ଛାତ୍ରଙ୍କୁ ରାସ୍ତାରେ ଆଣ୍ଠେଇବା ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର:IBN ଓଡିଶା:-ନିଳାଦ୍ରିବିହାର ରାସ୍ତାରେ ଛାତ୍ରଙ୍କୁ ଆଣ୍ଠେଇବା ଘଟଣାରେ କମିଶନରେଟ୍ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ପୀଡି଼ତ ରାଜେଶ କୁମାର ନାୟକଙ୍କ ଅଭିଯୋଗକ୍ରମେ ଚନ୍ଦ୍ରଶେଖରପୁର ଥାନା ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ, କଟକ ଆଠଗଡ଼ ବାସୁଦେବପୁରର ଭିଥଲ ଓରଫ ପିବି ଐଶକାନ୍ତ, ବୁବୁ ଓରଫ ପ୍ରିୟବ୍ରତ ଗୋଛି, ବିଷ୍ଣୁ ପ୍ରସାଦ ସେଠୀ, ଆଦିତ୍ୟ ଦାସ ଓ ବଡମ୍ବା ନରସିଂହପୁରର ଦେବଦତ୍ତ ଜେନା ।
ପୁଲିସ କହିଛି, ଜଣେ ଛାତ୍ରଙ୍କୁ ଦୟନୀୟ ଭାବେ ଏଭଳି ଦଣ୍ଡ ଦେବା ପଛର କାରଣ ହେଉଛି ତ୍ରିକୋଣୀୟ ପ୍ରେମ । ଅଭିଯୋଗକାରୀ ଏବଂ ଅଭିଯୁକ୍ତମାନେ ସମସ୍ତେ ରାଜଧାନୀ ଇଞ୍ଜିନୟରିଂ କଲେଜର ଛାତ୍ର । ଭିଥଲ ନାମକ ଅଭିଯୁକ୍ତ ସେହି କଲେଜର ଜଣେ ଝିଅଙ୍କୁ ଭଲ ପାଉଥିଲେ । ଅଭିଯୋଗକାରୀ ରାଜେଶ ତାଙ୍କ ପ୍ରେମର ମଧ୍ୟସ୍ତି ସାଜିଥିଲେ । ନିଜ ବାନ୍ଧବୀଙ୍କ ମୋବାଇଲ ଫୋନରେ ରାଜେଶଙ୍କ କିଛି ମେସେଜକୁ ଦେଖି ଭିଥଲ୍ ରାଗି ଯାଇଥିଲେ । ଭିଥଲ୍ ଗତ ୨୧ ତାରିଖ ରାତିରେ ରାଜେଶକୁ ଫୋନ୍ କରି ଦୂରେଇ ଯିବାକୁ କହିଥିଲା । ତା’ ପରଦିନ ଏଟିଏମ୍ ଛକ ନିକଟରେ ରାଜେଶଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲା । ଅନ୍ୟ ଅଭିଯୁକ୍ତଙ୍କ ସହ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଏଥିରେ ଅଭିଯୋଗକାରୀ ଗୁରୁତର ଆହତ ହୋଇଥିଲେ ।
ସେହିପରି ତା’ ପରଦିନ ପୁନର୍ବାର ଅଭିଯୁକ୍ତ ମାନେ ତାଙ୍କୁ ଉତ୍କଳ ହସ୍ପିଟାଲ ରାସ୍ତାକୁ ନେଇ ସେଠାରେ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ରାଜେଶକୁ ଆଣ୍ଠେଇ ଲାଠିରେ ବାଡ଼େଇଥିଲେ । ଯଦି ସେ ତାଙ୍କ ବାନ୍ଧବୀଙ୍କ ଜୀବନରୁ ଦୂରେଇ ନଯାନ୍ତି, ତାହାଲେ ତାଙ୍କୁ ଜୀବନରୁ ମାରିଦେବା ଲାଗି ମଧ୍ୟ ଧମକ ଦେଇଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଘଟଣାର ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ସମସ୍ତ ୫ଜଣ ଅଭିଯୁକ୍ତଙ୍କୁ ତାଙ୍କ ଘରୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ।