ରାଜ୍ୟ

ଭାସିଲାଣି ବୌଦ୍ଧ ! ଫୁଲବାଣୀ-ସୋନପୁର ଉବୁଟୁବୁ – Ibnodisha

[ad_1]

ଭୁବନେଶ୍ୱର: ସାରା ରାଜ୍ୟରେ ନିର୍ଧୁମ ବର୍ଷା ଲାଗି ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ କରାଯାଇଛି । ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସୋନପୁରରେ ୨୧୩.୬, ଫୁଲବାଣୀରେ ୨୦୫.୬ ମିଲିମିଟର ବର୍ଷା ହୋଇଛି । ସେହିପରି ବଲାଙ୍ଗିରରେ ୧୭୩, କେନ୍ଦୁଝରରେ ୧୫୦.୨, ଅନୁଗୁଳରେ ୧୫୦ ମିଲିମିଟର, ତାଳଚେରରେ ୧୪୭, ଭବାନୀପାଟଣାରେ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସହରର ବ୍ରାହ୍ମଣଦେଇପଡ଼ା ସହ ଏକାଧିକ ୱାର୍ଡରେ ପଶିଛି ପାଣି ।

ଏହାସହ ୫୫ ନମ୍ବର ଜାତୀୟ ରାଜପଥର ତୁରଙ୍ଗ ଓ କାଣ୍ଡସର ନିକଟରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିଭଳି ଲଗାଣ ବର୍ଷାରେ ଚାରିଆଡେ ପାଣି ଭରିଯିବାରୁ ଲୋକେ ମାଛ ଧରିବାରେ ଲାଗିଛନ୍ତି । ବୌଦ୍ଧ ଜିଲ୍ଲାର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଜିଲ୍ଲା ମତ୍ସ୍ୟ ବିଭାଗର ୨୫ଟି ପୋଖରୀରେ ପାଣି ଭରି ଯାଇଛି । ପାଣି ଭର୍ତ୍ତି ହୋଇଥିବାରୁ ପୋଖରୀରେ ଥିବା ୨ ଟନ ମାଛ ଭାସିଯାଇଥିବା ସୂଚନା ରହିଛି । ମାଛ ଭାସିଯାଇଥିବାରୁ ଲୋକେ ରାଜରାସ୍ତାରେ ଜାଲ ପକାଇ ମାଛ ଧରୁଛନ୍ତି । ଜାତୀୟ ରାଜପଥରେ ମାଛ ଧରିବାକୁ ଲୋକଙ୍କ ଭିଡ଼ ଲାଗିଛି । ଗତକାଲି ଦିନ ତମାମ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଜି ମଧ୍ୟ ଲଗାଣ ବର୍ଷ ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଯେଉଁଆଡ଼େ ଦେଖିଲେ ପାଣି ଆଉ ପାଣି । କହିବାକୁ ଗଲେ ଏକ ପ୍ରକାର କୃତ୍ରିମ ନଦୀର ଭ୍ରମ ସୃଷ୍ଟି ହେଉଥିଲା । ସେପଟେ ଲଗାଣ ବର୍ଷାରେ ଭୁସୁଡ଼ିଲା ମହାନଦୀ ବନ୍ୟା ନିରୋଧକ ପାଚେରୀ । ଫଳରେ ସୃଷ୍ଟି ହୋଇଛି ୪୦ ଫୁଟର ଘାଇ ।

