ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ: ଚନ୍ଦନଲାଗି ପୂର୍ବରୁ ଭିତର କାଠ ମନା, ଶ୍ରଦ୍ଧାଳୁଙ୍କ ବିରୋଧ – Ibnodisha
[ad_1]
ପୁରୀ: ଶ୍ରୀମନ୍ଦିର ଚାରିଦ୍ବାର ବନ୍ଦକୁ ନେଇ ବାଦବିବାଦ ଲାଗିଛି। କୋଭିଡ୍ ଓ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ନିର୍ମାଣ ଆଳରେ ଦେଢ଼ବର୍ଷ ହେଲାଣି ଭକ୍ତଙ୍କ ପାଇଁ ଚାରିଦ୍ବାର ପ୍ରବେଶ ବନ୍ଦ କରି ରଖିଛି ପ୍ରଶାସନ। ଫଳରେ ସିଂହଦ୍ବାରରେ ଦୈନିକ ଭକ୍ତଙ୍କ ଲମ୍ବାଧାଡ଼ି ଲାଗୁଛି। ଖରାତରାରେ ଭକ୍ତମାନେ କଲବଲ ହେଉଛନ୍ତି। ବହୁ ଦାବି ପରେ ପଶ୍ଚିମଦ୍ବାର କେବଳ ପୁରୀବାସୀଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି। ତଥାପି ମନ ବୁଝୁନି ଯେ ଭକ୍ତଙ୍କୁ ଭିତରକାଠ ଦର୍ଶନରୁ ବି ବଞ୍ଚିତ ରଖାଯାଉଛି। ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦ କରି ଦିଆଯାଉଛି। ଏହାକୁ ଭକ୍ତମାନେ ବିରୋଧ କରିଛନ୍ତି। ଅଧିକ ବିରୋଧ କରୁଛନ୍ତି ପୁରୀବାସୀ। ଏହା ହାଇକୋର୍ଟଙ୍କ ଆଦେଶର ଉଲ୍ଲଂଘନ ବୋଲି ଭକ୍ତମାନେ କହିଛନ୍ତି।
ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ରତ୍ନସିଂହାସନ ପର୍ଯ୍ୟନ୍ତ ଯାଇ ପାରୁଥିଲେ। ରତ୍ନ ସିଂହାସନ ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ସ୍ପର୍ଶ କରିପାରୁଥିଲେ। ମନଖୋଲା ଦର୍ଶନ ଲଭିବା ସହ ଆତ୍ମତୃପ୍ତି ଅନୁଭବ କରୁଥିଲେ। କିନ୍ତୁ ଭିଡ଼ ଆଳରେ ଏହି ଗର୍ଭଗୃହ ଦର୍ଶନକୁ ସବୁଦିନ ପାଇଁ ବନ୍ଦ କରି ଦିଆଗଲା। ୨୦୧୬ ମସିହାରେ ଯେତେବେଳେ ଜଗମୋହନ ମରାମତି ହେଲା, ସେ ସମୟରୁ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ଆଣିବା ପାଇଁ ହାଇକୋର୍ଟଙ୍କ ଆଦେଶକ୍ରମେ ଗର୍ଭଗୃହ ଦର୍ଶନକୁ ବନ୍ଦ ରଖାଯାଇଛି। କିନ୍ତୁ ହାଇକୋର୍ଟ ଭିତର କାଠରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଆଦେଶ ଦେଇଥିଲେ। ସେବେଠୁ ଭିତର କାଠ ନିକଟରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରି ଆସୁଥିଲେ। ବିଶେଷକରି ମହାପ୍ରଭୁଙ୍କ ଚନ୍ଦନଲାଗି, ବଡ଼ସିଂହାର ବେଶ୍ ଦେଖିବାକୁ ଭକ୍ତଙ୍କ ଭିଡ଼ ଲାଗୁଥିଲା।
