ଜଟଣୀ ପୌରାଞ୍ଚଳରେ କଲବଲ କଲେଣି ମଶା: ମଶା ଦମନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନାହିଁ

ଜଟଣୀ: ଜଟଣୀରେ କଲବଲ କଲେଣି ମଶା। ଦିନକୁ ଦିନ ଏମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏମାନଙ୍କୁ ନିୟନ୍ତ୍ରଣ କରିବାକୁ ପୌରସଂସ୍ଥା କରୁଥିବା ଉଦ୍ୟମ ସମୁଦ୍ରକୁ ଶଙ୍ଖେ ହେଉଛି। ଦିନ ରାତି ସବୁବେଳେ କାମୁଡ଼ୁଛନ୍ତି ମଶା। ଘରେ ହେଉ କି ବାହାରେ, କେଉଁଠି ବି ମଶାଙ୍କ ଦାଉରୁ ନିସ୍ତାର ମିଳୁନି। ୨୪ଘଣ୍ଟା ମଶା କାମୁଡ଼ା ଯୋଗୁ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଭଳି ରୋଗ ଭୟ ସୃଷ୍ଟି ହୋଇଛି। ମଶାଙ୍କ ବଂଶ ନିପାତ କରିବା ଅଭିଯାନ ବ୍ୟାପକ କରା ନଯାଏ ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ମଶା ଦମନ ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନାହିଁ
ମ୍ୟାଲେରିଆ, ଡେଙ୍ଗୁ ବ୍ୟାପିବା ଆଶଙ୍କା
ବର୍ଷା ପରେ ପରେ ବିଭିନ୍ନ ସନ୍ତସନ୍ତିଆ ଜାଗା ମଶାଙ୍କ ଜନ୍ମସ୍ଥଳ ପାଲଟିଛି। ଏହି ସ୍ଥାନ ଓ ସମୟ ହିଁ ମଶାଙ୍କର ଜନ୍ମ ହେବା ପାଇଁ ଅନୁକୂଳ। ପ୍ରକୃଷ୍ଟ ପୌରାଞ୍ଚଳରେ ଦୀର୍ଘ ଦିନ ହେଲା ମଶା ଔଷଧ ଛିଞ୍ଚା ଯାଉନାହିଁ। ନାଳ ନର୍ଦ୍ଦମାରେ ମଶା ତେଲ ମଧ୍ୟ ପକା ଯାଉ ନାହିଁ। ମଝିରେ ମଝିରେ କେବଳ ମଶା ଧୂଆଁ ଦିଆଯାଉଛି। କିନ୍ତୁ ତାହା କେବଳ ମୁଖ୍ୟ ରାସ୍ତାରେ ବୁଲି ଚାଲିଯାଉଥିବାରୁ ଗଳିକନ୍ଦିରେ ମଶାଙ୍କ ଦାଉ ବଢ଼ୁଛି। ଟିକିଏ ଛିଡ଼ା ହୋଇଗଲେ କାମୁଡ଼ି ପକାଉଛନ୍ତି। ଏମିତିକି ପାଟି ନାକରେ ବି ପଶି ଯାଉଛନ୍ତି। ଧୂଆଁ କି ନାମୀ ବ୍ରାଣ୍ଡ୍ର ମଶା ଅଗରବତୀ କାଟୁ କରୁନି। ସନ୍ଧ୍ୟା ହେଉ ହେଉ ଝରକା, କବାଟ ବନ୍ଦ କରି ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଲୋକଙ୍କ ଅଭିଯୋଗ ହେଉଛି, ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ପଡ଼ୁଥିବା ଆବର୍ଜନା ଓ ନାଳ ନର୍ଦ୍ଦମା ବହୁ ଦିନ ହେବ ସଫା ହୋଇନାହିଁ। ଅନେକ ପରିତ୍ୟକ୍ତ ଜଳାଶୟ ବି ମଶାଙ୍କ ବଂଶ ବୃଦ୍ଧି ପାଇଁ ପ୍ରକୃଷ୍ଟ ସ୍ଥାନ ପାଲଟିଛି। ପୌରପରିଷଦ ପକ୍ଷରୁ କୌଣସି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉନାହିଁ। ଏହିସବୁ ପରିତ୍ୟକ୍ତ ଜଳାଶୟରେ ମଶାତେଲ ଛିଞ୍ଚିବା ଓ ମଶା ଲାର୍ଭା ଖାଉଥିବା ଗମ୍ବୁସିଆ ମାଛ ଛାଡ଼ିବା ନେଇ ବାରମ୍ବାର ଦାବି ହୋଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇନାହିଁ।
ବିଶେଷଜ୍ଞଙ୍କ କହିବା କଥା, ମଶା ଧୂଆଁ କେବଳ ଧର୍ମକୁ ଆଖିଠାର। ସମଗ୍ର ଅଞ୍ଚଳରେ ଏକ ସମୟରେ ଧୂଆଁ ଛାଡ଼ିଲେ ଯାଇ ଏହା ସଫଳ ହେବ। କିନ୍ତୁ ଏଭଳି କରିବା ସମ୍ଭବ ନୁହେଁ। ମଶାଧୂଆଁ ସହ ସେମାନଙ୍କ ଉତ୍ପତ୍ତିସ୍ଥଳରେ ମଶାମରା ତେଲ ଓ ଗମ୍ବୁସିଆ ମାଛ ଛାଡ଼ିବା ଭଳି ଏକାଧିକ ପଦକ୍ଷେପ ନିଆଗଲେ ଏ ସମସ୍ୟାରୁ ମୁକ୍ତି ମିଳିପାରିବ। ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ କହିଛନ୍ତି, ପୌରପାଳିକା ପକ୍ଷରୁ ମଶା ଧୂଆଁ ସ୍ପ୍ରେ ହେଉଛି। ୪ଟି ଜୋନ୍ କରାଯାଇ ୮ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆଣ୍ଟି ଲାର୍ଭା ତେଲ ମଧ୍ୟ ପକାଯାଉଛି। ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଲୋକମାନଙ୍କ ଛାତ ଉପରେ କିମ୍ବା ଘରେ ଯେଉଁଠି ପାଣି ଜମୁଛି ସେଠାରେ ମଶା ବଂଶ ବୃଦ୍ଧି ହେବା ସମ୍ଭାବନା ରହିଛି। ସେ ସବୁକୁ ଖାଲି କରିବା ପାଇଁ ଲୋକମାନେ ସହଯୋଗ କରିବା ଆବଶ୍ୟକ।