ରାଜ୍ୟ

ଗାଡ଼କଣ ହେବ ଆଦର୍ଶ ଗାଁ: ଗଦା ଗଦା ସମସ୍ୟା, କେତେ ସମାଧାନ କରିବେ

ଭୁବନେଶ୍ବର: ଗାଡ଼କଣ ହେବ ଆଦର୍ଶ ଗ୍ରାମ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ସରକାରଙ୍କର ପ୍ରତ୍ୟେକ ଯୋଜନା ପ୍ରତିଟି ଯୋଗ୍ୟ ହିତାଧିକାରୀ ପାଖରେ ପହଞ୍ଚିବ। ଏହା ନିଶ୍ଚିତ କରିବା ପାଇଁ ଜଣେ ନୋଡାଲ୍‌ ଅଫିସର ନିଯୁକ୍ତି ପାଇଛନ୍ତି। ସେ ହେଉଛନ୍ତି ସହରାଞ୍ଚଳ ଗୃହ ନିର୍ମାଣ ମିସନ ଫାଇନାନ୍ସ ‌ଏକ୍ସପର୍ଟ ସଞ୍ଜୀବ କୁମାର ପଣ୍ଡା। ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରି ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ସେ ନିଶ୍ଚିତ କରିବାକୁ କୁହାଯାଇଛି। ବିଶେଷକରି ବିଏମ୍‌ସି, ବିଡିଏ, ଶକ୍ତି, ଜନସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଖାଦ୍ୟ ସୁରକ୍ଷା ଓ ଖାଉଟୀ କଲ୍ୟାଣ ବିଭାଗ ସହ ସେ ନିୟମିତ ଯୋଗାଯୋଗରେ ରହିବେ। ମୌାଳିକ ସୁବିଧା ସହ ପ୍ରତ୍ୟେକ ଯୋଜନାକୁ ସଫଳ କରିବାକୁ ଉଦ୍ୟମ କରିବେ। ଏହା ସଫଳ ହେଲେ ରାଜ୍ୟର ପ୍ରତ୍ୟେକ ସହରାଞ୍ଚଳରେ ଆଦର୍ଶ ଗ୍ରାମ ପ୍ରସ୍ତୁତ କରାଯିବ। କିନ୍ତୁ ଗାଡ଼କଣରେ ବର୍ଷବର୍ଷ ଧରି ଲାଗି ରହିଥିବା ଗଦା ଗଦା ସମସ୍ୟାର କେତେଦୂର ସମାଧାନ ହେବ ସେ ନେଇ ଆଶଙ୍କା ପ୍ରକା‌ଶ ପାଇଛି।

ଭୁବନେଶ୍ବରର ସବୁଠାରୁ ବଡ଼ ରାଜସ୍ବ ଗ୍ରାମ ହେଉଛି ଗାଡ଼କଣ। ଅଢ଼େଇ ହଜାର ପରିବାର ବାସ କରୁଥିବା ଏହି ଗାଁରେ ଦ୍ରୁତ ସହରୀକରଣ ତଥା କଂକ୍ରିଟ୍‌ ନିର୍ମାଣ ଏଠାକାର ଚାଷ ଜମିକୁ ଗିଳି ସାରିଲାଣି। ତଥାପି ଏଠାରେ ୩୫ରୁ ଊର୍ଦ୍ଧ୍ବ ପରିବାର ଏବେ ବି ଚାଷ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଜଳସେଚନ ସୁବିଧା ନଥିବାରୁ କେବଳ ଗୋଟିଏ ଋତୁରେ ଚାଷ ସମ୍ଭବ ହେଉଛି। ବଡ଼କଥା ହେଉଛି ଏହି ଗାଁ ଦେଇ ଗଙ୍ଗୁଆ ନାଳ ଯାଇଛି। ପୂର୍ବରୁ ଏହା ଚାଷ ପାଇଁ ପାଣି ଯୋଗାଉଥିବା ବେଳେ ଏବେ ପ୍ରଦୂଷିତ ହୋଇ ପଡ଼ିଥିବାରୁ ଚାଷ ପାଇଁ ପାଣି ଯୋଗାଇବା ଦୂରର କଥା, ବରଂ ରୋଗ ବାଣ୍ଟୁଛି। ପାଣିରେ ଭାସି ଆସୁଥିବା ମେଡିକାଲ ବର୍ଜ୍ୟ ଏହି ଅଞ୍ଚଳରେ ଭୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଛି। ଚାଷ ତଥା ଅନ୍ୟାନ୍ୟ ବ୍ୟବହାର ପାଇଁ ଏଠାରେ ଥିବା ପୋଖରୀ ନବୀକରଣ ହେଉଥିଲା। ମୋ ପୋଖରୀ ଯୋଜନାରେ ୪ଟି ପୋଖରୀରେ ୫୦ ଲକ୍ଷ ଖର୍ଚ୍ଚ ହୋଇଛି। ଚାଷୀଙ୍କ କହିବା କଥା, କିଆ ପୋଖରୀ ହିଁ ଚାଷ ପାଇଁ ପାଣି ଯୋଗାଏ। ଏଥିରେ ବିଏମ୍‌ସି ଚଳିତ ବର୍ଷ ୯ ଲକ୍ଷ ୧୯ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ବ୍ୟବହାର ଉପଯୋଗୀ ନାହିଁ।

