ରାଜ୍ୟ

ବଡ଼ ହିଂସା ଘଟାଇବାକୁ ସୁଯୋଗ ଖୋଜୁଛି: ୩ ସାଥୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ବଳ ଗୋଟାଉଛି – Ibnodisha

[ad_1]

କେକେବିଏନ୍ ଡିଭିଜନ୍ ହାତରେ ଏକେ-୪୭, ବିପୁଳ ବିସ୍ଫୋରକ, ସକ୍ରିୟ ହେଉଛନ୍ତି ମାଓବାଦୀ, ଛତିଶଗଡ଼ର ପଟୁ ବି ବିପଦ

ଭୁବନେଶ୍ବର: ରାଜ୍ୟରେ ମାଓ ହିଂସା ହ୍ରାସ ପାଇଥିଲେ ମଧ୍ୟ କେକେବିଏନ୍(କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼) ଡିଭିଜନ୍ ଏବେ ସବୁଠୁ ସକ୍ରିୟ ରହିଛି। ନିଜ ସଂଗଠନକୁ ସୁଦୃଢ଼ କରି ଚାଲିଛି କେକେବିଏନ୍ ସଂଗଠନ। ବର୍ଷା ସରି ଆସୁଥିବା ବେଳେ ଆଗକୁ ବଡ଼ ଧରଣର ହିଂସା ଘଟାଇବାକୁ ସୁଯୋଗ ଖୋଜୁଥିବା କୁହାଯାଉଛି। ସେହିପରି ବନ୍ଧୁକ, ଗୋଳାବାରୁଦ, ବିସ୍ଫୋରକ ସଂଗ୍ରହ କରୁଥିବା ମଧ୍ୟ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଯାହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ମିଳିଥିବା ସୂଚନା ଅନୁସାରେ, କେକେବିଏନ୍ ଡିଭିଜନ୍ ସଂଗଠନ ସମ୍ଭାଳିଛି ମୋଷ୍ଟ ଵାଣ୍ଟେଡ୍ ଦୁର୍ଦ୍ଦାନ୍ତ ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ଓଡ଼ିଶା ଷ୍ଟେଟ୍ କମିଟି ସମ୍ପାଦକ ପ୍ରମୋଦ ଓରଫ୍ ପାଣ୍ଡୁ ଓରଫ୍ ବିଜୟ। ବିଜୟ ନେତୃତ୍ବରେ ୮୦ରୁ ଅଧିକ ସଦସ୍ୟ ସକ୍ରିୟ ରହିଛନ୍ତି। ନୟାଗଡ଼ ସୀମା ରେଖାରୁ ଆରମ୍ଭ କରି ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡିରେ ଏହି ସଂଗଠନ ବୁଲାବୁଲି କରୁଛି। ବିଶେଷ କରି କନ୍ଧମାଳ ଓ କଳାହାଣ୍ଡିରେ ସେମାନେ ଆଡ୍ଡା ଜମାଇଛନ୍ତି। ଗତ ମେ’ ମାସରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରେଙ୍ଗ ଅଞ୍ଚଳରେ ଏନକାଉଣ୍ଟରରେ କେକେବିଏନ୍ ଡିଭିଜନର ୩ ସଦସ୍ୟ ନିହତ ହୋଇଥିଲେ। ଏହି ଘଟଣା ପରଠାରୁ ପ୍ରତିଶୋଧ ନିଆଁରେ ଜଳୁଛି ଏହି ଦୁର୍ଦ୍ଦାନ୍ତ ସଂଗଠନ। ବର୍ଷାରେ ସଦସ୍ୟମାନେ ଆତ୍ମଗୋପନ କରି ରହିବା ସହ ସଂଗଠନକୁ ଆହୁରି ସଶକ୍ତ କରିବାରେ ଲାଗି ପଡ଼ିଛନ୍ତି। ଖାଲି ଯେ ସଂଗଠନକୁ ସୁଦୃଢ଼ କରୁଛନ୍ତି ତା ନୁହେଁ ସଦସ୍ୟ ସଂଖ୍ୟା ମଧ୍ୟ ବଢ଼ାଇ ଚାଲିଛନ୍ତି। ଦୁର୍ବଳ ହୋଇ ପଡ଼ିଥିବା ମାଓ ସଦସ୍ୟମାନଙ୍କୁ ନିଜ ସଂଗଠନରେ ମିଶାଇ ବଳ ଗୋଟାଉଛନ୍ତି। ସେହିପରି ଛତିଶଗଡ଼ ମାଓ ଡିଭିଜନର ମଧ୍ୟ କେତେକ ସଦସ୍ୟ ନିକଟରେ ସାମିଲ ହୋଇଛନ୍ତି। ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ସଂଗ୍ରହ କରିଛନ୍ତି। ଏକେ-୪୭, ଇନସାସ୍ ଭଳି ରାଇଫଲ୍ ଧରିବା ସହ ବିପୁଳ ବିସ୍ଫୋରକ ମଧ୍ୟ ମହଜୁଦ୍ ରଖିଥିବା କୁହାଯାଉଛି।

