ଖେଳ

ଜାତୀୟ ସବ୍‌ ଜୁନିୟର ହକି ପାଇଁ ଓଡ଼ିଶା ଦଳ ଘୋଷଣା: ବାହାର ରାଜ୍ୟର ଖେଳାଳିଙ୍କୁ ନେଇ ଖେଳିବ ଓଡ଼ିଶା

ସୁନ୍ଦରଗଡ଼,୦୨/୦୯: ପଞ୍ଜାବରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସବ୍-ଜୁନିୟର ହକି ପ୍ରତିଯୋଗିତା । ଏଥିପାଇଁ ୧୮ ଜଣିଆ ଓଡ଼ିଶା ଦଳ ଘୋଷଣା ହୋଇଛି । ଦଳରେ ୪ ଜଣ ରାଜ୍ୟ ବାହାର ଖେଳାଳି ସାମିଲ ହୋଇଛନ୍ତି । ଯାହାକୁ ନେଇ ହକିପ୍ରେମୀଙ୍କ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ରାଜ୍ୟରେ କ’ଣ ହକି ଖେଳାଳିଙ୍କ ଅଭାବ ଯେ ବାହାର ରାଜ୍ୟରୁ ଖେଳାଳି ଆଣି ଓଡ଼ିଶା ଜାତୀୟ ପ୍ରତିଯୋଗିତା ଖେଳିବ?

ଏ ପ୍ରଶ୍ନ କରିଛନ୍ତି ସେମାନେ ।

ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଅନ୍ତୁଡ଼ିଶାଳ କୁହାଯାଏ । ଜିଲ୍ଲାର ରାଉରକେଲା ଏବଂ ସୁନ୍ଦରଗଡ଼ର ଭବାନୀପୁର ଠାରେ ରାଜ୍ୟ କ୍ରୀଡ଼ା ଛାତ୍ରାବାସ ଓ ସାଇ କ୍ରୀଡ଼ା ଛାତ୍ରାବାସ ରହିଛି । ତୃଣମୂଳ ସ୍ତରରୁ ଚୟନ ହୋଇ ଖେଳାଳିମାନେ ଛାତ୍ରାବାସକୁ ଆସନ୍ତି । ପାଠ ପଢ଼ିବା ସହ ସେମାନେ ପ୍ରଶିକ୍ଷଣ ନିଅନ୍ତି । ପୂର୍ବରୁ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସ ରାଜ୍ୟରେ ଅନୁଷ୍ଠିତ ନେହରୁ କପ୍ ହକିରେ ଚାମ୍ପିଅନ୍ ହୋଇ ଜାତୀୟ ସବ୍-ଜୁନିୟର ନେହରୁ କପ୍ରେ ଭାଗ ନେଇ ତିନିଥର ଚାମ୍ପିଅନ୍ ହୋଇଥିଲା । ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ବହୁ ଖେଳାଳି ଭାରତୀୟ ଜୁନିୟର ଦଳ ପାଇଁ ଚୟନ ହୋଇ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ହେଲେ ୨୦୨୧ ମସିହାରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ରହୁଥିବା ୪୫ ଜଣ ଖେଳାଳିଙ୍କୁ ଉନ୍ନତ ପ୍ରଶିକ୍ଷଣ ପାଇଁ ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସକୁ ସ୍ଥାନାନ୍ତର କରାଯାଇଥିଲା । ରାଉରକେଲାରେ ବର୍ତ୍ତମାନ ୧୭୫ ଜଣ ସବ୍-ଜୁନିୟର ଖେଳାଳି ତିନିଜଣ ରାଜ୍ୟ ବାହାର କୋଚ୍ଙ୍କ ଦ୍ୱାରା ପ୍ରଶିକ୍ଷଣ ନେଉଛନ୍ତି । କରୋନା ପରେ ନେହରୁ କପ୍ ହକି ପ୍ରତିଯୋଗିତା ବନ୍ଦ ହୋଇ ଯାଇଥିଲା ।

ବହୁଦିନ ପରେ ଜାତୀୟସ୍ତରରେ ସବ୍ ଜୁନିୟର ହକି ପ୍ରତିଯୋଗିତା ପଞ୍ଜାବ ଠାରେ ଆୟୋଜିତ ହେବାକୁ ଯାଉଛି । ଏଥିରେ ଭାଗ ନେବା ପାଇଁ ରାଉରକେଲାର ପାନପୋଷ ଓ ସୁନ୍ଦରଗଡ଼ ଭବାନୀପୁରରେ ଥିବା ସାଇ କ୍ରୀଡ଼ା ଛାତ୍ରାବାସରୁ ୧୮ ଜଣିଆ ସବ୍-ଜୁନିୟର ହକି ଦଳ ଚୟନ ନକରି ଜିଲ୍ଲାରୁ ୧୪ ଜଣ ଚୟନ କରାଯାଇଛି । ସେମିତି ମଧ୍ୟପ୍ରଦେଶରୁ ଜଣେ, ଉତ୍ତର ପ୍ରଦେଶରୁ ୨ ଓ ଆସାମରୁ ଜଣେ ଖେଳାଳିଙ୍କୁ ଦଳରେ ସାମିଲ କରି ପଞ୍ଜାବ ପଠାଯାଉଛି ।

ଜାତୀୟ ସବ୍-ଜୁନିୟର ପ୍ରତିଯୋଗିତାରେ ରାଜ୍ୟ ବାହାର ପିଲାଙ୍କୁ ଓଡ଼ିଶା ଦଳରେ ଖେଳିବାର ସୁଯୋଗ ଦେଇ ପ୍ରମାଣ ପତ୍ର ହାସଲ କରି ସରକାରୀ ଚାକିରୀ କ୍ଷେତ୍ରରେ ନିଯୁକ୍ତି ହାସଲ କରିବା ଏକମାତ୍ର ଲକ୍ଷ୍ୟ ବୋଲି ପୂର୍ବତନ ହକି ଖେଳାଳିମାନେ କହୁଛନ୍ତି । ଯଦି ବାହାର ରାଜ୍ୟର ଖେଳାଳି ଭଲ ଖେଳୁଛନ୍ତି ବୋଲି ଚୟନକର୍ତ୍ତା କହୁଛନ୍ତି ତା’ ହେଲେ ସେମାନେ ନିଜ ରାଜ୍ୟ ଦଳରେ କାହିଁକି ସାମିଲ ହେଲେ ନାହିଁ ତାକୁ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ଖେଳାଳି । ଓଡ଼ିଶାରେ ଭଲ ହକି ଖେଳାଳି ଥିବା ବେଳେ ରାଜ୍ୟ ବାହାର ଖେଳାଳିଙ୍କୁ କାହା ଇଙ୍ଗିତରେ ଦଳରେ ସାମିଲ କରାଗଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । କିନ୍ତୁ ଏ ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ପୂର୍ବତନ ହକିଖେଳାଳି, ପ୍ରଶଂସକମାନେ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button