ବାହାଘରକୁ ପୂରିନି ୩ ମାସ, ଫ୍ରିଜ ନ ଦେବାରୁ ଲିଭିଗଲା ନବବଧୂର ଜୀବନ ଦୀପ

ସୋର : କାନ୍ଥରୁ ଲିଭିନି ଶୁଭ ବିବାହ ହେଲେ ଲିଭିଗଲା ଲକ୍ଷ୍ମୀପ୍ରିୟାଙ୍କ ଜୀବନ ଦୀପ । ବାଲେଶ୍ବର ଜିଲ୍ଲା ଖଇରା ଥାନା ଗଡପୋଖରୀ ପଞ୍ଚାୟତ ତେନ୍ତଳାଗଡିଆ ଗ୍ରାମରେ ଘଟିଛି ଏଭଳି ଘଟଣା । ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ଗତ ଜୁନ ମାସ ୧୪ ତାରିଖରେ କୁପାରୀ ପଂଚାୟତ ସରପୁର ଗ୍ରାମର ସୁଦାମ ସେଠିଙ୍କ ଝିଅ ଲକ୍ଷ୍ମୀପ୍ରିୟା ସେଠି ହିନ୍ଦୁ ରୀତିନୀତି ଅନୁସାରେ ତେନ୍ତାଲ ଗଡିଆ ଗ୍ରାମର ଜଗନ୍ନାଥ ଦାସଙ୍କୁ ବାହା ହୋଇଥିଲା ।
ବାହାଘର କିଛି ଦିନ ଠିକ ଠାକ ଚାଲିଥିବା ବେଳେ ସ୍ୱାମୀ ଓ ଶାଶୁ ଏକ ଫ୍ରିଜ ପାଇଁ ବାରମ୍ବାର ଲକ୍ଷ୍ମୀପ୍ରିୟାକୁ ନିର୍ଯ୍ୟାତନା ଦେଉଥିଲେ । ଯାହାକୁ ନେଇ ସବୁବେଳେ ପରିବାର ଭିତରେ ଅଶାନ୍ତି ଲାଗିରହିଥିଲା । ଆଜି ଲକ୍ଷ୍ମୀପ୍ରିୟା ଜୀବନ ହାରିଥିବା କଥା ନେଇ ଶାଶୁ ଘରର ଗ୍ରାମବାସୀ ମାନେ ଝିଅ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ଆସିବା ପରେ ଜଗନ୍ନାଥ ସମେତ ପରିବାର ଲୋକ ଫେରାର ହୋଇଯାଇଥିଲେ ।
ଅନ୍ୟପଟେ ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ଲକ୍ଷ୍ମୀପ୍ରିୟାଙ୍କ ପରିବାର ଲୋକେ। ଘଟଣା ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଜଗନ୍ନାଥ ଦାସ ଓ ଶାଶୁଙ୍କୁ ଅଟକ ରଖିଛି ଖଇରା ଥାନା ପୋଲିସ।