ଲଗାଣ ବର୍ଷା ଯୋଗୁଁ ବରଗଡ଼ ପଦ୍ମପୁରରେ ବନ୍ୟା ସ୍ଥିତି । ବର୍ଷା ଯୋଗୁଁ ଜଳମଗ୍ନ ହୋଇଛି ଶହ ଶହ ଏକର ଚାଷ ଜମି । ଫଳରେ ଧାନ ତଳି ନଷ୍ଟ ହେବା ଆଶଙ୍କା ଦେଖାଦେଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ପଦ୍ମପୁର ନିକଟସ୍ଥ ଜମାଲା ଗ୍ରାମରୁ ପଦ୍ମପୁର ସଦରମହକୁମାକୁ ଆସିବା ପାଇଁ ଥିବା ରାସ୍ତାରେ ନାଳ ଉପରେ ପ୍ରାୟ ୫ ଫୁଟର ପାଣି ଚାଲୁଛି । ଫଳରେ ଏହି ରାସ୍ତା ଦେଇ ଯାୟାତାତ ଠପ୍ ହୋଇଯାଇଛି । ସେହିପରି ବିଜେପୁର-ପଦ୍ମପୁର ଘୋଷାଲି ନଦୀ ପୋଲ ଉପରେ ମଧ୍ୟ ୫ ଫୁଟର ପାଣି ଚାଲୁଛି । ଫଳରେ ବିଜେପୁର-ପଦ୍ମପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସମାକୋଇ ପୋଲ ଉପରେ ୫ ଫୁଟର ବନ୍ୟା ଜଳ….
ପ୍ରବଳ ବର୍ଷା ଯୋଗୁ ତେଲକୋଇରେ ବନ୍ୟା ସ୍ଥିତି । ସମାକୋଇ ନଦୀ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବ୍ଲକ ମୁଖ୍ୟାଳୟରୁ ୧୦ଟି ପଞ୍ଚାୟତ ବିଛିନ୍ନ ହେବା ସହିତ ତାଳଚେର, ଢେଙ୍କାନାଳ, କଟକ, ଭୁବନେଶ୍ୱରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ତେଲକୋଇ ପତ୍ର ଫଡି ପାଖରେ ପ୍ରବାହିତ ହେଉଥିବା ହନୁମନ୍ତିଆ ନାଳ ପୋଲ ଉପରେ ମଧ୍ୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ତେଲକୋଇ ଠାରୁ ରାଉରକେଲା, ସମ୍ବଲପୁର ସହିତ ଯୋଗାଯୋଗ ବିଛିନ୍ନ ହୋଇଛି । ଏହା ସହିତ ବ୍ଲକ ମୁଖ୍ୟାଳୟ ରୁ ୬ଟି ପଞ୍ଚାୟତ ମଧ୍ୟ ବିଛିନ୍ନ ହୋଇଛି । ବ୍ଲକର ଘୁରୁଡ଼ିଆ, ପିଟାନାଳୀ ପୋଲ ଉପରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେବାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ଓ କରଦାଙ୍ଗି ପଞ୍ଚାୟତ ବିଛିନ୍ନ ହୋଇଛି । ବର୍ଷାର ପରିମାଣ ବଢୁଛି, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଆଜି ସବୁ ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି ।
ସେହିପରି ଗତକାଲିଠୁ ବଲାଙ୍ଗିର ଜିଲ୍ଲାରେ ଜାରୀ ରହିଛି ଲଗାଣ ବର୍ଷା । ଏହାର ପ୍ରଭାବରେ ତଳି ଅଞ୍ଚଳ ମାନଙ୍କରେ ପାଣି ପଶି ଯାଇଛି । ପାଣିରେ ବୁଡ଼ିଯାଇଛନ୍ତି ଜିଲ୍ଲାର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ । ଡ୍ରେନରେ ପାଣି ନିଷ୍କାସନ ହୋଇନପାରି ମନ୍ଦିର ଭିତରକୁ ପଶିଛି, ଯାହା ଫଳରେ ନୀତିକାନ୍ତି ବନ୍ଦ ରହିଛି । ମନ୍ଦିର ପରିଚାଳନା ଦାୟିତ୍ୱରେ ଦେବୋତ୍ତର ବିଭାଗ ଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହା ଫଳରେ ଏଭଳି ଅବସ୍ଥା ହେଉଥିବା ଅଭିଯୋଗ ହେଉଛି । ପାଣି ପଶିଯିବାରୁ ମା’ଙ୍କ ନୀତିକାନ୍ତି ବନ୍ଦ ରହିଛି ।

