ଦେଶ

ଚନ୍ଦ୍ରପୃଷ୍ଠରେ କେଉଁଠୁ ଓ କେମିତି ଆସିଲା ସଲଫର୍…. ଆସନ୍ତୁ ଜାଣିବା – Ibnodisha

[ad_1]

ନୂଆଦିଲ୍ଲୀ: ଜହ୍ନ ରାଇଜରେ ଗୁପ୍ତଧନ ଖୋଜି ପାଇଲା ରୋଭର ପ୍ରଜ୍ଞାନ। ଚନ୍ଦ୍ରର ଦକ୍ଷିଣ ମେରୁ ମାଟିରେ ଭରି ରହିଛି ସଲଫର୍‌। ତେବେ ଏହା କାହିଁକି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧାନ ? ଚନ୍ଦ୍ରୟାନ-୩ ମିଶନ ଜହ୍ନ ରାଇଜରେ ବିଭିନ୍ନ ଉପାଦାନ ଠାବ କରିଥିଲେ ବି, ସଲଫର୍‌କୁ ନେଇ ଅଧିକ ଉତ୍ସାହିତ ଇସ୍ରୋ । କାରଣ ସଲଫର୍‌ର ଉପସ୍ଥିତି ଜହ୍ନରେ ଜଳ ଥିବାର ସଙ୍କେତ ଦେବା ସହିତ ଚନ୍ଦ୍ରପୃଷ୍ଠରେ ଜନବସତି ସୃଷ୍ଟି ପାଇଁ ବି ବାଟ ଫିଟାଇପାରେ ବୋଲି ଚର୍ଚ୍ଚା ହେଉଛି।

ଏଠାରେ ପ୍ରଶ୍ନ ଉଠୁଛି ଚନ୍ଦ୍ରପୃଷ୍ଠରେ କେଉଁଠୁ ଓ କେମିତି ଆସିଲା ସଲଫର୍ ? ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ମିଳିବା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଜହ୍ନରେ ଜଳ ଥିବା ସ୍ପଷ୍ଟ କରୁଛି କି ‘ପ୍ରଜ୍ଞାନ’ର ସଲଫର୍ ସନ୍ଧାନ ? ସଲଫର୍ ବା ଗନ୍ଧକ ହେଉଛି ଏକ ଇଷତ୍ ହଳଦିଆ ରଙ୍ଗର ଅଧାତୁ। କାର୍ ବ୍ୟାଟେରୀ, ସାର, ତୈଳ ବିଶୋଧନ, ଜଳ ବିଶୋଧନଠୁ ଆରମ୍ଭ କରି ଦିଆସିଲି, ବାଣ ଓ ବାରୁଦ ତିଆରିରେ ଏହି ପଦାର୍ଥ ବ୍ୟବହୃତ ହୁଏ ।

ପୃଥିବୀରେ ଏହା ଆଦୌ ଦୁର୍ଲଭ ନୁହେଁ । ପୃଥିବୀ ପୃଷ୍ଠରେ ପ୍ରଚୁର ପରିମାଣରେ ମିଳୁଥିବା ୧୦ଟି ପଦାର୍ଥରୁ ଗୋଟିଏ ହେଉଛି ଗନ୍ଧକ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ଖଣିରୁ ଏବଂ ଆଗ୍ନେୟଗିରି ନିକଟରୁ ପ୍ରାକୃତିକ ଗନ୍ଧକ ମିଳିଥାଏ। ହେଲେ ଜହ୍ନରେ ଏହା ନିହାତି ବିରଳ। ସେଠାରେ ବାୟୁମଣ୍ଡଳ ନଥିବାରୁ ଖୁବ୍‌ଶୀଘ୍ର ବାଷ୍ପୀଭୂତ ହୋଇଯାଏ ମାଟି ଉପରେ ଥିବା ଗନ୍ଧକ।