ଗାଡ଼କଣ ହେବ ଆଦର୍ଶ ଗାଁ ନିଯୁକ୍ତ ହେଲେ ନୋଡାଲ୍‌ ଅଫିସର

ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି ଆବର୍ଜନା ପାହାଡ଼ ‘ଟିଟିଏସ୍‌’। ସହରର ଯାବତୀୟ ବର୍ଜ୍ୟ ଏଠାରେ ବର୍ଷ ବର୍ଷ ଧରି ଗଦା ହୋଇଥିବାରୁ ଭୟଙ୍କର ଦୁର୍ଗନ୍ଧ ହେଉଛି। ଗତକାଲି ମନ୍ତ୍ରୀ ଏହି ଟିଟିଏସ୍‌ ପରିଦର୍ଶନ କରିବା ବେଳେ ପୂର୍ବରୁ ହୋଇ ଆସୁଥିବା ଦୁର୍ଗନ୍ଧ ଜନିତ ଅଭିଯୋଗକୁ ସ୍ବୀକାର କରିଛନ୍ତି। ଆବର୍ଜନା ପରିଚାଳନା କରି ତୁରନ୍ତ ଏହାକୁ ସଫା କରିବା ପାଇଁ ଘୋଷଣା ହେଉଥିଲେ ମଧ୍ୟ ଏହା ନିକଟ ଅତୀତରେ ସମ୍ଭବ ନୁହେଁ ସ୍ପଷ୍ଟ ହୋଇଛି। ଏବେ ବି ଏଠାକୁ ନୂଆ ବର୍ଜ୍ୟ ଆସୁଛି। ଦିନକୁ ଦିନ ବର୍ଜ୍ୟର ପରିମାଣ ବଢ଼ି ବଢ଼ି ଯାଉଥିବାରୁ ଆବର୍ଜନା ଗଦା କରିବା ପାଇଁ ବିଏମ୍‌ସି ପାଖରେ କୌଣସି ସୁଯୋଗ ନାହିଁ। ବର୍ଜ୍ୟ ପରିଚାଳନା ପାଇଁ କେତେକ ମେସିନ୍‌ ବସାଇବାକୁ ବିଏମ୍‌ସି ଟେଣ୍ଡର କରିଛି। ଏଥିରେ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବାକୁ ସର୍ତ୍ତ ରହିଛି। ଅର୍ଥାତ୍‌ ଅତି କମ୍‌ରେ ୫ ବର୍ଷ ପର୍ଯ୍ୟନ୍ତ ଟିଟିଏସ୍‌ ଏଠାରେ ରହିବା ଆଶଙ୍କା ପ୍ରକାଶ ପାଇଛି। ଏହା ନ ହଟିଲେ କି ପ୍ରକାର ଆଦର୍ଶ ଗ୍ରାମ ହେବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମର ଯୁବ ନେତା କୃଷ୍ଣ ଚନ୍ଦ୍ର ପତି।

ଏତିକିରେ କଥା ସରିନି। ଟିଟିଏସ୍‌ ଆବର୍ଜନା ହଟାଇବା ପାଇଁ ଆନ୍ଦୋଳନ ହେବାରୁ ପ୍ରଶାସନ କ୍ଷତିପୂରଣ ଆଳରେ ଗ୍ରାମକୁ ମୋ ବସ୍‌ ଚଳାଇବାକୁ ପ୍ରତିଶ୍ରୁତି ଦେଇଥିଲା। ପ୍ରତିଶ୍ରୁତି ମୁତାବକ ବସ୍‌ଚାଲିଥିଲା। ହେଲେ ଏହି ସେବା ବିନା କାରଣରେ ବନ୍ଦ ହୋଇଯାଇଛି। ଖୁବ୍‌ଶୀଘ୍ର ଆନ୍ଦୋଳନ ହେବ ବୋଲି ଶ୍ରୀ ପତି ଚେତାବନୀ ଦେଇଛନ୍ତି। କଂସେଇଖାନା ଏହି ଗ୍ରାମରେ କରାଯାଇଛି। ପ୍ରତିଦିନ ସକାଳୁ ଗାଁ ମୁଣ୍ଡରେ ସହରଯାକର ଛେଳି କଟାଯାଉଛି। ୧୦ ହଜାର ଲୋକଙ୍କ ପାଇଁ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ୟୁସିଏଚ୍‌ସି) ରହିଛି। କିନ୍ତୁ ଡାକ୍ତର ନାହାନ୍ତି। ଫଳରେ ଏଠାରୁ ଦୂର ଜାଗାକୁ ଛୋଟମୋଟ ରୋଗ ପାଇଁ ଯିବାକୁ ପଡ଼ୁଛି। ଶିକ୍ଷା ବ୍ୟବସ୍ଥା ବି ତା ଠାରୁ ବଳିପଡ଼ିଛି। ଏଠାରେ ଥିବା ହାଇସ୍କୁଲ୍‌ର ନିଜସ୍ବ ଜାଗା ନାହିଁ। ନା ଖେଳପଡ଼ିଆ ଅଛି ନା ଭଲ ଶିକ୍ଷକ ଅଛନ୍ତି। କଲେଜ୍‌ ନଥିବାରୁ ମାଟ୍ରିକ୍‌ ପରେ ଅତି କମ୍‌ରେ ୧୦ କିମି ଦୂର ଯିବାକୁ ପଡ଼ୁଛି। ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ୯୦ ପ୍ରତିଶତ ହିତାଧିକାରୀ ବଞ୍ଚିତ ହୋଇଛନ୍ତି। କେମିତି ହେବ ଆଦର୍ଶ ଗ୍ରାମ ବୋଲି ଶତାଧିକ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button