ଆଗକୁ ଶୀତ ଆସୁଥିବାରୁ କେକେବିଏନ୍ ଡିଭିଜନ୍ ହିଂସାକାଣ୍ଡ ଘଟାଇବା ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି। ସେହିପରି ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କେକେବିଏନ୍ ଡିଭିଜନ୍ ସେହି ସମୟରେ ମଧ୍ୟ ହିଂସାକାଣ୍ଡ ଘଟାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। କେବଳ କେକେବିଏନ୍ ଡିଭିଜନ ନୁହେଁ ଛତିଶଗଡ଼ ପଟୁ ମଧ୍ୟ ବିପଦ ରହିଛି। ଛତିଶଗଡ଼ରେ ପୁଲିସର ସର୍ଚ୍ଚ ଅପରେସନ୍ ହେଉ କିମ୍ବା କୌଣସି ହିଂସାକାଣ୍ଡ ଘଟାଇବା ପରେ ସେଠାରୁ ଛତ୍ରଭଙ୍ଗ ଦେଇ ଓଡ଼ିଶା ଚାଲି ଆସୁଥିବା ମାଓବାଦୀମାନେ ମଧ୍ୟ ଏଠାରେ ଅପ୍ରୀତିକର ପରିସ୍ଥିତି ଘଟାଇବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ପୁଲିସ ପାଇଁ କେକେବିଏନ୍ ଡିଭିଜନ୍ ମୁଣ୍ଡବିନ୍ଧାର କାରଣ ସାଜିଛି। ଅନ୍ୟପଟରେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ମାଓବାଦୀ ସକ୍ରିୟ ରହିଛନ୍ତି। ଏଠାରେ ନୂଆପଡ଼ା-ମୈନପୁର ମାଓ ଡିଭିଜନ୍ କାମ କରୁଥିବା ବେଳେ ୫୦ରୁ ଅଧିକ ସକ୍ରିୟ ସଦସ୍ୟ ରହିଛନ୍ତି। ସେମାନଙ୍କ ନିକଟରେ ମଧ୍ୟ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ବିସ୍ଫୋରକ ରହିଛି। ଗତ ଅଗଷ୍ଟ ୨୫ ତାରିଖରେ ନୂଆପଡ଼ା ବ୍ଲକ ଅଫିସରୁ ୧୨ କିଲୋମିଟର ଦୂର କେରମେଲି ପଞ୍ଚାୟତ ଗୋଲାବନ୍ଧଠାରେ ଥିବା ଫରେଷ୍ଟ ବିଟ୍ ହାଉସକୁ ମାଓବାଦୀ ବୋମାମାଡ଼ କରି ଉଡାଇ ଦେଇଥିଲେ। ସେହିପରି ବିଏସଏନଏଲ୍ ଟାଵାର କାମରେ ନିୟୋଜିତ ଏକ ଜେସିବି ମେସିନକୁ ଜାଳି ଉପସ୍ଥିତି ଜାହିର କରିଥିଲେ। ଏହି ସଂଗଠନ ସୁଦୃଢ଼ ହୋଇ ଚାଲିଥିବା ବେଳେ ଆଗକୁ ବଡ଼ଧରଣର ହିଂସାକାଣ୍ଡ ଘଟାଇବାର ଆଶଙ୍କା ରହିଛି। ତେଣୁ ଏହି ଦୁଇ ସଂଗଠନ ଏବେ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଆଗକୁ ମାଓ ଦମନ ପାଇଁ ରାଜ୍ୟ ପୁଲିସର ରଣନୀତି କ’ଣ ରହିବ? କେକେବିଏନ୍ ଡିଭିଜନକୁ ଦୁର୍ବଳ କରିବା ପାଇଁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ କରାଯିବ କି? ଦୀର୍ଘଦିନ ହେବ ପଡ଼ୋଶୀ ରାଜ୍ୟ ସହ ମାଓ ଦମନ ରଣନୀତି କିମ୍ବା ରାଜ୍ୟରେ ମଧ୍ୟ ସେମିତି କୌଣସି ବଡ଼ଧରଣର ବୈଠକ ବସି ନ ଥିବା ବେଳେ ଆଗକୁ ଆୟୋଜନ କରାଯିବ କି? ବୋଲି ପ୍ରଶ୍ନ ଉଠିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button