୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ: ମୋଦି – Ibnodisha
[ad_1]
ନୂଆଦିଲ୍ଲୀ: ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁସାରେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ । ଆଉ ସେତେବେଳେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ନଥିବ । ବିଶ୍ୱର ଜିଡିପି କୈନ୍ଦ୍ରିକ ଦୃଷ୍ଟିକୋଣ ବର୍ତ୍ତମାନ ମାନବକୈନ୍ଦ୍ରିକ ଦୃଷ୍ଟିକୋଣ ପରିବର୍ତ୍ତନ ହେଉଛି । ଭାରତ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସରକାରଙ୍କ ‘ସବକା ସାଥ୍ ସବକା ବିକାଶ’ ନୀତି ବିଶ୍ୱ କଲ୍ୟାଣ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ହୋଇପାରେ ।
ଏକ ଦଶନ୍ଧିରୁ କମ୍ ସମୟ ମଧ୍ୟରେ ପାଞ୍ଚଟି ସ୍ଥାନ ଉପରକୁ ଯିବାର ସଫଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ନିକଟ ଭବିଷ୍ୟତରେ ଭାରତ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ । ବିକାଶର ମୂଳଦୁଆ ପକାଇବାକୁ ଆଜି ଭାରତୀୟ ମାନଙ୍କର ପାଖରେ ଏକ ବଡ଼ ସୁଯୋଗ ରହିଛି, ଯାହା ଆଗାମୀ ୧୦୦୦ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ । ଦୀର୍ଘ ଦିନ ଧରି ଭାରତକୁ ଗରିବ ପେଟ ରାଷ୍ଟ୍ରରେ ପରିଗଣିତ କରାଯାଉଥିଲା । ହେଲେ ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇଛି । ଭାରତକୁ ଏବେ ଉଚ୍ଚାଭିଳାଷୀ ମନ ଏବଂ କୁଶଳୀ ଲୋକଙ୍କ ଦେଶ କୁହାଯାଉଛି ।
କାଶ୍ମୀର ଏବଂ ଅରୁଣାଚଳ ପ୍ରଦେଶରେ ଜି -୨୦ ବୈଠକ କରିବାକୁ ପାକିସ୍ତାନ ଏବଂ ଚୀନ୍ର ଆପତ୍ତିକୁ ପ୍ରତ୍ୟାଖ୍ୟାନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ପ୍ରତ୍ୟେକ ଅଞ୍ଚଳରେ ବୈଠକ କରିବା ସ୍ୱାଭାବିକ । ଜି -୨୦ରେ ଆମର ପ୍ରସ୍ତାବ ଓ ଦୃଷ୍ଟିକୋଣକୁ କେବଳ ଏକ ବିଚାର ନୁହେଁ, ଭବିଷ୍ୟତ ପାଇଁ ଏକ ରୋଡମ୍ୟାପ ଭାବରେ ଦେଖୁଛି ବିଶ୍ୱ ।
ସେହିପରି ବୃଦ୍ଧି ପାଉଥିବା ସାଇବର ଅପରାଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,”ସାଇବର ଅପରାଧ ବିରୋଧରେ ଲଢ଼େଇ କରିବା ପାଇଁ କେବଳ ବିଶ୍ୱସ୍ତରୀୟ ସହଯୋଗ ଆବଶ୍ୟକ ନୁହେଁ ବରଂ ଏହା ଜରୁରୀ ଅଟେ । ସାଇବର ସେକ୍ଟରରେ ବେଆଇନ ଆର୍ଥିକ କାରବାର ଏବଂ ଆତଙ୍କବାଦ ବିରୋଧରେ ଦେଶରେ ଏବେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ସାଇବର ଧମକକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରାଯାଉଛି ।
ଆତଙ୍କବାଦୀମାନେ ସେମାନଙ୍କର ଘୃଣ୍ୟ ଯୋଜନା ପୂରଣ କରିବା ପାଇଁ ‘ଡାର୍କନେଟ୍’, ‘ମେଟାଭର୍ସ’ ଏବଂ ‘କ୍ରିପ୍ଟୋକରେନ୍ସି ପ୍ଲାଟଫର୍ମ’ ବ୍ୟବହାର କରୁଛନ୍ତି । ଏହା ଜାତିର ସାମାଜିକ ସ୍ଥିତି ଉପରେ ପ୍ରଭାବ ପକାଇପାରେ । ସେହିପରି ମିଛ ଖବର ସମାଜରେ ବିଶୃଙ୍ଖଳା ସୃଷ୍ଟି କରିପାରେ ଏବଂ ନ୍ୟୁଜ୍ ମିଡିଆର ବିଶ୍ୱସନୀୟତାକୁ ନଷ୍ଟ କରିପାରେ । ଏହାକୁ ସମାଜରେ ଅଶାନ୍ତି ସୃଷ୍ଟି ପାଇଁ ଆୟୁଧ କରାଯାଉଛି । ଆଉ ଏବିଷୟରେ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି ।
ସେପଟେ ଜି -୨୦ ସମ୍ମିଳନୀ ପାଇଁ ସଜେଇ ହେଉଛି ରାଜଧାନୀ ଦିଲ୍ଲୀ । ଅତିଥିମାନଙ୍କୁ ସ୍ୱାଗତ ପାଇଁ ନୂଆଦିଲ୍ଲୀରେ ବଡ଼ ବଡ଼ ହୋର୍ଡିଂ ଲଗାଯାଇଛି । ଯେଉଁଥିରେ ଲେଖାଯାଇଛି “ବସୁଦେବ କୁଟୁମ୍ବକମ୍”। ଏହା ସହ ସହରକୁ ଆଲୋକମାଳାରେ ସଜା ଯାଇଥିବା ବେଳେ ରାସ୍ତା କଡରେ ସୋ’ ଗଛ ସାଙ୍ଗକୁ ଫୁଲ ଗଛ ଲଗାଯାଉଛି । ସେହିପରି ରାସ୍ତାକଡ ପ୍ରାଚୀରରେ ବିଭିନ୍ନ ରଙ୍ଗରେ ଚିତ୍ରଣ କରାଯାଉଛି । ଦିଲ୍ଲୀ ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଚଳିତ ମାସରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ର ନାୟକ ଓ ପ୍ରତିନିଧି ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସୁଛନ୍ତି ।
[ad_2]