ବିଳମ୍ବିତ ରାତିରେ ଏହି ନୀତି ସମ୍ପନ୍ନ ହେଉଥିବାରୁ ବାହାର ଭକ୍ତଙ୍କ ଅପେକ୍ଷା ସ୍ଥାନୀୟ ଭକ୍ତ ଏହି ବେଶ ଦର୍ଶନ କରି ଆସୁଛନ୍ତି। ଏବେ କିନ୍ତୁ ଚନ୍ଦନଲାଗି ପୂର୍ବରୁ ଭିତରକାଠ ଦର୍ଶନ ବନ୍ଦ କରି ଦିଆଯାଉଛି। ଫଳରେ ଭକ୍ତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ସ୍ପଷ୍ଟ ଦେଖି ପାରୁନାହାନ୍ତି। ଶ୍ରୀମନ୍ଦିର ପ୍ରଶାସନର ଏହି ମନମୁଖୀ କାର୍ଯ୍ୟକୁ ଭକ୍ତମାନେ ବିରୋଧ କରିଛନ୍ତି।
ଭକ୍ତ ଦିଲୀପ କୁମାର ବରାଳ କହିଛନ୍ତି, ଯେବେଠୁ ହାଇକୋର୍ଟ ଗର୍ଭଗୃହ ଦର୍ଶନ ବନ୍ଦ ରଖିଛନ୍ତି, ସେବେଠୁ ଭକ୍ତମାନେ ଚନ୍ଦନଲାଗି ପର୍ଯ୍ୟନ୍ତ ଭିତର କାଠରୁ ଦର୍ଶନ କରି ଆସୁଥିଲେ। କିନ୍ତୁ ଚାରି ପାଞ୍ଚ ମାସ ହେବ ଚନ୍ଦନଲାଗି ପୂର୍ବରୁ ଭିତର କାଠ ଦର୍ଶନ ବନ୍ଦ କରି ଦିଆଯାଉଛି। ଭକ୍ତମାନେ ମହାପ୍ରଭୁଙ୍କ ଚନ୍ଦନଲାଗି ଠିକ୍ରେ ଦେଖି ପାରୁନାହାନ୍ତି। ଏହା ହାଇକୋର୍ଟଙ୍କ ଆଦେଶର ଉଲ୍ଲଂଘନ। ଗର୍ଭଗୃହ ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ବହୁତ କଷ୍ଟ ପାଇଛନ୍ତି। ଏବେ ଏହି କଷ୍ଟକୁ ଆଉ ଦ୍ବିଗୁଣିତ କରାନଯାଉ ବୋଲି ଶ୍ରୀ ବରାଳ କହିଛନ୍ତି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନର କହିବା କଥା, ଚନ୍ଦନଲାଗି ସମୟରେ ଭିତର କାଠ ଦର୍ଶନ କଲେ, ଅନେକ ସମୟରେ ବଡ଼ ମହାସ୍ନାନ ହେଉଛି। ଯେଉଁଥିପାଇଁ ନୀତିକାନ୍ତି ପ୍ରଭାବିତ ହେବା ସହ ଅହେତୁକ ବିଳମ୍ବ ହେଉଛି। ମହାପ୍ରଭୁଙ୍କ ରାତ୍ର ପହୁଡ଼ ଓ ଦ୍ବାରଫିଟା ବି ବିଳମ୍ବ ହେଉଛି। ଲଗାତାର କିଛି ଦିନ ବି ମହାସ୍ନାନ ପାଇଁ ନୀତିକାନ୍ତି ବିଳମ୍ବ ହେବା ରାତି ପ୍ରାୟ ୨ଟାରେ ରାତ୍ର ପହୁଡ଼ ହେଉଛି। ଏଣୁ ବ୍ୟବସ୍ଥା ଓ ସମୟ ଦେଖି ଚନ୍ଦନଲାଗି ପୂର୍ବରୁ ଭିତରକାଠ ଦର୍ଶନ ବନ୍ଦ ରଖାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି।
[ad_2]