ରାଜନୀତି

ସେନାବାହିନୀରେ ଠିକା ନିଯୁକ୍ତି ଦେଶର ଯୁବବର୍ଗଙ୍କ ପାଇଁ ଉପହାସ – Ibnodisha

[ad_1]

ଭୁବନେଶ୍ୱର  : ଦେଶର ସୁରକ୍ଷା କେନ୍ଦ୍ର ସରକାରଙ୍କ ଉତରଦାୟିତ୍ୱ ହୋଇଥିଲାବେଳେ ଅଗ୍ନିପଥ ଯୋଜନାରେ ୪ ବର୍ଷ ପାଇଁ ଅଗ୍ନିବୀରଙ୍କୁ ନିଯୁକ୍ତି ଦେଇ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେବାକୁ ଅପଚେଷ୍ଟା କରୁଛନ୍ତି ବିଜେପି ସରକାର । ଦେଶର କୋଟି କୋଟି ଯୁବବର୍ଗଙ୍କୁ ଆଜି ନିରାଶ ଓ ପ୍ରତାରିତ ହେବାକୁ ପଡ଼ୁଛି । ତଥ୍ୟ ଅନୁସାରେ ୨୦୧୨ ମସିହାରେ ବେକାର ଯୁବକଯୁବତୀଙ୍କ ସଂଖ୍ୟା ୧ କୋଟି ଥିଲାବେଳେ ବର୍ତମାନ ତାହା ୪ କୋଟିରେ ପହଂଚିଛି । ଦେଶରେ ଜିଏସ୍‌ଟି ଓ ବିମୁଦ୍ରୀକରଣ ପରେ ୯୦ ପ୍ରତିଶତ ନିଯୁକ୍ତି ସୃଷ୍ଟି କରୁଥିବା ଏମ୍‌.ଏସ୍‌.ଏମ୍‌ଇ ସେକ୍ଟର ସଂପୂର୍ଣ୍ଣ ଭାବେ ଦୁର୍ବଳ ହୋଇପଡ଼ିଛି । ଏନ୍‌.ସିଆରବି ତଥ୍ୟ ଅନୁସାରେ ପ୍ରତି ଘଂଟାରେ ରୋଜଗାର ନପାଇ ଦୁଇଜଣ ବେକାର ଆତ୍ମହତ୍ୟା କରୁଛନ୍ତି । ବେକାର ଯୁବପୀଢ଼ିଙ୍କ ହକକୁ ସୁନିଶ୍ଚିତ କରିବା ଓ ସେମାନଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ଗାନ୍ଧୀ ‘ଜୟଜବାନ୍‌’ ଅଭିଯାନ ଆରମ୍ଭ କରିଛନ୍ତି । ଯୁବ ନ୍ୟାୟ ପାଇଁ ଉଦ୍ଦିଷ୍ଟ ‘ଜୟ ଜବାନ୍‌’ ଅଭିଯାନ ସମଗ୍ର ଦେଶରେ ୩ଟି ଫେଜରେ କରାଯିବ । ସଂପର୍କ, ସତ୍ୟାଗ୍ରହ ଓ ନ୍ୟାୟଯାତ୍ରା (ପଦଯାତ୍ରା) ମାଧ୍ୟମରେ ଦେଶର ଯୁବକଙ୍କୁ ଯୋଡ଼ିବ ଏହି ଜୟଜବାନ ଅଭିଯାନ ବୋଲି ପୂର୍ବତନ ସାଂସଦ ତଥା ଏଆଇସିସିର ମୁଖପାତ୍ର ସଂଜୟ ନିରୁପମ କହିଛନ୍ତି ।
ଆଜି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନିରୁପମ କହିଛନ୍ତି ଯେ କେନ୍ଦ୍ର ସରକାର ସେନାବାହିନରେ ନିୟମିତ ନିଯୁକ୍ତି ପାଇଁ ଅପେକ୍ଷାରତ ଯୁବର୍ଗଙ୍କୁ ପ୍ରତାରିତ କରିଛନ୍ତି । ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଥିବା ଯୁବକ ନିୟମିତ ସେନା କର୍ମଚାରୀଙ୍କ ଭଳି ସୁବିଧାସୁଯୋଗରୁ ବଂଚିତ ହେଉଛନ୍ତି । ଦରମା ହେଉ ବା ଅବସରକାଳୀନ ଭତା କିମ୍ବା ଦେହାନ୍ତ ପରେ ସହୀଦ ପରିବାରର ମାନ୍ୟତା ସେମାନଙ୍କୁ ଦିଆଯାଉନାହିଁ । ଏପରିସ୍ଥଳେ ଏହି ଯୋଜନାରେ ଚାକିରି କରିବା ପାଇଁ ଯୁବପୀଢ଼ିଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହେଉନାହିଁ । ଆରଟିଆଇ ତଥ୍ୟ ଅନୁସାରେ ୨୦୨୨-୨୩ ମସିହାରେ ୩୪ ଲକ୍ଷ ଯୁବକ ଏହି ଚାକିରି ପାଇଁ ଆବେଦନ କରିଥିବାବେଳେ ୨୦୨୩-୨୪ ମସିହାରେ ଏହା ୧୦ ଲକ୍ଷରେ ପହଂଚିଛି । ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ଯୁବପିଢ଼ିଙ୍କ ଭିତରେ ଏହି ଯୋଜନାରେ କାର୍ଯ୍ୟ କରିବା ପାଇଁ ଆଗ୍ରହ କମିଛି ବୋଲି ଶ୍ରୀ ନିରୂପମ କହିଛନ୍ତି । ଅପରପକ୍ଷରେ ଉତରପ୍ରଦେଶର କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପାଇଁ ୫୦ ଲକ୍ଷ ଯୁବକ ଆବେଦନ କରିଥିବାବେଳେ ଅଗ୍ନିବୀର ୪ ବର୍ଷିଆ ଚାକିରି ପାଇଁ ଯୁବପୀଢ଼ିଙ୍କ ଭିତରେ ଆଗ୍ରହ ନ ଥିବା ଦେଖାଯାଉଛି । ଅଗ୍ନିପଥ ଯୋଜନା ଆରମ୍ଭ ହେବା ପୂର୍ବରୁ ସେନାବାହିନୀରେ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିଯୁକ୍ତି ବଂଚିତ ହୋଇଥିବା ଦେଢ଼ଲକ୍ଷ ଯୁବାଙ୍କୁ ଚାକିରି ଦେବା, ପୁରୁଣା ନିଯୁକ୍ତି ବ୍ୟବସ୍ଥା ପୁନଃ ଲାଗିକରିବା ଆଦି ଦାବିରେ ଜାନୁୟାରୀ ୩୧ ତାରିଖ ରୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଥିବା ‘ଜୟଯବାନ’ ଅଭିଯାନ ତମାମ ଦେଶରେ ଜୋରଦାର କରାଯିବ ବୋଲି ସେ କହିଥିଲେ । ଏହି ଅଭିଯାନରେ ୩୦ ଲକ୍ଷ ପରିବାରକୁ ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ବିଭାଗ ସହିତ ସଂପୃକ୍ତ ପରିବାର ଓ ଏହି ବିଭାଗରେ ଚାକିରି ପାଇଁ ଆଶାୟୀ ଯୁବବର୍ଗଙ୍କୁ ‘ଜୟଜବାନ’ ଅଭିଯାନରେ ସାମିଲ ହେବାକୁ ‘ନ୍ୟାୟପତ୍ର’ (ଫର୍ମ ଓ ଲିଫ୍‌ଲେଟ) ପ୍ରଦାନ କରାଯିବ । ସେ ଆହୁରି କହିଥିଲେ ଯେ ସ୍ୱଳ୍ପକାଳୀନ ଠିକା ଅଗ୍ନିପଥ ଯୋଜନା ଆରମ୍ଭ କରି କେନ୍ଦ୍ର ସରକାର ସମସ୍ତ ଯୋଗ୍ୟତା ଥିବା ଯୁବବର୍ଗଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଦେଇଛି । ୯୭ ଟି କେନ୍ଦ୍ରରେ ଆୟୋଜିତ ନିଯୁକ୍ତି ପରୀକ୍ଷାରେ ୫୦ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କ ଠାରୁ ଫି’ ବାବଦକୁ ଆଦାୟ କରାଯାଇଥିବା ୧୦୦ କୋଟି ଟଙ୍କା ସରକାରଙ୍କ ତହସିଲରେ ପଡ଼ିରହିଛି ହେଲେ ସେମାନଙ୍କୁ ନିଯୁକ୍ତି ଦିଆଯାଇନାହିଁ । ଏପରିସ୍ଥଳେ ଦେଶରେ ଦେଖା ଦେଇଥିବା ଅନ୍ୟାୟ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ “ଭାରତ ଯୋଡ଼ ନ୍ୟାୟ ଯାତ୍ରା”ରେ ଯୁବକ, ମହିଳା, ଦଳିତ, ଆଦିବାସୀ ଓ କୃଷକ ଏହି ୫ ଟି ବର୍ଗଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଓ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଯୁବପିଢ଼ି ଆଗେଇ ଆସିବା ଲାଗି ଶ୍ରୀ ନିରୁପମ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ପିସିସି ମିଡ଼ିଆ ସଂପାଦକ ପ୍ରଶାନ୍ତ ଶତପଥି, ପୂର୍ବତନ ସାଂସଦ ଅନନ୍ତ ସେଠୀ, କଂଗ୍ରେସର ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ମୁଖପାତ୍ର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button