ଦେଶ

ସନାତନ ଧର୍ମ ବିରୋଧୀ ବୟାନକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା: ବିବାଦରେ ଫସିଲେ ଷ୍ଟାଲିନ୍‌ଙ୍କ ପୁଅ – Ibnodisha

[ad_1]

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ଶନିବାର ସନାତନ ଧର୍ମକୁ ‘ଡେଙ୍ଗୁ’ ଓ ‘ମ୍ୟାଲେରିଆ’ ସହ ତୁଳନା କରିବା ସହିତ ଏହାକୁ କେବଳ ବିରୋଧ କରିବା ଉଚିତ ନୁହେଁ ବରଂ ଏହାକୁ ‘ମୂଳପୋଛ’ କରାଯିବା ଉଚିତ ବୋଲି କହିଛନ୍ତି। ସନାତନ ଧର୍ମକୁ ବିରୋଧ କରି ଅନୁଷ୍ଠିତ ଏକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଷ୍ଟାଲିନ୍ କହିଛନ୍ତି ଯେ, ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧୀ। କିଛି ଜିନିଷକୁ ବିରୋଧ କରାଯାଇ ପାରିବ ନାହିଁ, ବରଂ ତାହାକୁ ମୂଳପୋଛ କରାଯିବା ଉଚିତ। ଡେଙ୍ଗୁ, ମଶା, ମ୍ୟାଲେରିଆ କିମ୍ବା କରୋନାକୁ ଆମେ ବିରୋଧ କରିପାରିବୁ ନାହିଁ। ଆମକୁ ଏହାକୁ ମୂଳପୋଛ କରିବାକୁ ପଡ଼ିବ। ସେହିପରି ଆମକୁ ସନାତନ ଧର୍ମର ବିଲୋପ ସାଧନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତାଙ୍କର ଏଭଳି ଘୃଣାତ୍ମକ ବୟାନକୁ ବିରୋଧ କରି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ତାମିଲନାଡ଼ୁରେ ବିରୋଧ ପ୍ରଦର୍ଶନ କରାଯାଇଛି। କେତେକ ରାଜ୍ୟରେ ହିନ୍ଦୁ ଧର୍ମଗୁରୁମାନେ ଏଭଳି ବୟାନ ବିରୋଧରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି।

ଇଣ୍ଡିଆ ମେଣ୍ଟ ନେତାଙ୍କ ଦ୍ବାରା ସନାତନ ଧର୍ମ ବିରୋଧୀ ବୟାନ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଉଦୟନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଉପରେ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି ଯେ, ସେ ୮୦ ପ୍ରତିଶତ ଜନସଂଖ୍ୟାର ଗଣହତ୍ୟା ପାଇଁ ଆହ୍ୱାନ ଦେଉଛନ୍ତି। ଡିଏମ୍‌କେ ବିରୋଧୀ ମେଣ୍ଟର ପ୍ରମୁଖ ସଦସ୍ୟ ଏବଂ କଂଗ୍ରେସର ଦୀର୍ଘଦିନର ସହଯୋଗୀ। ମୁମ୍ବାଇ ବୈଠକରେ ଏଥିରେ ସହମତି ହୋଇଛି କି ବୋଲି ମାଲବ୍ୟ ଏକ୍ସ (ଟ୍ବିଟର)ରେ ପ୍ରଶ୍ନ କରିଛନ୍ତି।

