ଦେଶ

ଭୂସ୍ଖଳନ ସ୍ଥଳରେ ମାଟିର ଛାତି ବିଦାରି ଜୀବନ ଖୋଜୁଛନ୍ତି ଯବାନ । ପ୍ରକୃତିର ପ୍ରତିଶୋଧ ପରେ ୱାୟନାଡ ଆଖିର ଲୁହ ପୋଛୁଥିବା ସମସ୍ତ ହିରୋଙ୍କୁ ସଲାମ୍.

 ଚାରିଆଡେ ପ୍ରକୃତିର ତାଣ୍ଡବ, ସବୁଠି ମୃତ୍ୟୁର ପଦଚିହ୍ନ । ଜୀବନ କେତେ ଯାଇଛି କାହାକୁ ଜଣାନାହିଁ । କିଏ କେଉଁଠି ଜୀବନ ହାରି ପଡିଛି ତାହା ବି ଜଣା ନାହିଁ । କେଉଁଠି ମାଟି ତଳେ ଜୀବନ ଯାଇଛି ତ କେଉଁଠି ପଥରରେ ମାଡ ହୋଇ ଲଟକି ରହିଛି ଜୀବନ । ଯେତେଯେତେ ଶବ ଉଦ୍ଧାର ହେଉଛି, ମୃତ୍ୟୁର ତାଲିକାରେ ଶବର ସଂଖ୍ୟା ଖାଲି ଯୋଡି ହେଇଯାଉଛି ।

ଆଉ ମାଟି ତଳୁ ଜୀବନ ଉଦ୍ଧାର ପାଇଁ ଜୀବନକୁ ବାଜିରେ ଲଗାଇ ଭୂସ୍ଖଳନ ସ୍ଥଳରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଯବାନମାନେ…

ୱାୟନାଡ ବିଭୀଷିକାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଏବେବି ମାଟିର ଛାତି ଚିରି ମଣିଷଙ୍କ ଜୀବନ ଖୋଜା ଚାଲିଛି ଆଉ ୟାରି ଭିତରେ କେତୋଟି ହୃଦୟବିଦାରକ ଫଟୋ ସମସ୍ତଙ୍କ ଆଖିକୁ ଓଦା କରିଦେଇଛି । ମୃତ୍ୟୁର ଚାବୁକ ମାଡରେ ମଣିଷ ଯେଉଁଠି ପ୍ରାଣ ଛାଡୁଛି ସେହି ସ୍ଥାନରୁ ଆସିଛି ମୃତ୍ୟୁକୁ ଚେକ୍ ଦେଇ ଜୀବନ ଉଦ୍ଧାରର ଖବର ।