ଲଗାଣ ବର୍ଷାରେ ନାଗାବଳୀ ପୋଲ ଫାଟିଲା-ଦବିଲା, ୱାଲରେ ବି ଫାଟ ….
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ପୋଲ ଦବିଲା । ନାଗାବଳୀ ନଦୀ ଉପରେ ନିର୍ମିତ ଏହି ପୋଲ ଦବିବା ସହିତ ୱାଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଫଳରେ ପୋଲର ସ୍ଥାୟୀତ୍ୱ ନେଇ ଉଠିଛି ପ୍ରଶ୍ନ । ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏହାର ନିର୍ମାଣ ହୋଇଥିଲା । ଗତ ଜୁନ୍ ପ୍ରଥମ ସପ୍ତାହରେ ନିର୍ମାଣ ଶେଷ ହୋଇଥିଲା । ଆଉ ଗତକାଲିଠାରୁ ଲଗାଣ ବର୍ଷାରେ ପୋଲ ଦବିଯାଇଛି । ଫଳରେ ବିପଦ ସଙ୍କୁଳ ସ୍ଥିତି ସୃଷ୍ଟି ହୋଇଛି । ପୋଲ ଦବିବା ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । କାରଣ ଦୀର୍ଘ ଦୁଇ ବର୍ଷ ହେବ ଶିକରପାଇଠାରୁ କଲ୍ୟାଣସିଂହପୁର ବ୍ଲକ ପର୍ଯ୍ୟଯ୍ୟନ୍ତ ନୂତନ ରାସ୍ତା ଓ ପୋଲ କାମ ହୋଇଛି । ଆହୁରି ରାସ୍ତା ନିର୍ମାଣ ଶେଷ ହୋଇନାହିଁ । ଏହିଭଳି ସ୍ଥିତିରେ ଗୁଣବତ୍ତା ପ୍ରତି ଧ୍ୟାନ ନଦେବାରୁ ଓ ନିମ୍ନମାନର କାମକୁ ନେଇ ଅଞ୍ଚଳବାସୀ ଠିକାଦାର ଏବଂ ଯନ୍ତ୍ରୀ ରାଜୀବ ବେହେରାଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ମଧ୍ୟ କେହି କେହି କର୍ଣ୍ଣପାତ କରିନାହାନ୍ତି । ଶେଷରେ ଏହିଭଳି ସ୍ଥିତି ଉପୁଜିଛି । ଖବରପାଇ ରାୟଗଡ଼ା ପୂର୍ତ୍ତ ବିଭାଗ ଟିମ୍ ସେଠାକୁ ପରିଦର୍ଶନ ଯାଇଛନ୍ତି । ଯଦି ପୋଲ ଭୁଶୁଡି ପଡେ ତେବେ କଲ୍ୟାଣସିଂହପୁର ବ୍ଲକ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ ।

ବିପଦ ସଙ୍କେତ ସ୍ତରରେ ବହୁଛି ବଂଶଧାରା ନଦୀ
ଗଜପତି ଜିଲ୍ଲା କାଶୀନଗର ଦେଇ ବହିଯାଉଥିବା ବଂଶଧାରା ନଦୀରେ ବିପଦ ସଙ୍କେତ ସ୍ତରରେ ପାଣି ବହୁଥିବା ଦେଖିବାକୁ ମିଳିଛି । ବୁଧବାର ସକାଳ ସମୟରେ ୫୫.୧୦ ମିଟରରେ ପାଣି ପ୍ରବାହିତ ହେଉଥିବା ବେଳେ କାଶୀନଗର ବ୍ଲକାଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫.୪ ମିମି ବର୍ଷା ରେକର୍ଡ କରାଯାଇଥିବାର ସୂଚନା ଦିଆଯାଇଛି । ବର୍ତ୍ତମାନ ବଂଶଧାରା ନଦୀ ବିପଦ ସଙ୍କେତ ସ୍ତରରେ ପାଣି ବହୁଥିବା ଥିବା ନେଇ କାଶୀନଗର କେନ୍ଦ୍ରୀୟ ଜଳ ଆୟୋଗ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି । ଉପର ମୁହାଣରେ ବର୍ଷା ଲାଗି ରହିଲେ ଅଧିକ ସ୍ତରରେ ପାଣି ବହିବା ସହ ବାତ୍ୟା ହେବାର ସମ୍ଭାବନା ରହିଛି । ଏନେଇ କାଶୀନଗର ବ୍ଲକର ବଂଶଧାରା ନଦୀ ଅବବାହିକାରେ ରହୁଥିବା ଗ୍ରାମାଞ୍ଚଳ ବାସୀଙ୍କୁ ଆଶଙ୍କା ଘାରିଛି । ନଦୀ ମୁହାଣରେ ଥିବା ପାଲସିଙ୍ଗ, ସାରା, ବାଡ଼ିଗାଁ, ଖାଣ୍ଡବା, ପୁରଟିଗୁଡ଼ା, ଭାନ୍ନା, କିଡ଼ିଗାଁ ଗ୍ରାମ ଗୁଡିକକୁ ଉଚ୍ଚ ସତର୍କତା କରିବା ସହ ପାଖରେ ଥିବା ବିଦ୍ୟାଳୟର ଆଶ୍ରୟ ନେବା ପାଇଁ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି ତହସିଲଦାର ଅଶୋକ କୁମାର ପ୍ରଧାନ । ବର୍ତ୍ତମାନ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ନଦୀ ମୁହାଣରେ ଥିବା ପ୍ରତ୍ୟେକ ଅଞ୍ଚଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button