ରାଜ୍ୟ

ଅଦାଲତରେ ‘ଆଇ ଲଭ୍ ୟୁ-୨’ ବିବାଦ

ଟକ: ଆଇ ଲଭ୍ ୟୁ-୨ ଚଳଚ୍ଚିତ୍ର ବିବାଦ ଅଦାଲତରେ ପହଞ୍ଚିଛି। ବ୍ରଜରାଜ ମୁଭିଜ୍ର ଭାଗିଦାର ବିନୟ କୁମାର ନାୟକଙ୍କ ଆବେଦନର ଶୁଣାଣି କରି ଅଦାଲତ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବ୍ରଜରାଜ ମୁଭିଜର ଅନ୍ୟତମ ଭାଗିଦାର ସଂଜୟ କୁମାର ନାୟକ ‘ଆଇ ଲଭ୍ ୟୁ-୨’ ଚଳଚ୍ଚିତ୍ରର ପ୍ରଯୋଜନା ପ୍ରସଙ୍ଗରେ ଅଗ୍ରସର ହୋଇ ପାରିବେ, କିନ୍ତୁ ଉପରୋକ୍ତ ଟାଇଟଲ ଓ ପାର୍ଟନରସିପ୍ ଫାର୍ମର ଲୋଗୋ ବ୍ୟବହାର କରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ମାମଲାର ପ୍ରତିପକ୍ଷ ନମ୍ବର-୧ ସଂଜୟ କୁମାର ନାୟକ ବା ତାଙ୍କ ଏଜେଣ୍ଟ ବ୍ରଜରାଜ ମୁଭିଜର ଚଳଚ୍ଚିତ୍ର ବା ଗୀତକୁ ଟେଲିଭିଜନ ମିଡିଆ, ସାଟେଲାଇଟ, ବ୍ରଡକାଷ୍ଟିଂ, ଏଫଏମ ଚାନେଲ, ମୋବାଇଲ ଅପରେଟର, ସିନେମା ହଲ୍, ଡିଭିଡି ଓ ୟୁଟ୍ୟୁବ ଚାନେଲରେ ପ୍ରସାରଣ କରି ପାରିବେ ନାହିଁ ବୋଲି ଅଦାଲତ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ବ୍ରଜରାଜ ମୁଭିଜର ଟାଇଟଲ ଓ ଲୋଗୋ ମଧ୍ୟ ସଂଜୟ ବ୍ୟବହାର କରି ପାରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆର୍ବିଟ୍ରେସନ୍ ପ୍ରୋସିଡିଂ ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ଅଦାଲତ କହିଛନ୍ତି। କଟକ ବରିଷ୍ଠ ସିଭିଲ ଜଜ୍ (କମର୍ସିଆଲ କୋର୍ଟ) ଅଦାଲତ ବିନୟ କୁମାର ନାୟକଙ୍କ ତରଫରୁ ଆର୍ବିଟ୍ରେସନ୍ ଆଣ୍ଡ କନସିଲିଏସନ୍ ଆଇନର ଧାରା ୯ରେ ଦାୟର ଆବେଦନର ଶୁଣାରି କରି ଏପରି ରାୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବାପା ବସନ୍ତ କୁମାର ନାୟକଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ଚଳଚ୍ଚିତ୍ର ବ୍ୟବସାୟକୁ ଏମଏସ ବ୍ରଜରାଜ ମୁଭିଜ ନାଁରେ ଚଳାଇବା ପାଇଁ ବିନୟ କୁମାର ନାୟକ, ସଂଜୟ କୁମାର ନାୟକ ଓ ସୂରଜ କୁମାର ନାୟକ ଏକ ପାର୍ଟନରସିପ ଏଗ୍ରିମେଣ୍ଟ ସ୍ବାକ୍ଷର କରିଥିଲେ। ୨୦୨୨, ମେ ୩୧ରେ ଏହି ଚୁକ୍ତିନାମା ପଞ୍ଜୀକରଣ କରାଯାଇଥିଲା। ଚୁକ୍ତିନାମାର ସର୍ତ୍ତ ଅନୁସାରେ ଏହି ଫାର୍ମର ଲାଭ ୩ ପାର୍ଟନରଙ୍କ ମଧ୍ୟରେ ୩୩.୩୩ ପ୍ରତିଶତ ହାରରେ ସମାନ ଭାବେ ଭାଗ ହେବ। ଏଥି ସହିତ ଆଉ କେତେକ ପ୍ରସଙ୍ଗରେ ସହମତି ନେଇ ମଧ୍ୟ ଚୁକ୍ତିନାମାର ସର୍ତ୍ତରେ ଉଲ୍ଲେଖ କରାଯାଇଥିଲା।

ମାମଲାର ପ୍ରତିପକ୍ଷ ନମ୍ବର-୧ ସଂଜୟ କୁମାର ନାୟକ ଚୁକ୍ତିନାମାର ସର୍ତ୍ତ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ କରି ବିନୟ କୁମାର ନାୟକ ଆର୍ବିଟ୍ରେସନ୍ ମାମଲା ଦାୟର କରିଥିଲେ। ବିନୟ କୁମାର ନାୟକଙ୍କ ତରଫରୁ ରୁଜୁ ଏହି ମାମଲାରେ ସଂଜୟ କୁମାର ନାୟକ ଓ ସୂରଜ କୁମାର ନାୟକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆର୍ବିଟ୍ରେସନ ମାଧ୍ୟମରେ ବିବାଦର ସମାଧାନ ହେବା ପର୍ଯ୍ୟନ୍ତ ବ୍ରଜରାଜ ମୁଭିଜର ଚଳଚ୍ଚିତ୍ର ଓ ଗୀତକୁ କୌଣସି ଭାବେ ଟେଲିଭିଜନ ମିଡିଆ, ସାଟେଲାଇଟ, ବ୍ରଡକାଷ୍ଟିଂ, ଏଫଏମ ଚାନେଲ, ମୋବାଇଲ ଅପରେଟର, ସିନେମା ହଲ, ଡିଭିଡି ଓ ୟୁଟ୍ୟୁବ ଚାନେଲରେ ପ୍ରସାରଣ କରିବା ପ୍ରସଙ୍ଗରେ କଟକଣା ଜାରି କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆଇ ଲଭ ୟୁ-୨ ଚଳଚ୍ଚିତ୍ରର ପ୍ରଯୋଜନା ପ୍ରସଙ୍ଗରେ ଆଗେଇବା ଓ ବ୍ରଜରାଜ ମୁଭିଜର ଟାଇଟଲ, ଲୋଗୋ ବ୍ୟବହାର କରିବା ଉପରେ ଅଙ୍କୁଶ ଜାରି କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button