ଘଣ୍ଟ ଜଙ୍ଗଲ, ଉଚ୍ଚା ଉଚ୍ଚା ପାହାଡ, ଶିଉଳି ଲଗା ରାସ୍ତା ସାଙ୍ଗକୁ ଅବିଶ୍ରାନ୍ତ ବର୍ଷା । ଆଖି ଆଗରେ ମାଟିରେ ମିଶିଯାଇଛି ଅନେକ ପାହାଡ ତଳିଆ ଘର । ପ୍ରକୃତିର ଏ ତାଣ୍ଡବ ଦେଖି ଭୟଭୀତ ହୋଇ ଗୋଟେ ଗୁମ୍ଫାରେ ଆଶ୍ରୟ ନେଇଥିବା ପନିଆ ସମ୍ପ୍ରଦାୟର କିଛି ଲୋକଙ୍କୁ ଉଦ୍ଧାର କରିଛନ୍ତି ବନବିଭାଗର ୪ ଅଧିକାରୀ । ଯାହାଙ୍କ ଭିତରେ ଥିଲେ ୪ ଜଣ ଶିଶୁ । ଭୁସ୍ଖଳନର ଭୟଙ୍କର ଦୃଶ୍ୟ ଦେଖି ପଥର କନ୍ଦିରେ ଲୁଚିଯାଇଥିଲେ ୪ କଅଁଳ କଢିଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଭୟରେ କମ୍ପୁଛି ଆଖି, ପ୍ରଚଣ୍ଡ ଶବ୍ଦ ଶୁଣି ସେବେଠୁ ଥରୁଛି କୁନି ପିଲାଙ୍କ କାନ । ପ୍ରକୃତିର ପ୍ରତିଶୋଧ ଆଉ ମୃତ୍ୟୁର ତାଣ୍ଡବ ଦେଖିଥିବା କୁନି କୁନି ପିଲାଙ୍କ ପାଇଁ ପର ଆପଣାର ଆଉ କିଛି ନାହିଁ । ସେଇଥିପାଇଁ ତ ବନବିଭାଗର କର୍ମୀଙ୍କୁ ସେମାନେ ନିଜର ପରି ଜାବୁଡି ଧରିଛନ୍ତି । କୁନିକୁନି ପିଲା ଏମିତି ଘଟଣା ପ୍ରଥମ ଥର ଦେଖିଥିବାରୁ ସେମାନେ ଚୁପ ହୋଇଯାଇଛନ୍ତି, କଥା ସିନା କହି ପାରୁ ନାହାନ୍ତି ହେଲେ ତାଙ୍କ ପରି ଅନେକ ପିଲା ମୃତ୍ୟୁର ଆଁରେ ପଶିଯିବା, ଅନେକ ପିଲା ବାପାମାଆ ଛେଉଣ୍ଡ ହେବାର, ଅନେକ ଜୀବନ ଚାଲିଯିବାର, ଅନେକ ଘର ଭାସିଯିବାର ଦେଖିଛନ୍ତି- ଯାହାର ସାକ୍ଷୀ ରହିଛି ଏ ନିଷ୍ପାପ ଆଖି…

୪ ପିଲାଙ୍କୁ ଉଦ୍ଧାର ପାଇଁ ଅନେକ ସଂଘର୍ଷ କରିଛନ୍ତି ୪ ବନ ଅଧିକାରୀ । କେତେବେଳେ ବଣ ଫଳ କରମଙ୍ଗା ଖାଇଛନ୍ତି ତ କେତେବେଳେ ଝରଣା ପାଣି ପିଇଛନ୍ତି । ଖାଲି ଏମାନେ ନୁହଁନ୍ତି ନିଜ ଜୀବନକୁ ବାଜିରେ ଲଗାଇ ଅନେକ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଅନେକ ଯବାନ । ଦୁର୍ଗମ ପଥ, ଉଛୁଳା ନଈ, ଗଭୀର ଗର୍ତ୍ତ, ଘଞ୍ଚ ପାହାଡ- ଯେଉଁଠି ବି ଫଶିଛନ୍ତି ଲୋକେ- ସେଠୁ ସମସ୍ତଙ୍କୁ ଉଦ୍ଧାର କରୁଛନ୍ତି । କି ମଣିଷ କି ପଶୁ- ଜୀବନକୁ ବଞ୍ଚାଇବା ପାଇଁ ଏବଂ ଜୀବନ ଉଦ୍ଧାରର ମନ୍ତ୍ର ନେଇ ସମସ୍ତ ଯବାନ ଜଣେ ଜଣେ ଦେବଦୂତ ପରି ୱାୟନାଡରେ ମୁତୟନ ହୋଇଛନ୍ତି । ଯେଉଁମାନେ ହିଁ ପ୍ରକୃତରେ ବିପର୍ଯ୍ୟୟ ବେଳର ବନ୍ଧୁ, ଦୁର୍ଦ୍ଦିନର ଦେବଦୂତ ସାଜିଛନ୍ତି । ଆଉ ଆଜିର ଏ ବନ୍ଧୁତା ଦିବସରେ ଆସନ୍ତୁ ସମସ୍ତ ହିରୋଙ୍କୁ ସଲାମ ଜଣାଇବା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button