ରାଜ୍ୟ

ଗର୍ଭବତୀଙ୍କୁ ଗୁଳିକରି ହତ୍ୟା

ବଣାଇଗଡ଼: ବର୍ଷକ ତଳେ ବାହାଘର ହୋଇଥିଲା। ନିଜ ସ୍ବପ୍ନର ସଂସାରକୁ ଭଲ ଭାବେ ଆଖି ପୂରାଇ ଦେଖି ବି ନଥିଲେ। ସେଥିରେ ପୁଣି ଥିଲେ ୭ମାସର ଗର୍ଭବତୀ। କିନ୍ତୁ ସୀମା ଟପିଗଲା ଲୁଟେରାଙ୍କ ବର୍ବରତା। ଘର ଲୁଟିବାକୁ ଆସି ତାଙ୍କୁ ଗୁଳି ମାରିଦେଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ଝିର୍ଡ଼ାପାଲି ଗାଁ’ରେ। ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଝିର୍ଡ଼ାପାଲିର ଦେବେନ ବେହେରାଙ୍କ ଘରେ ଦୁର୍ବୃତ୍ତମାନେ କବାଟ ବାଡ଼େଇଥିଲେ। ନିଜ ଲୋକ କେହି ଡାକୁଥିବେ ଭାବି ଦେବେନଙ୍କ ସ୍ତ୍ରୀ ସୀମାମୟୀ (୩୦) କବାଟ ଖୋଲିଥିଲେ। ହେଲେ ବାହାରେ ଛିଡ଼ା ହୋଇଥିବା ଆତତାୟୀ ସେ ପିନ୍ଧିଥିବା ସୁନାଚେନ୍‌କୁ ଟାଣି ନେଇଥିଲେ। ଏହି ଅତର୍କିତ ଘଟଣାରେ ଘାବରେଇ ଯାଇ ସୀମାମୟୀ ପାଟି କରିବାରୁ ଲୁଟେରାମାନେ ଖୁବ୍‌ ନିକଟରୁ ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଗୁଳି ଶବ୍ଦ ଶୁଣି ଘରେ ଶୋଇଥିବା ସ୍ବାମୀ ଦେବେନ ଉଠି ପଡ଼ିଥିଲେ। ଦେଖିଲା ବେଳକୁ ଘରସାରା ଧୂଆଁମୟ ହୋଇ ଯାଇଥିଲା। ନିଜ ସ୍ତ୍ରୀ’ଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନଥିଲେ। ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀ ତଳେ ପଡ଼ିଥିବା ଓ ବାହାରେ କେହି ଦୌଡ଼ି ପଳାଇଯିବା ଦେବେନ ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଘରଲୋକଙ୍କୁ ପାଟିକରି ଡାକିବା ପରେ ସ୍ତ୍ରୀ’ଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ସୀମାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ସକାଳେ ଟିକାୟତପାଲି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ସହିତ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନି ସାଇଣ୍ଟିଫିକ ଟିମ୍ ସହିତ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଛନ୍ତି। ଘଟଣାସ୍ଥଳରୁ ଖୋକା ଜବତ ହୋଇଥିବା ଜଣାପଡ଼ିଛି। ବଣାଇରେ ଏଫ୍‌ଏମ୍‌ଟି ସୁବିଧା ନଥିବାରୁ ବ୍ୟବଚ୍ଛେଦ ନିମନ୍ତେ ମୃତଦେହକୁ ସୁନ୍ଦରଗଡ଼ ମେଡିକାଲ କଲେଜ ନିଆଯାଇଛି।

ଅନ୍ୟପକ୍ଷରେ ବିଳମ୍ବିତ ରାତିରେ ଜଣେ ସାତମାସର ଗର୍ଭବତୀ କବାଟ ଖୋଲିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ବାବଦରେ ତାଙ୍କ ସ୍ବାମୀ ଦେବେନ କହିଛନ୍ତି ଯେ ‘ଗର୍ଭବତୀ ଥିବାରୁ ସୀମା ବାରମ୍ବାର ବାହାରକୁ ଉଠୁଥିଲେ। ଘଟଣା ସମୟରେ ସେ ବାହାରୁ ଫେରି କବାଟ ଦେବାକୁ ଯାଉଥିଲେ। ଏହି ସମୟରେ କେହି କବାଟ ବାଡ଼େଇବାରୁ ସେ କବାଟ ଖୋଲି ଦେଇଥିଲେ।’ ତେବେ ହତ୍ୟାକାଣ୍ଡ ପଛରେ କେବଳ ଲୁଟ୍‌ ଉଦ୍ଦେଶ୍ୟ, ନା ଅନ୍ୟ କିଛି ରହସ୍ୟ ରହିଛି ବୋଲି ଟିକାୟତପାଲି ଥାନାଧିକାରୀ ଅନାମ ଚରଣ ନାୟକଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣାର ସବୁଦିଗକୁ ନେଇ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ରହସ୍ୟର ପର୍ଦାଫାସ୍ ହେବ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button