ଖେଳ

୧୦ ବର୍ଷ ପରେ ଇଂଲଣ୍ଡରେ ଜିତିଲା ଶ୍ରୀଲଙ୍କା, ଇଂଲଣ୍ଡ ୮ ୱିକେଟ୍‌ରେ ପରାସ୍ତ

ଣ୍ଡନ: ଇଂଲଣ୍ଡ ଗସ୍ତରେ ଶ୍ରୀଲଙ୍କା ପ୍ରଥମ ବିଜୟ ହାସଲ କରିଛି। ତୃତୀୟ ତଥା ଶେଷ ଟେଷ୍ଟ୍କୁ ୮ ୱିକେଟ୍ରେ ଜିତି ତିନି ଟିକିଆ ଶୃଙ୍ଖଳାରେ ପରାଜୟ ବ୍ୟବଧାନକୁ ୨-୧କୁ କମାଇବା ସହ ମୂଳପୋଛ ପରାଜୟ ଲଜ୍ଜାରୁ ବର୍ତ୍ତିଯାଇଛି। ଓପନର ପଥୁମ ନିଶଙ୍କ ଇଂଲଣ୍ଡକୁ ନିଜ ଔଷଧର ମଜା ଚଖାଇଛନ୍ତି। ସେ ୧୨୪ ବଲ୍ରୁ ୧୩ ଚୌକା ଓ ୨ ଛକା ବଳରେ ୧୨୭* ରନ୍ର ଶତକୀୟ ପାଳି ଖେଳି ଶ୍ରୀଲଙ୍କାକୁ ଏହି ସାନ୍ତ୍ବନାମୂଳକ ବିଜୟ ଉପହାର ଦେଇଛନ୍ତି।

ନିଶଙ୍କ ଓ ପୁରୁ୍ଖା ବ୍ୟାଟର୍ ଆଞ୍ଜେଲୋ ମାଥ୍ୟୁସ ଅବିଭାଜିତ ତୃତୀୟ ୱିକେଟ୍ରେ ୧୧୧ ରନ୍ ଯୋଡ଼ିବା ପରେ ଶ୍ରୀଲଙ୍କା ସୋମବାର ଚତୁର୍ଥ ଦିବସ ମଧ୍ୟାହ୍ନ ଭୋଜନ ପୂର୍ବରୁ ବିଜୟର ମିଠାମିଠା ସ୍ବାଦ ଚାଖିଥିଲା। ଗତ ଦଶ ବର୍ଷ ମଧ୍ୟରେ ଇଂଲଣ୍ଡ ମାଟିରେ ଶ୍ରୀଲଙ୍କାର ଏହା ପ୍ରଥମ ଏବଂ ମୋଟ ଉପରେ ଚତୁର୍ଥ ଟେଷ୍ଟ୍ ବିଜୟ। ଅନ୍ୟପକ୍ଷରେ ଅଚାନକ ବ୍ୟାଟିଂ ବିଫଳତାର ସମ୍ମୁଖୀନ ହୋଇ ଇଂଲଣ୍ଡ ଘରୋଇ ମାଟିରେ ଲଗାତାର ମୂଳପୋଛ ଶୃଙ୍ଖଳା ବିଜୟ ହାସଲ କରିବାରୁ ବଞ୍ଚିତ ହୋଇଥିଲା। ଏହା ପୂର୍ବରୁ ଗତ ଜୁଲାଇ ମାସରେ ଇଂଲଣ୍ଡ ତା’ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍କୁ ୩-୦ରେ ମୂଳପୋଛ କରିଥିଲା। ପ୍ରଥମ ପାଳିରେ ୬୪ ଏବଂ ଦ୍ବିତୀୟରେ ୧୨୭ ରନ୍ କରିଥିବା ନିଶଙ୍କ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ (୩୭୫ ରନ୍, ୧ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ପ୍ରଥମ ପାଳିରେ ୬୨ ରନ୍ରେ ପଛୁଆ ରହିବା ପରେ ଦ୍ବିତୀୟରେ ଶକ୍ତିଶାଳୀ ଇଂଲଣ୍ଡକୁ ମାତ୍ର ୧୫୬ ରନ୍ରେ ଅଲଆଉଟ୍ କରି ଶ୍ରୀଲଙ୍କା ୨୦୧୪ ପରେ ଇଂଲଣ୍ଡ ମାଟିରେ ପ୍ରଥମ ବିଜୟ ହାସଲ କରିବାର ସମ୍ଭାବନା ସୃଷ୍ଟି କରିଥିଲା। ରବିବାର ତୃତୀୟ ଦିନ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଗୋଟିଏ ୱିକେଟ୍ ବିନିମୟରେ ୯୪ ରନ୍ କରି ଏହି ସମ୍ଭାବନାକୁ ବାସ୍ତବରେ ରୂପାନ୍ତର କରିବାର ନିକଟତର ହୋଇଥିଲା। ହାତରେ ୯ ୱିକେଟ୍ ଏବଂ ଐତିହାସିକ ବିଜୟ ପାଇଁ ୧୨୫ ରନ୍ର ଦରକାର ଥାଇ ଆଜିର ଖେଳ ଆରମ୍ଭ କରିଥିଲା ସିଂହଳୀ ଦଳ। ଏହାକୁ ମାତ୍ର ଦୁଇ ଘଣ୍ଟା ଭିତରେ କେବଳ କୁଶଲ ମେଣ୍ଡିସଙ୍କ ୱିକେଟ୍ ହରାଇ ବିଜୟର ଔପଚାରିକତା ପୂରଣ କରିଥିଲା। ନିଶଙ୍କଙ୍କ ବିସ୍ଫୋରକ ବ୍ୟାଟିଂ ଇଂଲଣ୍ଡ ବୋଲରଙ୍କୁ ବିସ୍ମିତ କରିବା ସହ ଶ୍ରୀଲଙ୍କା ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା।

ସଂକ୍ଷିପ୍ତ ସ୍କୋର୍: ଇଂଲଣ୍ଡ ପ୍ରଥମ ପାଳି: ୩୨୫। ଶ୍ରୀଲଙ୍କା ପ୍ରଥମ ପାଳି: ୨୬୨। ଇଂଲଣ୍ଡ ଦ୍ବିତୀୟ ପାଳି: ୧୫୬। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୪୦.୩ ଓଭରରେ ୨୧୯/୨ (ପଥୁମ ନିଶଙ୍କ-୧୨୭*, କୁଶଲ ମେଣ୍ଡିସ୍ ୩୯, ଆଞ୍ଜେଲୋ ମାଥ୍ୟୁସ-୩୨*)

Related Articles

Leave a Reply

Your email address will not be published. Required fields are marked *

Back to top button