ରାଜ୍ୟ

ସିଏମସି କମିଶନରଙ୍କ ଉପରେ ବର୍ଷିଲେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ ।

IBN ଓଡିଶା(ବ୍ୟୁରୋ):-ଭୁବନେଶ୍ୱର:-ସେ ଗରିବ ଲୋକମାନଙ୍କ ଉପରେ ଟିକେ ଦୟା କରନ୍ତୁ। ସେମାନଙ୍କୁ ଆଉ ୧୫ ଦିନ ସମୟ ଦିଅନ୍ତୁ। ତା’ପରେ ସେମାନଙ୍କ ବସ୍ତି ଭାଙ୍ଗିବେ। ମୁଁ ଅନୁନୟ ହୋଇ କହିଲି। ମୋ ବିଧାୟକ ପୁଅ ବି ଅନୁରୋଧ କଲେ। ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଆରଡିସି ସମସ୍ତଙ୍କୁ କହିଲୁ। କିନ୍ତୁ ସେ ଲେଡ଼ି ଆଇଏଏସ୍ ଅଫିସର କିଛି ଶୁଣିଲେନି। ଗରିବ ଲୋକମାନଙ୍କୁ ହଟାଇ ଦେଲେ। ଗତକାଲି ରାତିରେ କାଳବୈଶାଖୀ ବର୍ଷାରେ ସେମାନଙ୍କ ଘରେ ପାଣି ପଶିଲା। ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। ସେ ଲେଡ଼ି ଆଇଏଏସ୍ ଅଫିସର କ’ଣ ହୋଇଗଲା କି? ଯାହା ମନକୁ ଆସିବ କରିଯିବ । ଏଠି କ’ଣ ତା’ ଅଧୀନରେ ଆମେ ସବୁ ଅଛୁ କି?”ଏହା କୌଣସି ଫିଲ୍ମର ସଂଳାପ ନୁହେଁ । ବରଂ ଗତକାଲି ରାତିରେ କାଳବୈଶାଖୀ ବର୍ଷାରେ ଦୁର୍ଦ୍ଦଶା ଭୋଗୁଥିବା ବସ୍ତିବାସିନ୍ଦାଙ୍କ ଦୁଃଖ ଓ ଯନ୍ତ୍ରଣାକୁ ଏଭଳି ଢ଼ଙ୍ଗରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପାଖରେ ରଖୁଛନ୍ତି କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ। ତାଙ୍କ ସହ ପୁଅ ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ କଟକ ମହାନଗର ନିଗମ କମିଶନର(ସିଏମସି) ଅନନ୍ୟା ଦାସଙ୍କ ପ୍ରତି ଥିବା ନିଜର କ୍ଷୋଭକୁ ବ୍ୟକ୍ତ କରୁଥାନ୍ତି। ଗୋଟିଏ ଜିଦ୍ ସିଏମସି କମିଶନରଙ୍କୁ ଡାକନ୍ତୁ ଆମେ ଭେଟିବୁ। କିନ୍ତୁ ଲେଡ଼ି ଆଇଏଏସ୍ ଅଫିସରଙ୍କ ପ୍ରଭାବ ଆଗରେ ଜିଲ୍ଲା ପ୍ରଶାସନ ନାଚାର ହୋଇପଡ଼ିଥିଲା।
ସୂଚନା ଅନୁସାରେ, ରାଜ୍ୟରେ କୋଭିଡ୍ ମହାମାରୀର ମୁକାବିଲା ପାଇଁ ରାଜ୍ୟ ପ୍ରଶାସନ ଦିନରାତି କାର୍ଯ୍ୟ କରୁଥିବାବେଳେ କଟକ ମହାନଗର ପକ୍ଷରୁ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରିବା ଏବେ ଭିନ୍ନମୋଡ଼ ନେଇଛି। ଗତକାଲି କାଳବୈଶାଖୀର ତାଣ୍ଡବରେ କଟକ ନୂଆପଡ଼ାସ୍ଥିତ ବାଲିସାହିରେ ଥଇଥାନ ହୋଇଥିବା ବହୁ ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶିବା ଓ ରାତିସାରା ବର୍ଷାପବନରେ ସେମାନେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ନପାଇବାକୁ ନେଇ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳ ଆଜି କଟକ ମହାନଗର କମିଶନରଙ୍କ କାର୍ଯ୍ୟକୁ ଖୋଲାଖୋଲି ନିନ୍ଦା କରିବା ସହ ଅଫିସରରାଜ୍‌କୁ ନେଇ ବର୍ଷିଛନ୍ତି।
