ରାଜ୍ୟ

ବାଚସ୍ପତିଙ୍କ ପୋଡିୟମ୍‌କୁ ଡାଲି ଫିଙ୍ଗିଲେ: ବିଜେପି ବିଧାୟକ ମୋହନ, ମୁକେଶ ନିଲମ୍ବିତ – Ibnodisha

[ad_1]

ବାଚସ୍ପତି ନିରପେକ୍ଷ ନୁହନ୍ତି, ନିଲମ୍ବନକୁ ଖାତିର କରୁନୁ: ବିରୋଧୀ ଦଳ ନେତା

ଭୁବନେଶ୍ବର: ଆଜି ସନ୍ଧ୍ୟା‌ରେ ବିଜେପି ବିଧାୟକମାନେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ‌ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ। ଏଥିପାଇଁ ବାଚସ୍ପତି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି। ଆଜି ଶୂନ୍ୟକାଳରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀ ଦଳ ନେତା‌ଙ୍କର ମାନସିକ ସ୍ବାସ୍ଥ୍ୟ ଠିକ୍ ନଥିବା କହିଥିଲେ। ଏହାକୁ ଗୃହର ବିବରଣୀରୁ ବାଦ୍‌ ଦେବାକୁ ବିଜେପି ବିଧାୟକମାନେ ଦାବି କରିଥିଲେ। ହେଲେ ବାଚସ୍ପତି ଏନେଇ କିଛି ପଦକ୍ଷେପ ନେଇ ନଥିଲେ। ଖର୍ଚ୍ଚ ଦାବି ଆଲୋଚନା ହେବା କ୍ଷଣି ବିଜେପି ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ନେତାଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟକୁ ବାଦ୍‌ ଦେବା ଦାବିରେ ବିରୋଧ ପ୍ରଦର୍ଶନ କରିଥିଲେ। ବାଚସ୍ପତି ଶ୍ରୀମତୀ ମଲ୍ଲିକ କହିଥିଲେ ଯେ ଆପଣମାନେ ଆସନକୁ ଯାଆନ୍ତୁ। ଯାହା କହିଛନ୍ତି ତର୍ଜମା କରିବି। ହେଲେ ବିଜେପି ବିଧାୟକମାନେ ଅଭିଯୋଗ କରିଥିଲେ ଯେ ବାଚସ୍ପତି ଗୃହରେ ପାତରଅନ୍ତର କରୁଛନ୍ତି। ପରେ ବିଭିନ୍ନ ପର୍ଯ୍ୟାୟରେ ଗୃହ ସଂଧ୍ୟା ୬ଟା ୧୦ ପର୍ଯ୍ୟନ୍ତ ମୁଲତବୀ ହୋଇଥିଲା।

ସଂଧ୍ୟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଚସ୍ପତି ଖର୍ଚ୍ଚ ଦାବି ଆଲୋଚନା କରିବାକୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ଡାକିଥିଲେ। ହେଲେ ବିଜେପି ବିଧାୟକମାନେ ବିରୋଧ ଜାରି ରଖିଥିଲେ। ଏପରିକି ବିରୋଧୀ ଦଳ ନେତା କହିବାକୁ ଛିଡ଼ା ହୋଇଥିଲେ ବି ବାଚସ୍ପତି ଅନୁମତି ଦେଇନଥିଲେ। ମୁଖ୍ୟମନ୍ତ୍ରୀ ଖର୍ଚ୍ଚ ଦାବି ଆଲୋଚନା ଉପରେ ବିବୃତି ଦେବା ସମୟରେ ବିଜେପି ବିଧାୟକମାନେ ଦୁଇ ପୁଡ଼ିଆ ଡାଲି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଫିଙ୍ଗି ଦେଇଥିଲେ। ଆଉ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଗୃହର ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ‌ବିବୃତି ପଢ଼ିପାରିବେ ନାହିଁ। ଯେଉଁଠି ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ମିଳୁନି ସେଠାରେ ଆମେ ରହିବୁନି। ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଶାସକ ଦଳ ମୁଖ୍ୟ ସଚେତକ ‌ଗୃହରେ ମୋସନ୍ ଆଣିଥିଲେ ଯେ ବିଜେପିର ଦୁଇ ବିଧାୟକ ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗ ଗୃହ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିଥିବାରୁ ଏବଂ ବାଚସ୍ପତିଙ୍କ ଅସମ୍ମାନିତ କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଉ। ବାଚସ୍ପତି ଏହାକୁ ଗ୍ରହଣ କରି ଉଭୟଙ୍କୁ ନିଲମ୍ବନ କରିଥିଲେ।