ବିଜେପି ନେତାଙ୍କୁ ଜବାବ ଦେଇ ଉଦୟନିଧି ଷ୍ଟାଲିନ୍ କହିଛନ୍ତି ଯେ, ସନାତନ ଧର୍ମର ଅନୁଗାମୀ ଥିବା ଲୋକଙ୍କ ଗଣହତ୍ୟା ପାଇଁ ସେ କେବେ ଆହ୍ୱାନ ଦେଇନାହାନ୍ତି। ସନାତନ ଧର୍ମ ଯୋଗୁଁ ଦୁର୍ଦ୍ଦଶା ଭୋଗୁଥିବା ଅବହେଳିତ ସମ୍ପ୍ରଦାୟର ଲୋକଙ୍କ ତରଫରୁ ସେ ନିଜ କଥାରେ ଅଟଳ ଅଛନ୍ତି ବୋଲି କହିଛନ୍ତି। ଡିଏମ୍‌କେ ନେତା କହିଛନ୍ତି ଯେ, ସେ ତାଙ୍କ ମନ୍ତବ୍ୟ ସମ୍ବନ୍ଧରେ ଯେକୌଣସି ଆଇନଗତ ଆହ୍ୱାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ। ଡିଏମ୍‌କେ ସରକାର ଏମ୍‌କେ ଷ୍ଟାଲିନଙ୍କ ନେତୃତ୍ୱରେ ସାମାଜିକ ନ୍ୟାୟ ବଜାୟ ରଖିବା ଏବଂ ଏକ ସମତାବାଦୀ ସମାଜ ପ୍ରତିଷ୍ଠା ପାଇଁ ଲଢ଼େଇ କରିବ। ମୁଁ ଆଜି, ଆସନ୍ତାକାଲି ଏବଂ ସବୁଦିନ ପାଇଁ କହିବି- ସନାତନ ଧର୍ମକୁ ଦ୍ରାବିଡ଼ ଭୂମିରୁ ବହିଷ୍କାର କରିବାର ଆମର ସଂକଳ୍ପ ଟିକେ ବି ହ୍ରାସ ପାଇବ ନାହିଁ। ସନାତନ ଧର୍ମକୁ ନେଇ ପେରିଆର ଏବଂ ଆମ୍ବେଦକରଙ୍କ ବିସ୍ତୃତ ଲେଖାକୁ ସେ ଯେକୌଣସି ମଞ୍ଚରେ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି। ସନାତନ ଧର୍ମ ଅନେକ ସାମାଜିକ କୁସଂସ୍କାର ପାଇଁ ଦାୟୀ ବୋଲି ସେ କହିଛନ୍ତି।

ଉଦୟନିଧିଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଅନେକେ ତାମିଲନାଡୁ ମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ରାହୁଲ ଗାନ୍ଧି ‘ମୋହବତ କି ଦୁକାନ’ କଥା କହୁଥିବା ବେଳେ କଂଗ୍ରେସର ସହଯୋଗୀ ଡିଏମ୍‌କେ ସନାତନ ଧର୍ମର ଉଚ୍ଛେଦ କଥା କହୁଛି। କଂଗ୍ରେସର ନୀରବତା ଏହି ଗଣହତ୍ୟା ଡାକରାକୁ ସମର୍ଥନ କରୁଛି ବୋଲି ବିଜେପି କହିଛି। ଯଦି ସୁଯୋଗ ମିଳେ ତେବେ ଇଣ୍ଡିଆ ମେଣ୍ଟ ହଜାର ହଜାର ବର୍ଷର ପୁରୁଣା ସଭ୍ୟତାକୁ ଧ୍ୱଂସ କରିଦେବ ବୋଲି ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ କହିଛନ୍ତି। ଉଦୟନିଧି ଷ୍ଟାଲିନ ଏବଂ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଖ୍ରୀଷ୍ଟିଆନ ମିସନାରୀମାନଙ୍କ ଚିନ୍ତାଧାରାକୁ ସମର୍ଥନ କରୁଥିବା ଅଭିଯୋଗ କରିଛନ୍ତି।

