍ବତନ୍ତ୍ର କୋର୍ଟରେ ହାଜର କରାଇବା ପରେ ସିବିଆଇ ଟିମ୍‌ ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ୩ଦିନିଆ ରିମାଣ୍ଡରେ ନେଇଛି। ଏହି ମାମଲାରେ ସିବିଆଇ ମଧ୍ୟ ସନ୍ତୋଷଙ୍କ ବାପା ଠିକାଦାର ମନମୋହନ ମହାରଣାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଲାଞ୍ଚଦାତା ଓ ମଧ୍ୟସ୍ଥିଙ୍କୁ ବି ବାନ୍ଧିଲା ସିବିଆଇ
୩ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ସିବିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍ କନ୍‌ଷ୍ଟ୍ରକସନ୍‌ ସଂସ୍ଥାର ଏମ୍‌ଡି ତଥା ଠିକାଦାର ମନମୋହନ ମହାରଣା ବ୍ରିଜ୍ ଆଣ୍ଡ୍‌ ରୁଫ୍ କର୍ପୋରେସନ୍‌ ଲିମିଟେଡ୍‌ରୁ ବକେୟା ବିଲ୍‌ ପାଇବାର ଥିଲା। ଏହି ବିଲ୍‌ ପାଇବା ପାଇଁ ଓ ଅନ୍ୟ ଏକ ଠିକା କାମ ଦେବା ପାଇଁ ଜିଜିଏମ୍‌ ଚଞ୍ଚଲ୍‌ ମୁଖାର୍ଜୀ ଲାଞ୍ଚ ଆକାରରେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ୬ ତାରିଖ ଦିନ ଠିକାସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ମନମୋହନଙ୍କ ପୁଅ ସନ୍ତୋଷ ଭୁବନେଶ୍ବର ରାମନ୍ଦିର ନିକଟ ବ୍ରିଜ୍‌ ଆଣ୍ଡ ରୁଫ୍ କର୍ପୋରେସନ୍‌ ଅଫିସ୍‌କୁ ଯାଇ ଜିଜିଏମ୍ ଚଞ୍ଚଲ ମୁଖାର୍ଜୀଙ୍କୁ ଭେଟିଥିଲେ। ମିଡ୍‌ଲମ୍ୟାନ୍‌ ହିସାବରେ ଦେବଦତ୍ତ ମଧ୍ୟ ଅଫିସ୍‌କୁ ଯାଇଥିଲେ। ଟଙ୍କା ଦେଣନେଣ ପାଇଁ ଏକ ପଞ୍ଚତାରକା ହୋଟେଲ୍‌କୁ ଭେନ୍ୟୁ ଭାବେ ନିଆଯାଇଥିଲା। ନିଷ୍ପତ୍ତି ଅନୁସାରେ ୭ ତାରିଖ ରାତିରେ ସନ୍ତୋଷ ତାଙ୍କ କ୍ରେଟା ଗାଡ଼ିରେ ଟଙ୍କା ଧରି ଧାର୍ଯ୍ୟ ସ୍ଥାନରେ ପହଞ୍ଚିଥିଲେ। ପଛେପଛେ ଦେବଦତ୍ତଙ୍କ ମର୍ସିଡିଜ୍‌ କାର୍‌ରେ ଚଞ୍ଚଲ୍‌ ମୁଖାର୍ଜୀ ସେଠାରେ ପହଞ୍ଚିଥିଲେ। କିନ୍ତୁ ପୂର୍ବରୁ ଏସବୁ ମାମଲାର ପୂରା ବିବରଣୀ ଦିଲ୍ଲୀ ସିବିଆଇ ନିକଟରେ ପହଞ୍ଚି ସାରିଥିଲା। ତେଣୁ ଗତକାଲି ସକାଳୁ ଦିଲ୍ଲୀ ସିବିଆଇର ଏକ ଟିମ୍‌ ଭୁବନେଶ୍ବରରେ ଡେରା ପକାଇଥିଲା। ବିବରଣୀ ଅନୁସାରେ ସିବିଆଇ ଟିମ୍‌ ଗତକାଲି ସନ୍ଧ୍ୟାରୁ ହୋଟେଲ୍‌ ମେ ଫେୟାର୍‌ ନିକଟରେ ଜାଲ ବିଛାଇ ବସିଥିଲା। ତେଣୁ ଗାଡ଼ି ଦୁଇଟି ସେଠାରେ ପହଞ୍ଚିବା ମାତ୍ରେ ସିବିଆଇ ଟିମ୍‌ ଘେରିଯାଇଥିଲା।

ଆଜି ସିବିଆଇ ଟିମ୍‌ ରାମମନ୍ଦିର ନିକଟ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ କାର୍ଯ୍ୟାଳୟରେ ପହଞ୍ଚି ଜିଜିଏମ୍‌ ଶ୍ରୀ ମୁଖାର୍ଜୀଙ୍କ ଚାମ୍ବରରେ ଛାନ୍‌ଭିନ୍‌ ଚଳାଇଥିଲା। ସେଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡପତ୍ର ଜବତ କରିଛି। ପେଣ୍ଟା ଏ ଷ୍ଟୁଡିଓ କନ୍‌ଷ୍ଟ୍ରକ୍‌ସନ୍‌ ସଂସ୍ଥାର ଠିକା କାମ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ସେହିଭଳି ସିବିଆଇ ଟିମ୍‌ ଆଜି ଗଞ୍ଜାମ ଜୟଶ୍ରୀ ଛକସ୍ଥିତ ଠିକାଦାର ମନମୋହନଙ୍କ ଘରେ ଚଢ଼ଉ କରି କିଛି କାଗଜପତ୍ର ଜବତ କରିଛି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button