ଚନ୍ଦ୍ରକୁ ଯାଇଥିବା ବିଭିନ୍ନ ଅଭିଯାନରେ ଗନ୍ଧକର ଉପସ୍ଥିତି ସମ୍ପର୍କରେ ସଙ୍କେତ ମିଳିଥିଲେ ମଧ୍ୟ, ତାହା ସ୍ପଷ୍ଟ ହୋଇନଥିଲା । ହେଲେ ଏଦିଗରେ ସାରା ବିଶ୍ୱକୁ ଚକିତ କରିଦେଇଛି ଚନ୍ଦ୍ରୟାନ-୩ ମିଶନ। ଚନ୍ଦ୍ରର ଦକ୍ଷିଣ ମେରୁ ମାଟିରେ ପ୍ରଚୁର ଗନ୍ଧକ ବା ସଲଫର୍ ଅଛି ବୋଲି ଦୁଇଟି ଭିନ୍ନ ଭିନ୍ନ ପ୍ରକ୍ରିୟାରେ ଜାଣିବାକୁ ପାଇଛି ରୋଭର୍ ପ୍ରଜ୍ଞାନ। ସେଥିରେ ଲାଗିଥିବା LIBS ଏବଂ APXSଯନ୍ତ୍ର ସହାୟତାରେ ଦୁଇ ଦୁଇ ଥର ଏହା ସ୍ପଷ୍ଟ ହୋଇଛି। ଦକ୍ଷିଣ ମେରୁକୁ ଯାଇ ସେଠାରେ ସିଧାସଳଖ ମୃତ୍ତିକା ଓ ପଥର ବିଶ୍ଳେଷଣ କରି ପ୍ରଥମ ଥର ପାଇଁ ଏହି ତଥ୍ୟ ହାସଲ କରିଛି ଇସ୍ରୋ। ଏପର୍ଯ୍ୟନ୍ତ କୌଣସି ଦେଶ ସେଠାରେ ଏଭଳି ପରୀକ୍ଷଣ କରିନଥିଲେ।

ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଚୁର ପରିମାଣରେ ସଲଫର୍‌ ଥିବା ନେଇ ଇସ୍ରୋର ସୂଚନା ପରେ ଦେଶ ବିଦେଶର ବୈଜ୍ଞାନିକ ଚିନ୍ତାରେ ପଡ଼ିଯାଇଛନ୍ତି। ଚନ୍ଦ୍ରପୃଷ୍ଠରେ ଗନ୍ଧକ କେଉଁଠୁ ଆସିଲା, ତା’ର ଉତ୍ସ ଖୋଜିବାକୁ ବାଧ୍ୟ କରିଛି ଚନ୍ଦ୍ରୟାନ-୩ର ଆବିଷ୍କାର। ଏହା ପ୍ରଥମରୁ ସେଠାରେ ରହି ଆସିଛି ନା ଆଗ୍ନେୟ ଉଦ୍‌ଗୀରଣରୁ ଉତ୍ପନ୍ନ ହୋଇଛି, ଅବା କୌଣସି ଉଲ୍‌କାପିଣ୍ଡରେ ଚନ୍ଦ୍ରକୁ ଆସିଛି, ସେନେଇ ଗବେଷଣା ଆରମ୍ଭ ହୋଇଛି।

ସେପଟେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍‌ର ଉପସ୍ଥିତି, ସେଠାରେ ୱାଟର୍ ଆଇସ୍ ବା ବରଫ ଅବସ୍ଥାରେ ଜଳ ଥିବା ସୂଚାଉଛି ବୋଲି ମଧ୍ୟ କେହି କେହି ଦାବି କରୁଛନ୍ତି। ଅନୁମାନ କରାଯାଉଛି ଯେ, ଅପେକ୍ଷାକୃତ ନିକଟ ଅତୀତରେ ସେଠାରେ ହୁଏତ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଥିବ। ଯାହା ଫଳରେ ଚନ୍ଦ୍ର ଗର୍ଭରୁ ଗନ୍ଧକ ବାହାରି ଉପରକୁ ଆସିଥିବ ଏବଂ ସେଠାରେ ବାଷ୍ପୀଭୂତ ନହୋଇ ବରଫ ଅବସ୍ଥାରେ ଥିବା ଜଳରେ ଅଟକି ଯାଇଥିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button