ବାଚସ୍ପତି ନିରପେକ୍ଷ ନୁହନ୍ତି, ନିଲମ୍ବନକୁ ଖାତିର କରୁନୁ: ବିରୋଧୀ ଦଳ ନେତା
ବିନା ଦୋଷରେ ମୋତେ ନିଲମ୍ବନ କରାଯାଇଛି : ମୋହନ ମାଝୀ
ଡାଲି ଉପହାର ଦେଉଥିଲୁ: ମୁକେଶ
ଏହା ଦୁର୍ଭାଗ୍ୟଜନକ: ଦେବୀ ମିଶ୍ର
ନିୟମ ଅନୁସାରେ ସବୁ ହୋଇଛି: ବାଚସ୍ପତି

ବିଧାନସଭାରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ନେଇ ଗୃହ ବାହାରେ ଗଣମାଧ୍ୟମକୁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି ଯେ ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍‌ଅର୍ଡର କହିଲେ। ଏହାକୁ ବିବରଣୀରୁ ବାଦ୍‌ ଦେବାକୁ କହିଲୁ, କିନ୍ତୁ ବାଚସ୍ପତି ଗ୍ରହଣ କଲେନି। ବାଚସ୍ପତିଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ। ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି। ବାଚସ୍ପତି ନିଜେ ନିଲମ୍ବିତ ହେବା କଥା, ସେ କ’ଣ ନିଲମ୍ବନ କରୁଛନ୍ତି? ଏ ନିଲମ୍ବନକୁ ଆମେ ଭ୍ରୁକ୍ଷେପ କରୁନୁ। ଆମ ପ୍ରତିବାଦ ଜାରି ରହିବ। ସେହିପରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ ବିନା ଦୋଷରେ ମୋତେ ନିଲମ୍ବନ କରାଯାଇଛି । ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନି। ବାଚସ୍ପତି ଡାଲି ଭଲପାଉଥିବାରୁ ଆମ ବିଧାୟକ ଉପହାର ଦେବାକୁ ଆଣିଥିଲେ। ହେଲେ ଏପରି ନିଷ୍ପତ୍ତି ନିନ୍ଦନୀୟ, ଏହାର ଘୋର ପ୍ରତିବାଦ କରିବୁ।

ବିଧାୟକ ମୁକେଶ ମହାଲିଙ୍ଗ ତାଙ୍କୁ ନିଲମ୍ବନ କରାଯିବା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଡାଲି ହେଉଛି ଏକ ପ୍ରତୀକ। ତେଣୁ ଆମେ ଡାଲିକୁ ନେଇ ପ୍ରତିବାଦ କରିଥିଲୁ। ଗୃହରେ ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନି। ତାଙ୍କ ମାଇକ୍ କାଟି ଦିଆଯାଉଛି। ବାଚସ୍ପତି ଡାଲି ଭଲ ପାଉଥିବାରୁ ତାଙ୍କୁ ଉପହାର ଦେଉଥିଲୁ। ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ, ତାଙ୍କୁ କେବଳ ଆମେ ଡାଲି ଉପହାର ଦେଉଥିଲୁ। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମ ମହିଳା ବାଚସ୍ପତିଙ୍କ ପ୍ରତି ଏହି ଆଚରଣ ନିନ୍ଦନୀୟ। ଗୃହର ମତକୁ ନେଇ ମୁଖ୍ୟ ସଚେତକ ପ୍ରସ୍ତାବ ଆଗତ କରିଥିଲେ, ଯେଉଁ ଦୁଇ ଜଣ ସଦସ୍ୟ ଏଭଳି କାର୍ଯ୍ୟ କରିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସଙ୍କଳ୍ପ ପାରିତ ହେଲା। ସେମାନେ ଏହାକୁ ଉପହାର କହିବା କେମିତି ଉଚିତ ଭାବୁଛନ୍ତି? ସେମାନେ ବିଭିନ୍ନ ଫୋରମରେ ଭାଗ ନେଇ କହିପାରିଥାନ୍ତେ। ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ କହିପାରିଥାନ୍ତେ। ଆଚରଣ ଓ ଉଚ୍ଚାରଣରେ ସଂସଦୀୟ ପରମ୍ପରା ଗାରିମା କ୍ଷୁର୍ଣ୍ଣ ହୋଇଛି। ବିଧାନସଭା ଇତିହାସରେ ଆଜି କଳଙ୍କର ଦାଗ ଲାଗିଛି। ଅପରପକ୍ଷେ ବି‌ଜେପି ବିଧାୟକଙ୍କୁ ନିଲମ୍ବନ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି ଯେ ତାଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହର ସଦସ୍ୟମାନେ କ୍ଷୁବ୍ଧ ହୋଇଥିଲେ। ସମ୍ବିଧାନ ନିୟମ ଅନୁସାରେ ସବୁ ହୋଇଛି। ଗୃହର ମତ ନିଆଯାଇ ଯାହା ନୀତି ନିୟମ ଅଛି, ତା’ ଆଧାରରେ ସବୁ କରାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button