ସୁଶାସନ ଦିବସରେ ଅଟଳ ସ୍ମୃତି ସମ୍ମିଳନୀ ଓ ମେଗା ସ୍ୱାସ୍ଥ୍ୟ ଶିବିର

ଧର୍ମଶାଳା: ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ସତବାର୍ଷିକ ଅବସରରେ ଆଜିର ଦିନଟିକୁ ସୁଶାସନ ଦିବସ ରୂପେ ପାଳନ କରାଯାଇଛି। ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅଧୀନ ଥାନୁଆଲ ପଞ୍ଚାୟତର କଣ୍ଟାମଳିଆ ସ୍କୁଲ ପଡିଆରେ ଏକ ମେଗା ସ୍ୱାସ୍ଥ୍ୟ ମେଳା ସହିତ ଅଟଳ ସ୍ମୃତି ସମ୍ମିଳନୀ ସଫଳତାର ସହିତ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମର ଆରମ୍ଭରେ ବିଧାୟକ ହିମାଂଶୁ ଶେଖର ସାହୁ ସ୍ୱାସ୍ଥ୍ୟ ମେଳାକୁ ଉଦଘାଟନ କରିଥିଲେ। ପରେ ସେ ଅଟଳ ସ୍ମୃତି ସମ୍ମିଳନୀରେ ଯୋଗଦେଇ ସ୍ୱର୍ଗତ ବାଜପେୟୀଙ୍କ ଦୃଷ୍ଟିକୋଣ, ନୀତି–ଆଦର୍ଶ ଓ ସୁଶାସନର ଧାରଣା ଉପରେ ଆଲୋକପାତ କରିଥିଲେ।
ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ଓ ସାଂସଦ ପ୍ରତିନିଧି କାହ୍ନୁଚରଣ ଦାସ ଯୋଗଦେଇ ବାଜପେୟୀଙ୍କ ରାଷ୍ଟ୍ରନୀତି, ଲୋକମୁଖୀ ଶାସନ ପ୍ରଣାଳୀ ଓ ସାଧାରଣ ମାନୁଷଙ୍କ ପ୍ରତି ତାଙ୍କର ଅଟୁଟ ସମର୍ପଣକୁ ସ୍ମରଣ କରିଥିଲେ। ଏହା ସହ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।
ସ୍ୱାସ୍ଥ୍ୟ ଶିବିରରେ ୫୦୦ରୁ ଅଧିକ ରୋଗୀଙ୍କୁ ବିଭିନ୍ନ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ଏବଂ ମାଗଣା ଔଷଧ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସୁଶାସନ ଦିବସର ସାର୍ଥକତା ସହ ଜନସେବାର ଦୃଢ଼ ସନ୍ଦେଶ ପ୍ରସାରିତ ହୋଇଥିଲା।




