ଝାମ୍ପିନେଲେ ୭୩ ହଜାର ଟଙ୍କା – Ibnodisha
[ad_1]
ଫିରିଙ୍ଗିଆ: ଫିରିଙ୍ଗିଆ ବଜାରରେ ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟରେ ଜଣେ ବ୍ୟକ୍ତିଙ୍କଠାରୁ ଦୁଇଜଣ ଦୁର୍ବୃତ୍ତ ଏକ ପଲସର୍ ବାଇକରେ ଆସି ଏକ ବ୍ୟାଗରେ ଥିବା ୭୩ ହଜାର ଟଙ୍କା ଲୁଟିନେଇ ଆଖିପିଛୁଳାକେ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ଏହି ଘଟଣାକୁ ନେଇ ଫିରିଙ୍ଗିଆ ଅଞ୍ଚଳରେ କୋକୁଆଭୟ ଦେଖାଦେଇଥିବା ବେଳେ ଅଞ୍ଚଳର ଜନସାଧାରଣ ନିଜକୁ ଆଉ ସୁରକ୍ଷିତ ମଣୁନାହାନ୍ତି । ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ଶିଟିକାପଟି ଗାଁର ଜୁରିଙ୍ଗା କହଁର । ଘଟଣା ପରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ଡକାୟତି ମାମଲା ରୁଜୁକରୀ ତଦନ୍ତ ଜାରିରଖିଛି ।
ସୂଚନା ଅନୁସାରେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ସୋମବାର ଫିରିଙ୍ଗିଆ ୟୁକୋ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଓ ଥାନା ରାସ୍ତାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ୨୨ ହଜାର ଟଙ୍କା ଉଠାଇଥିଲେ ଓ ପରେ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତା ବାବଦରେ ୧ ହଜାରେ ଟଙ୍କା ଉଠାଇ ତାଙ୍କର ନିଜ ସାଇକେଲରେ ଘରକୁ ଯିବାପାଇଁ ବାହାରିଥିଲେ । ତେବେ ସାଇକେଲରେ ପମ୍ପ କମ୍ ଥିବାରୁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା ଏକା ସାଇକେଲ ମରାମତି ଦୋକାନରେ ଟଙ୍କା ଭର୍ତ୍ତି ବ୍ୟାଗକୁ ସାଇକେଲର ହେଣ୍ଡେଲରେ ଝୁଲାଇ ସାଇକେଲ ଚକରେ ପମ୍ପ ଦେବା ସମୟରେ ହଠାତ ଦୁଇଜଣ ଯୁବକ ଏକ ପଲସର ମୋଟରସାଇକେଲରେ ଆସି ସାଇକେଲ ହେଣ୍ଡେଲରେ ଝୁଲାହୋଇଥିବା ଟଙ୍କାକୁ ବ୍ୟଗ ସହ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ତେବେ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂରରେ ହୋଇଥିବା ଏଭଳି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଞ୍ଚଳର ଜାନସାଧାରଣ ।
ଅନ୍ୟପଟେ ଫିରିଙ୍ଗିଆ ସହରରେ ଏଭଳି ଲୁଟ କେବେ ହୋଇନଥିବା ବେଳେ ଏହି ଘଟଣା ସହରରେ ପ୍ରଥମ ଘଟଣା ହୋଇଥିବାରୁ ଚର୍ଚ୍ଚା ଜୋର ଧରିଛି । ପୁଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ଅଞ୍ଚଳର ଜନସାଧାରଣ ସେପଟେ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ସହରର ବିଭିନ୍ନ ସ୍ଥାନରେ ସିସି ଟିଭି ଲଗାଯାଇଛି । କିନ୍ତୁ ଗତ କିଛିମାସ ତଳେ ହୋଇଥିବା ଥାନା ପୋଡି ସମୟରେ ଥାନା ପରିସରରେ ଥିବା ସିସି ଟିଭି କଣ୍ଟ୍ରୋଲ ରୁମରେ ଲାଗିଥିବା ଯନ୍ତ୍ରାଂଶ ପୋଡ଼ିଯାଇଥିବାରୁ ଦୀର୍ଘ ଦଶ ମାସ ହେଲା ସମସ୍ତ ସିସିଟିଭି ବନ୍ଦ ହୋଇ ପଡ଼ିରହିଛି । ଅନ୍ୟପଟେ ପୁଲିସ କେବଳ ଗଞ୍ଜେଇ ଗଛ କାଟିବା ଓ ଧରିବାରେ ବ୍ୟସ୍ତ ଥିବା ବେଳେ ସହରରେ ପୁଲିସ ପାଟ୍ରୋଲିଙ୍ଗ ହେଉନଥିବାରୁ ଚୋରି, ରାହାଜାନି, ଡକାୟତି, ଲୁଟ ଭଳି ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି ।
[ad_2]