ୟୁଟ୍ୟୁବ ଦେଖି କରିଥିଲେ ଛତୁ ଚାଷ, ଏବେ ସେଥିରୁ ଚଳୁଛି ବିଶିକେସନଙ୍କ ପରିବାର
ଗୁଣୁପୁର: ଦୃଢ ଇଚ୍ଛା ଶକ୍ତି ଥିଲେ ସଫଳତା ଆପେ ଆପେ ଆସେ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଯୁବ ଚାଷୀ ବିଶିକେସନ ସାହୁ । ନିଜ ଗ୍ରାମରେ ରହି ପରିବା ବ୍ୟବସାୟରୁ ଛତୁ ଚାଷ କରି ଜଣେ ସଫଳ ଛତୁ ଚାଷୀ ଭାବେ ଅଂଚଳରେ ନିଜର ପରିଚୟ ସୃଷ୍ଟି କରିବା ସହ ନିଜର ଆର୍ଥିକ ସ୍ଥିତି ବେଶ ସ୍ୱଚ୍ଛଳ କରିପାରିଛନ୍ତି ।
ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଖିଲାମୁଣ୍ଡା ଗ୍ରାମ ।
ପୂର୍ବରୁ ପରିବା ସମେତ ବିଭିନ୍ନ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ବିଶିକେସନ ସାହୁ । କିନ୍ତୁ ଏଥିରେ ବେଶ ଲାଭବାନ ହୋଇ ପାରୁନଥିଲେ । ତେଣୁ କିଛି ଭିନ୍ନ କରିବା ଉଦେଶ୍ୟ ନେଇ ବିଶିକେସନ ୟୁଟ୍ୟୁବ୍ ର ସହାୟତା ନେଇଥିଲେ । ୟୁଟ୍ୟୁବ୍ ଦେଖି ଛତୁ ଏକ ଅର୍ଥକାରୀ ଚାଷ ହେଉଥିବା ସହ ସ୍ଥାନୀୟ ଅଂଚଳରେ ଛତୁର ବେଶ ଚାହିଦା ରହିଥିବା ଜାଣିବାକୁ ପାଇଥିଲେ । ଏହାପରେ ସେ ଛତୁ ଚାଷ କରିବାକୁ ମନ ବଳାଇଥିଲେ ।
୨୦୨୨ -୨୩ ମସିହାରେ ଉଦ୍ୟାନ କୃଷି ବିଭାଗ ପ୍ରୋତ୍ସାହନରେ ଚାଷୀ ଜଣକ କିଛି ଜମିକୁ ଲିଜ ଆକାର ନେଇ ଛତୁ ଚାଷ ଆରମ୍ଭ କରିଛନ୍ତି । ଛତୁ ଚାଷ ପାଇଁ ଚାଷୀ ଜଣକ ଆବଶ୍ୟକୀୟ ବିହନ ବ୍ରହ୍ମପୁର ଓ ଗୁଣୁପୁରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରୁ ଆଣି ଛତୁ ଚାଷ ଆରମ୍ଭ କରିଛନ୍ତି । ବର୍ତମାନ ଏହି ଚାଷୀଙ୍କ ଫାର୍ମରେ ୪୦୦ରୁ ଅଧିକ ବେଡ ଛତୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଥିବା ବେଳେ ଦୈନିକ ୧୫ କିଲୋରୁ ଅଧିକ ଛତୁ ଉତ୍ପାଦିତ ହେଉଛି ।
ଛତୁ କିଲୋ ପିଛା ୩୦୦ ଟଙ୍କା ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବା ସହ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ରୋଜଗାରକ୍ଷ କରିବାରେ ସହାୟକ ହୋଇପାରିଛନ୍ତି । ଚାଷୀଙ୍କ ଫାର୍ମରୁ ଉତ୍ପାଦିତ ଛତୁ ବେଶ ସ୍ଵାଦିଷ୍ଟ ଓ ଉନ୍ନତ ମାନର ରହିଥିବାରୁ ଅଂଚଳରେ ବେଶ ଚାହିଦା ରହୁଛି । ତେଣୁ ବ୍ୟବସାୟୀ ଓ ଗ୍ରାହକ ମାନେ ମଧ୍ୟ ଏଠାକୁ ଆସି ଛତୁ ନେଉଥିବାର ପ୍ରକାଶ କରିଛନ୍ତି ଚାଷୀ ଜଣକ । ସରକାରୀ ସ୍ତରରେ ଆବଶ୍ୟକୀୟ ପ୍ରୋତ୍ସାହନ ଯୋଗାଇ ଦିଆଗଲେ ଏହି ଛତୁ ଚାଷ ଆଗକୁ ବଢି ପାରିବ ବୋଲି ଚାଷୀ ଜଣକ ଆଶା ରଖିଛନ୍ତି ।
ଖିଲାମୁଣ୍ଡା ଗ୍ରାମର ଛତୁ ଚାଷୀ ସମ୍ପର୍କରେ ଗୁଣୁପୁର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣି ପ୍ରକାଶ କରିଛନ୍ତି ଯେ, ଚାଷୀଙ୍କୁ ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ସବସିଡ଼ି ଆକାରରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ତାହାସହିତ ବିଶିକେସନ ଯଦି ଛତୁ ୟୁନିଟ ବଢାଇବା ପାଇଁ ଚାହିଁବେ ତେବେ ବିଭାଗ ତରଫରୁ ସମସ୍ତ ସହାୟକ ଯୋଗାଇ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି । ବାସ୍ତବରେ ଏହି ଯୁବ ଚାଷୀ ବିଶିକେସନଙ୍କ ଭିନ୍ନ ପ୍ରୟାସ ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ଦାୟକ ଅଟେ ।