ରାହାମ୍ବାରେ ମହାବୀର ଭଲିବଲ ଟୁର୍ନାମେଣ୍ଟ ଉଦ୍ଘାଟନ, ଯୋଗଦେଲେ ସମାଜ ସେବୀ ମିନତୀ ସାହୁ

ଧର୍ମଶାଳା: ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାହାମ୍ବା ଗ୍ରାମପଞ୍ଚାୟତର ରାହାମ୍ବା ଗ୍ରାମରେ ଆୟୋଜିତ ମହାବୀର ଭଲିବଲ ଟୁର୍ନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଆଜି ବ୍ୟାପକ ଉତ୍ସାହ ଓ ଉଲ୍ଲାସରେ ସମ୍ପନ୍ନ ହୋଇଛି। ଗ୍ରାମ ସହ ପାଖପାଖି ଅଞ୍ଚଳରୁ ଆସିଥିବା ବହୁ ସଂଖ୍ୟକ କ୍ରୀଡାପ୍ରେମୀ ଦର୍ଶକଙ୍କ ଭିଡ଼ ଏହି କ୍ରୀଡା ଆୟୋଜନକୁ ଆହୁରି ଆକର୍ଷଣୀୟ କରିଥିଲା।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ମା ଏବଂ ସମାଜସେବୀ ମିନତୀ ସାହୁ, ୩୪/୩୫ ନମ୍ବର ମଣ୍ଡଳ ସଭାପତି ତୀର୍ଥ ରାଜ ପଣ୍ଡା ଓ ପଞ୍ଚାୟତ ପ୍ରଭାରୀ ଉପେନ୍ଦ୍ର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ନାମେଣ୍ଟର ଶୁଭାରମ୍ଭ କରିଥିଲେ। ଅତିଥିମାନେ ଖେଳାଳିମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ନିଷ୍ଠା, ଶିଷ୍ଟାଚାର ଓ ଦଳୀୟ ମନୋଭାବ ସହିତ ଖେଳିବାକୁ ପ୍ରେରଣା ଦେଇଥିଲେ।
ସଭାକୁ ସମ୍ବୋଧନ କରି ଅତିଥିମାନେ କହିଥିଲେ ଯେ କ୍ରୀଡା କେବଳ ଶାରୀରିକ ସୁସ୍ଥତାର ମାଧ୍ୟମ ନୁହେଁ; ଏହା ମାନସିକ ଦୃଢତା, ଶିଷ୍ଟାଚାର ଓ ସାମାଜିକ ଏକତା ଗଢ଼ିଉଠିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଗ୍ରାମୀଣ ଅଞ୍ଚଳରେ ଏପରି କ୍ରୀଡା ଟୁର୍ନାମେଣ୍ଟ ଆୟୋଜନ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ବଢ଼ାଇବା ସହ ଲୁଚିଥିବା ପ୍ରତିଭାକୁ ଆଗକୁ ଆଣୁଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ।
ଟୁର୍ନାମେଣ୍ଟର ସୁଚାରୁ ଓ ସଫଳ ଆୟୋଜନ ପାଇଁ ଅତିଥିମାନେ ଆୟୋଜକ ମଣ୍ଡଳୀର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହାକୁ ଆହୁରି ବଡ଼ ପରିସରରେ ଆୟୋଜନ କରିବାକୁ ଆହ୍ୱାନ କରିଥିଲେ। ଉଦ୍ଘାଟନୀ ଦିନର ପ୍ରଥମ ମ୍ୟାଚ୍କୁ ଦର୍ଶକମାନେ ଭାରି ଉତ୍ସାହରେ ଉପଭୋଗ କରିଥିବା ଦେଖାଯାଇଥିଲା।




