‘ଅନୁସନ୍ଧାନମୂଳକ ସାମ୍ବାଦିକଙ୍କ ପାଇଁ ଭାରତ ନିରାପଦ ସ୍ଥାନ ନୁହେଁ’
ଭୁବନେଶ୍ୱର: ଏବେ ମଧ୍ୟ ଦେଶର ଗଣମାଧ୍ୟମଗୁଡ଼ିକ ଜରୁରିକାଳୀନ ପରିସ୍ଥିତି ଠାରୁ ଅଧିକ କଠିନ ସମୟ ଦେଇ ଗତି କରୁଛନ୍ତି। ସରକାର ଗଣମାଧ୍ୟମକୁ ଟାର୍ଗେଟ କରୁଛନ୍ତି। ଏମିତିକି ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି, ସାମାଜିକ କର୍ମକର୍ତ୍ତା, ଗଣମାଧ୍ୟମ ସଂସ୍ଥା ବିରୋଧରେ ଆତଙ୍କବାଦୀ ନିରୋଧୀ ଆଇନ ଲଗାଇବାକୁ ପଛାଇ ନାହାନ୍ତି।
ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶା ସହଯୋଗରେ ଆୟୋଜିତ ‘ଆଞ୍ଚଳିକ ଗଣମାଧ୍ୟମରେ ସୁଯୋଗ ଓ ଆହ୍ବାନ’ ଶୀର୍ଷକ ସମ୍ମିଳନୀରେ ବକ୍ତବ୍ୟ ଦେଇ ଏହା କହିଛନ୍ତି ‘ଦି ହିନ୍ଦୁ’ର ପୂର୍ବତନ ଏଡିଟର ଇନ୍ ଚିଫ୍ ଏନ୍ ରାମ୍।
‘ଧରିତ୍ରୀ’ର ସଂପାଦକ ତଥା ଓଡ଼ିଶା ପ୍ରେସ୍ କ୍ଲବ୍ର ସଭାପତି ତଥାଗତ ସତପଥୀଙ୍କ ସଭାପତିତ୍ବରେ ଆୟୋଜିତ ସମ୍ମିଳନୀରେ ଶ୍ରୀ ରାମ୍ ସାମ୍ବାଦିକଙ୍କ ସୁରକ୍ଷା ଏବଂ ଗଣମାଧ୍ୟମ ତା’ର ସ୍ବାଧୀନତାକୁ ହରାଉଥିବା ନେଇ ଚିନ୍ତା ପ୍ରକଟ କରିଥିଲେ। ସେ କହିଲେ, ଗତ ୧୦ ବର୍ଷ ତଥା ୨୦୧୪ ମସିହାରୁ ୨୦୨୪ ମଧ୍ୟରେ ଭାରତରେ ୧୯ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ୨୦୧୪ ପୂର୍ବର ୧୦ ବର୍ଷ ମଧ୍ୟରେ ୧୧ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ଅନୁସନ୍ଧାନମୂଳକ ସାମ୍ବାଦିକଙ୍କ ପାଇଁ ଭାରତ ନିରାପଦ ସ୍ଥାନ ନୁହେଁ। ଏଥିସହ ସେ କହିଲେ, ସମଗ୍ର ଦେଶ ପାଇଁ ସାମାଜିକ ଗଣମାଧ୍ୟମରେ ଆସୁଥିବା ଖବର ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେଣୁ ଗଣମାଧ୍ୟମ ସଂସ୍ଥା ବା ସାମ୍ବାଦିକଟିଏ ସୂଚନା ଦେବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ଜରୁରି।
ଉଦ୍ଘାଟନୀ ବକ୍ତବ୍ୟ ପରେ ‘ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଆହ୍ବାନ’ ଶୀର୍ଷକ ଏକ ଆଲୋଚନା ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ କହିଲେ, ବିଜ୍ଞାପନକୁ ବାଦ୍ ଦେଇ ଗଣମାଧ୍ୟମ ସଂସ୍ଥା ଚାଲିବା କଷ୍ଟକର। ବିଜ୍ଞାପନ ଉପରେ ନିର୍ଭରