ବାଟିଯୋଡାରେ ସ୍ୱପ୍ନେଶ୍ୱର ପ୍ରିମିୟର ଲିଗ ଫାଇନାଲ, ସୁଙ୍ଗୁଡା ଚାମ୍ପିଅନ

ଯାଜପୁର: ଧର୍ମଶାଳା ବ୍ଲକ ମହିଶରା ପଞ୍ଚାୟତ ଅନ୍ତର୍ଗତ ବାଟିଯୋଡା ଗ୍ରାମରେ ସ୍ୱପ୍ନେଶ୍ୱର କ୍ଲବ ଆନୁକୂଲ୍ୟରେ ଆୟୋଜିତ ସ୍ୱପ୍ନେଶ୍ୱର ପ୍ରିମିୟର ଲିଗ କ୍ରିକେଟ ପ୍ରତିଯୋଗିତା ଉଦ୍ୟାପିତ ହୋଇଛି। ଫାଇନାଲରେ କେସିସି ସୁଙ୍ଗୁଡା ଓ ଏମସିସି ଜାରକା ମୁହାଁମୁହିଁ ହୋଇଥିଲେ।
ଟସ୍ ଜିତି ସୁଙ୍ଗୁଡା ୧୮ ଓଭରରେ ୬ ୱିକେଟ ହରାଇ ୨୪୮ ରନ କରିଥିଲା। ଉତ୍କଳ କେଶରୀ ରାଉତ ୩୧ ବଲରେ ୭୬ ରନର ଝଡ଼ ଖେଳିଥିଲେ। ଲକ୍ଷ୍ୟ ପଛୁଆଇ ଜାରକା ୧୯୭ ରନରେ ସୀମିତ ରହି ପରାଜୟ ବରଣ କରିଥିଲା। ସୁଙ୍ଗୁଡାର ଦେବାଶିଷ ମହାରଣା ୫ ୱିକେଟ ନେଇ ମ୍ୟାଚ୍ ଘୁରାଇଥିଲେ।
ଫାଇନାଲର ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ଭାବେ ଉତ୍କଳ କେଶରୀ ରାଉତ, ଯେତେବେଳେ ସମଗ୍ର ଟୁର୍ଣ୍ଣାମେଣ୍ଟର ‘ଶ୍ରେଷ୍ଠ ଖେଳାଳି’ ଭାବେ ବଦ୍ରୀ ଚୟନିତ ହୋଇଥିଲେ।
ଉଦ୍ଯାପନୀ ଅବସରରେ ମୁଖ୍ୟ ଅତିଥି ହିମାଂଶୁ ଶେଖର ସାହୁ ବିଜୟୀ ସୁଙ୍ଗୁଡା ଦଳକୁ ଟ୍ରଫି ସହ ୩୦ ହଜାର ଟଙ୍କା ଓ ଉପବିଜେତା ଜାରକାକୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।
ପ୍ରଭାରୀ ପ୍ରଦୀପ ପରିଡ଼ା, ମଣ୍ଡଳ ସଭାପତି ଶ୍ରୀବତ୍ସ ଧୀର, ସମିତି ସଭ୍ୟ ବିକାଶ ଖଟୁଆ ଓ ପବିତ୍ର ବେହେରା, ସରପଞ୍ଚ ସଫଳା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସ୍ୱପ୍ନେଶ୍ୱର କ୍ଲବ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ।




