ରାଜ୍ୟ

ନକଲି ବିଦେଶୀ ମଦ ବିକ୍ରି ଡିଲ୍‌ ବେଳେ ମାଡ଼ିବସିଲା ପୁଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ଦେଶୀ ମଦ ୫ଜଣଙ୍କ ମୁଣ୍ଡ ନେଇସାରିଲାଣି। ଏହା ସତ୍ତ୍ବେ କେହି ଚେତିନାହାନ୍ତି। ସହର ଏବଂ ସହର ଉପକଣ୍ଠ ଅଞ୍ଚଳରେ ଘରଭଡ଼ା ନେଇ ସେଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯାଇ ଚାଲାଣ କରାଯାଉଥିବା ଘଟଣା ପୂର୍ବରୁ ସାମ୍ନାକୁ ଆସିଥିଲା। ଆଜି ପୁଲିସ ପୁଣି ଏକ ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା କାରଖାନା ଉପରେ ଚଢ଼ଉ କରିଛି।

ଗତକାଲି ସଂଧ୍ୟାରେ ଗୋସାଇଁ ନୂଆଗାଁ ଥାନା ପୁଲିସ ଓମ୍ବିହାର ନିକଟରେ ଯାନବାହନ ଯାଞ୍ଚ ବେଳେ ଏକ କାର୍କୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ୨୦ପେଟି ବିଦେଶୀ ମଦ(୧୦୬ଲିଟର ୫୬୦ଏମ୍ଏଲ୍) ଧରାପଡ଼ିଥିଲା। ଜବତ ମଦ ନକଲି ବିଦେଶୀ ମଦ ବୋଲି ପୁଲିସ ଜାଣିବାକୁ ପାଇଥିଲା। କାର୍ ଚାଳକ ରାମକୃଷ୍ଣ ନାହାକକୁ ଜେରା ବେଳେ ନକଲି ବିଦେଶୀ ମଦ କାରବାରର ଗୁମର ଖୋଲିଥିଲା। ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରର ଏକ ମଦ କାରାଖାନା ସଂପର୍କରେ ସେ ସୁରାକ୍ ଦେଇଥିଲା। ଆନ୍ଧ୍ରପ୍ରଦେଶର ଏକ ବେପାରୀ ତାଙ୍କ ଠାରୁ ମଦ କିଣିବା ପାଇଁ ଯୋଜନା ରହିଥିବା ଚାଳକ ଜଣକ ପୁଲିସ ଆଗରେ କହିଥିଲା। ଏହି ମାମଲାରେ ପୁଲିସ କାର୍ ଚାଳକ ରାମକୃଷ୍ଣକୁ ଗିରଫ କରିଛି।

ଦୁଇ ଥାନା ଅଞ୍ଚଳରୁ ୧୩୬ଲିଟର ମଦ ଜବତ, ତିନି ଗିରଫ
କାରଖାନାରୁ ବିପୁଳ ପରିମାଣର କଞ୍ଚାମାଲ ଜବତ

ନକଲି ବିଦେଶୀ ମଦ କାରବାରର ଗୁମର ଖୋଲିବା ପାଇଁ ଗୋସାଇଁ ନୂଆଗାଁ ଥାନାଧିକାରୀ, ବ୍ରହ୍ମପୁର ଓ ସଦର ଏସ୍ଡିପିଓ ଏବଂ ନିମଖଣ୍ଡି ଥାନାଧିକାରୀଙ୍କୁ ନେଇ ଏକ ଟିମ୍ ଶ୍ରୀକ୍ଷେତ୍ର ବିହାରରେ ଚାଲିଥିବା ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାରେ ଚଢ଼ଉ କରିଥିଲେ। ୩ ମହଲା ବିଶିଷ୍ଟ ଗୃହର ମାଲିକ ରୋହିଗାଁର ଶଙ୍କର ଓରଫ ଉମା ଶଙ୍କର ଜେନା ଓ ମଦ କାରବାରର ମାଷ୍ଟର ମାଇଣ୍ଡ ଆସିକା ରୋଡ୍ ପାଣିଗ୍ରାହୀପେଣ୍ଠର ଅନୀଲ କୁମାର ସାହୁଙ୍କୁ ପୁଲିସ କାବୁ କରିଥିଲା। ପୁଲିସ ଜେରାବେଳେ ସେମାନେ କୋଲକାତାରୁ କଞ୍ଚାମାଲ, ସ୍ପିରିଟ ଆଣି ଏଭଳି ନକଲି ବିଦେଶୀ ମଦ ପ୍ରସ୍ତୁତ କରୁଥିବା କହିଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଅସୀମ ପଣ୍ଡା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶଙ୍କର ଜେନା ଜଣେ ପେସାଦାର ଅପରାଧୀ। ବିଭିନ୍ନ ଥାନାରେ ତା’ ନାମରେ ମାମଲା ରହିଛି। ସେଭଳି ଅନୀଲ କୁମାର ସାହୁ ଗତ ଜାନୁଆରି ମାସରେ ନକଲି ମଦ କାରବାରରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା। ପୂର୍ବରୁ ସେ ମୁମ୍ବାଇରେ ରହି ମଦ ପ୍ରସ୍ତୁତ କୌଶଳ ଶିଖି ଏଠାକୁ ଆସି ଏଭଳି କାରବାର କରୁଥିବା ପୁଲିସ କହିଛି। ଅଭିଯୁକ୍ତ ଅନୀଲ ଓ ଘର ମାଲିକ ଶଙ୍କରର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯିବ ବୋଲି କୁହାଯାଇଛି।

ଏଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ସମେତ ଗଜପତି ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ଢାବା ଓ ପାନ ଦୋକାନରେ ବିକ୍ରି କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଗୋସାଇଁ ନୂଆଗାଁ ଥାନା ମାମଲାରେ ଗାଡ଼ି ଚାଳକ ରାମକୃଷ୍ଣ ନାୟକକୁ ଗିରଫ କରାଯାଇଥିବା ବେଳେ ନିମଖଣ୍ଡି ଥାନା ମାମଲାରେ ଅନୀଲ କୁମାର ସାହୁ ଓ ଉମାଶଙ୍କର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମଦ କାରବାରରେ ବ୍ୟବହୃତ କାର୍(ଓଡି-୦୨ସିକ୍ୟୁ-୨୪୧୫)କୁ ପୁଲିସ ଜବତ କରିଛି। ସେଭଳି ଶ୍ରୀକ୍ଷେତ୍ର ବିହାର ନକଲି ମଦ କାରଖାନାରୁ ୨ପେଟି ବିଦେଶୀ ମଦ(୩୦ ଲିଟର) ସହ ୨୦୦୦ ଖାଲି ବୋତଲ, ଦୁଇଟି ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି ହୋଇଥିବା କେମିକାଲ ରଙ୍ଗ, ୨ ବୋତଲ ସେଣ୍ଟ, ୨୦ ଲିଟର ବିଶିଷ୍ଟ ୧୦ଟି ପ୍ଲାଷ୍ଟିକ ଜାର୍, ୧୦୦ଟି ନକଲି ଅବକାରୀ ସିଲ୍, ୨ କାର୍ଟୁନ୍ ପେପର, ୨୦୦୦ ଠିପି ଜବତ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସଡିପିଓ ଦେବୀ ଶଙ୍କର ପ୍ରତାପ, ଗୋସାଇଁ ନୂଆଗାଁ ଥାନାଧିକାରୀ ସ୍ମୃତିପ୍ରଭା ପ୍ରଧାନ ଉପସ୍ଥିତ ଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button