କୋଇଲା ଖଣି ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ନେଇ କ’ଣ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର, ପ୍ରଶ୍ନକଲେ ସାଂସଦ – Ibnodisha
[ad_1]
ନୂଆଦିଲ୍ଲୀ : ଆମ ରାଜ୍ୟ ଓଡ଼ିଶା ଖଣି ଖାଦନରେ ଭରା । ଦେଶରେ ଚାଲୁଥିବା ବିଭିନ୍ନ କଳକାରଖାନା ଓଡ଼ିଶାର ଖଣି ଉପରେ ନିର୍ଭରଶୀଳ । ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟର ଶତ ପ୍ରତିଶତ ଓଡ଼ିଶାରୁ ହିଁ ଉତ୍ପାଦିନ ହୁଏ । ସେହିପରି ଦେଶର ୭୫ ପ୍ରତିଶତ ବକ୍ସାଇଟ,୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ହିଁ ଉତ୍ପାଦନ ହେଉଛି । ଦେଶକୁ ଓଡ଼ିଶା ଖଣିରୁ କୋଟି କୋଟି ରାଜସ୍ୱ ଯାଉଥିଲେ ମଧ୍ୟ ଖଣି ଖୋଳାଯାଉଥିବା ଅଞ୍ଚଳରେ ବାୟୁ ପ୍ରଦୂଷଣ ପ୍ରତି ସରକାର କମ୍ ଦୃଷ୍ଟି ନିକ୍ଷେପ କରୁଛନ୍ତି । ଯାହାକୁ ନେଇ ରାଜ୍ୟ ସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।
ଏନେଇ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସଂସଦରେ ଲିଖିତ ପ୍ରଶ୍ନ କରିଥିଲେ କି କେନ୍ଦ୍ର ସରକାର କୋଇଲା ଖଣି ଦ୍ୱାରା ହେଉଥିବା ବାୟୁ ପ୍ରଦୂଷଣକୁ ରୋକିବାକୁ କି ପଦକ୍ଷେପ ନେଇଛନ୍ତି । ଏଥି ସହିତ କେନ୍ଦ୍ର ସରକାର କୋଇଲା ଖଣିମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବେ କି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏପରିକି କୋଇଲା ଖଣିଗୁଡିକ କେନ୍ଦ୍ର ସରକାରଙ୍କ ଗାଇଡଲାଇନର ଅନୁପାଳନ କରୁଛନ୍ତି କି ନାହିଁ ତାର ତଦାରଖ ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଏକ ସମ୍ମିଳିତ ବ୍ୟବସ୍ଥା ଗ୍ରହଣ କରାଯାଉଛି କି ନାହିଁ ସେନେଇ ମଧ୍ୟ ବିଜେଡି ସାଂସଦ ପ୍ରଶ୍ନ କରିଛନ୍ତି । ତେବେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ସାରା ଦେଶର କୋଇଲା ଖଣିରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ତିନୋଟି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି ଅନୁଯାୟୀ ପ୍ରକଳ୍ପ ପ୍ରସ୍ତାବକଙ୍କୁ ପରିବେଶର ପ୍ରଭାବ ଅଧ୍ୟୟନ କରିବାକୁ ପଡିବ ଏବଂ ପରିବେଶର ସୁରକ୍ଷା ନିଶ୍ଚିତ କରିବାକୁ ଉପଯୁକ୍ତ ପରିବେଶ ପରିଚାଳନା ଯୋଜନା ଗ୍ରହଣ କରିବାକୁ ପଡିବ । ସେହିଭଳି କୋଇଲା ଖଣି ମାନକ ବିଜ୍ଞପ୍ତି ଅନୁଯାୟୀ ପୂରୁଣା ଓ ନୂଆ ଖଣିଗୁଡିକ କୋର ଏରିଆରେ ପ୍ରଦୂଷଣ ରୋକିବା ପାଇଁ କି ପଦକ୍ଷେପ ଗ୍ରହଣ କରିବା ଉଚିତ ସେ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।
ଏଥି ସହିତ ନ୍ୟାସନାଲ୍ ଆମ୍ବିଏଣ୍ଟ୍ ଏୟାର କ୍ୱାଲିଟି ଷ୍ଟାଣ୍ଡାର୍ଡସରେ ଖଣିଗୁଡିକ ଚାରିପାଖରେ ଥିବା ବଫର୍ ଜୋନରେ ରକ୍ଷଣାବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଖଣି ଖନନ ଓ ବିକାଶ ସମୟରେ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାର ଅନୁପାଳନ କରାଯାଉଛି କି ନାହିଁ ତାହା କେନ୍ଦ୍ରୀୟ କୋଇଲା ପିଏସୟୁ ଗୁଡିକ ଯାଞ୍ଚ କରିଥାନ୍ତି । ଖଣି ଲିଜଧାରୀମାନେ ମଧ୍ୟ ପ୍ରତି ଛଅ ମାସରେ କେନ୍ଦ୍ର ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ଦେଇଥାନ୍ତି । ଖଣି ଅଞ୍ଚଳରେ ଶିଳ୍ପାୟନ ସହ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ କ୍ଷମତା ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
[ad_2]