ଗର୍ଭାବସ୍ଥାରେ ଘୁଙ୍ଗୁଡ଼ି ମାରୁଥିଲେ ଏବେଠୁ ହୁଅନ୍ତୁ ସଜାଗ, ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଶୋଇବା ବେଳେ ଘୁଙ୍ଗୁଡ଼ି ମାରିବା ଏକ ସାଧାରଣ କଥା। ଅଧିକାଂଶ ଲୋକ ଶୋଇବା ବେଳେ ଘୁଙ୍ଗୁଡ଼ି ମାରିଥାନ୍ତି। ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତି ଗଭୀର ନିଦ୍ରାରେ ଥିବାରୁ ତାଙ୍କୁ ଏହି ଶବ୍ଦ ଦ୍ୱାରା କୌଣସି ଫରକ ପଡ଼େନି, କିନ୍ତୁ ପାଖରେ ଶୋଇଥିବା ଲୋକମାନେ ଏଥିପାଇଁ ପ୍ରଭାବିତ ହୋଇଥାନ୍ତି। ଏଣୁ ଘୁଙ୍ଗୁଡ଼ି ମାରୁଥିବା ବ୍ୟକ୍ତିଙ୍କ ପାଖରେ ଶୋଇବାକୁ କେହି ଭଲ ପାଆନ୍ତି ନାହିଁ। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଗର୍ଭବତୀ ମହିଳାଙ୍କ ଘୁଙ୍ଗୁଡ଼ି ଯୋଗୁ ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ୟୁନିଭର୍ସିଟି ଅଫ୍ ମିଚିଗାନ୍ ତରଫରୁ ଆୟୋଜିତ ରିସର୍ଚ୍ଚରେ ତିନି ମାସର ଗର୍ଭଧାରଣ କରିଥିବା ୧,୬୭୩ ଜଣ ଗର୍ଭବତୀ ମହିଳା ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୫ ପ୍ରତିଶତ ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଥିଲେ। ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣାପଡ଼ିଥିବା ଯେ ଯେଉଁ ମା’ମାନେ ସପ୍ତାହରେ ତିନିଥର ଘୁଙ୍ଗୁଡ଼ି ମାରୁଥିଲେ ସେମାନଙ୍କ ଶିଶୁର ଶାରୀରିକ ବିକାଶ ଠିକ୍ ଭାବେ ହୋଇପାରିନଥିଲା। ଫଳରେ ନର୍ମାଲ ଡେଲିଭରିକୁ ନେଇ ବିପଦ ଦେଖାଯାଇଥିଲା। ଏଣୁ ସେମାନଙ୍କର ସିଜରିଆନ୍ ଡେଲିଭରି କରାଯାଇଥିଲା।
ଏହାର କାରଣ ସମ୍ପର୍କରେ ଡାକ୍ତର କହିଛନ୍ତି ଯେ ଗର୍ଭବତୀ ମହିଳା ଶୋଇବା ବେଳେ ଘୁଙ୍ଗୁଡ଼ି ମାରିଲେ ତାଙ୍କ ଶରୀରରେ ଭାଇବ୍ରେସନ୍ ହୋଇଥାଏ, ଯାହା କାଡିଓଭରକୁଲାର ସିଷ୍ଟମ୍ ପାଇଁ କ୍ଷତିକାରକ। ଏହା ଦ୍ୱାରା ଗର୍ଭସ୍ଥ ଶିଶୁ ପାଖକୁ ସାଧାରଣ ଭାବେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ, ଫଳରେ ଶିଶୁର ମଧ୍ୟ ଶାରୀରିକ ବିକାଶ ଠିକ୍ ଭାବେ ହୋଇପାରିନଥାଏ।
ତେବେ ଗର୍ଭାବସ୍ଥାରେ ଘୁଙ୍ଗୁଡ଼ି ମାରିବାକୁ ନେଇ ବ୍ୟତିବ୍ୟସ୍ତ ନ ହୋଇ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ। ଯୋଗ ପ୍ରାଣାୟାମ କରନ୍ତୁ। ଏହା ଦ୍ୱାରା ଶରୀରର ସମସ୍ତ ସମସ୍ୟା ଦୂର ହେବ। ସେହିଭଳି ଶୋଇବା ବେଳେ ପତଳା ତକିଆ ବ୍ୟବହାର କରନ୍ତୁ। ତଥାପି ଯଦି ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ବନ୍ଦ ହେଉନି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।