ଉଦୟନିଧିଙ୍କ ଧର୍ମ କ’ଣ?
ସନାତନ ଧର୍ମ ବିରୋଧରେ ବିଷୋଦ୍‌ଗାର କରିଥିବା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କ ଧର୍ମ କ’ଣ ତାହା ଜାଣିବାକୁ ଏବେ ଲୋକେ ଗୁଗଲର ସହାୟତା ନେଉଛନ୍ତି। ‌ଉଦୟନିଧି ଗତବର୍ଷ ଘୋଷଣା କରିଥିଲେ ଯେ ସେ ଓ ତାଙ୍କ ପତ୍ନୀ ଖ୍ରୀଷ୍ଟିୟାନ। ଖ୍ରୀଷ୍ଟ ଧର୍ମ ପାଇଁ ମୁଁ ଗର୍ବିତ ବୋଲି ସେ କହିଥିଲେ।
ଦିଲ୍ଲୀ ପୁଲିସରେ ଏତଲା
ନୂଆଦିଲ୍ଲୀ: ତାମିଲନାଡ଼ୁ ସରକାରରେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ଅତ୍ୟନ୍ତ ଆପତ୍ତିଜନକ ବୟାନ ଦେଇ ଫସିଛନ୍ତି। ଉଦୟନିଧିଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟର ଆଇନଜୀବୀ ତଥା ସାମାଜିକ କାର୍ଯ୍ୟକର୍ତ୍ତା ବିନୀତ ଜିନ୍ଦଲ ଦିଲ୍ଲୀ ପୁଲିସରେ ଏତଲା ରୁଜୁ କରିଛନ୍ତି। ସନାତନ ଧର୍ମ ବିରୋଧରେ ଉତ୍ତେଜନାସୃଷ୍ଟିକାରୀ, ଘୃଣାତ୍ମକ ଏବଂ ମାନାହାନିକାରକ ବୟାନ ଦେଇଥିବାରୁ ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୧୨୦ବି, ୧୫୩ଏ, ୨୯୫, ୫୦୪ ଏବଂ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି।
ଗର୍ଜିଲେ ହିନ୍ଦୁ ଧର୍ମଗୁରୁ
ସନାତନ ଧର୍ମକୁ ନେଇ ଘୃଣାତ୍ମକ ବୟାନ ଦେଇଥିବା ଉଦୟନାଥ ଷ୍ଟାଲିନଙ୍କୁ ଆଜି ହିନ୍ଦୁ ଧର୍ମଗୁରୁମାନେ ଭର୍ତ୍ସନା କରିଛନ୍ତି। ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହିତ ତୁଳନା କରିଥିବା ଏବଂ ଏହାକୁ ମୂଳପୋଛ କରିବାକୁ ଆହ୍ବାନ ଦେଇଥିବା ଷ୍ଟାଲିନ ଜଣେ ଘୃଣାସୃଷ୍ଟିକାରୀ ଓ କ୍ଷୁଦ୍ରମନା ବ୍ୟକ୍ତି ବୋଲି ଧର୍ମଗୁରୁମାନେ ମତ ରଖିବା ସହ ସନାତନ ଧର୍ମକୁ କେହି ଶେଷ କରିପାରିବେ ନାହିଁ ବୋଲି କହିଛନ୍ତି। ରାମ ଜନ୍ମଭୂମି ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ ଦାସ କହିଛନ୍ତି, କେହି କେତେ ପ୍ରୟାସ କଲେ ବି ସନାତନ ଧର୍ମକୁ ହଟାଇ ପାରିବେ ନାହିଁ। ଅନେକ ଶତାବ୍ଦୀ ଧରି ଏହା ତିଷ୍ଠି ରହିଛି ଏବଂ ଏହି ଧର୍ମକୁ ନେଇ ଏଭଳି ଅପମାନଜନକ ବୟାନ ଦେଉଥିବା ଲୋକଙ୍କ ପ୍ରତି ଲୋକେ ସତର୍କ ରହିବା ଉଚିତ ବୋଲି ସେ କହିଛନ୍ତି। ହାଇଦ୍ରାବାଦ ଚିଲକୁର ବାଲାଜୀ ମନ୍ଦିର ମୁଖ୍ୟ ପୁରୋହିତ ରଙ୍ଗରାନନ କହିଛନ୍ତି, ସାମ୍ବିଧାନିକ ପଦରେ ବସିଥିବା ଜଣେ ବ୍ୟକ୍ତି ଏଭଳି ଆପତ୍ତିଜନକ ଏବଂ ଘୃଣା ସୃଷ୍ଟିକାରୀ ବୟାନ ଦେବା ଅତ୍ୟନ୍ତ ନିନ୍ଦନୀୟ। ଅଖିଳ କର୍ଣ୍ଣାଟକ ବ୍ରାହ୍ମଣ ମହାସଭାର ରାଘବେନ୍ଦ୍ର ଭଟ୍ଟ କହିଛନ୍ତି, ସନାତନ ଧର୍ମକୁ ନେଇ ଏଭଳି ତାତ୍ସଲ୍ୟ ଓ ଷଡ଼ଯନ୍ତ୍ରପୂର୍ଣ୍ଣ ବୟାନକୁ ପୂରା ଦେଶ ବିରୋଧ କରୁଛି। ଏଥିପାଇଁ ଷ୍ଟାଲିନ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button