ବିଜେଡି ବିଧାୟକ ଶ୍ରୀ ବିଶ୍ୱାଳ ଓ ତାଙ୍କ ପିତା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଉଭୟ ଆଜି ଜିଲ୍ଲା ନୂଆପଡ଼ାର ବାଲିସାହି ବସ୍ତି ନିକଟରୁ ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କାଳବୈଶାଖୀ ପୀଡ଼ିତ ବସ୍ତିବାସିନ୍ଦାଙ୍କୁ ଧରି ସେ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ ମଧ୍ୟ ସିଏମସି କମିଶନର ଅନନ୍ୟା ଦାସ ଆସିନଥିଲେ। ଏପରିକି ସେମାନେ ଫୋନ୍ କରି ଅନୁନୟ ହୋଇଥିଲେ ମଧ୍ୟ କମିଶନର ଆସିପାରିବେ ନାହିଁ ବୋଲି ରୋକଠୋକ୍ ମନା କରିଦେଇଥିଲେ।
ବିଜେଡି ବିଧାୟକ ଶ୍ରୀ ବିଶ୍ୱାଳ କାହିଁକି ସିଏମସି କମିଶନର ଆସିବେ ନାହିଁ ବୋଲି ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି। ଯେ ପର୍ଯ୍ୟନ୍ତ ସିଏମସି କମିଶନର ଏଠାକୁ ନଆସିବେ ସେ ଜାଗା ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ସେହିପରି ତାଙ୍କ ପିତା ତଥା ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଥିଲେ ଯେ, କଟକ ମହାନଗର ଗଢ଼ିବାରେ ସେମାନେ ରକ୍ତ ଦେଇଛନ୍ତି। ଗରିବ ଲୋକମାନେ ହଇରାଣ ହେବେ। ସେଥିପାଇଁ ଅନୁନୟ କରି ସେମାନଙ୍କୁ ୧୫ଦିନ ସମୟ ଦେବାକୁ କହିଥିଲି। କିନ୍ତୁ ଏ ମ୍ୟାଡ଼ାମ୍ କିଛି ଶୁଣିଲେ ନାହିଁ। ମହାନଗରରେ ମନଇଚ୍ଛା ସବୁ କରୁଛନ୍ତି। ଶାସକ ଦଳର ବିଧାୟକଙ୍କୁ ବି ପଚାରୁ ନାହାନ୍ତି । ଇଏ କ’ଣ ଚାଲିଛି। ବହୁତ ହୋଇଗଲାଣି। ସେ ନିଜକୁ କ’ଣ ଭାବିଲେଣି । ସେ ଯାଇ ଏଥର ନିର୍ବାଚନ ଲଢ଼ନ୍ତୁ। ଏଥର ତାଙ୍କ ସହ ମୁହାଁମୁହିଁ ହେବ। ସେ ଯିବେ ନଚେତ୍‌ ଆମେ ଯିବୁ । କିନ୍ତୁ କଟକର ଗରିବ ଲୋକଙ୍କ ଉପରେ ଏଭଳି ଜୁଲୁମ୍ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ।
ତେବେ ପ୍ରଶ୍ନ ଉଠୁଛି, ସିଏମସି କମିଶନର ଶ୍ରୀମତୀ ଦାସ କରୋନା ମହାମାରୀ ସଂକ୍ରମଣବେଳେ ମାଲଗୋଦାମ ଅଂଚଳରୁ ବସ୍ତି ଉଚ୍ଛେଦ କରିବା ପାଇଁ କାହିଁକି ଏତେ ଜିଦ୍ ଧରିଥିଲେ। ସ୍ଥାନୀୟ ବିଧାୟକ ଓ ଲୋକପ୍ରତିନିଧିଙ୍କ ଅନୁରୋଧକୁ ବି ଏଡ଼ାଇ ଯାଇଥିଲେ। ଗରିବ ବସ୍ତିବାସିନ୍ଦାଙ୍କୁ ନେଇ ମହାନଗର ନିଗମ ଯେଉଁ ସ୍ଥାନରେ ଥଇଥାନ କରିଛି ସେଠାରେ ଆବଶ୍ୟକ ବ୍ୟବସ୍ଥା ନଥାଇ ଏଭଳି ଥଇଥାନ କରିବାର ଆବଶ୍ୟକତା କ’ଣ ରହିଥିଲା ଓ କାଳବୈଶାଖୀ ପ୍ରଭାବରେ ସେଠାରେ ଲୋକେ ହନ୍ତସନ୍ତ ହେଉଥିଲେ ମଧ୍ୟ କମିଶନର ଶ୍ରୀମତୀ ଦାସ କାହିଁକି ସେଠାକୁ ଯାଇନଥିଲେ?

Related Articles

Leave a Reply

Your email address will not be published. Required fields are marked *

Back to top button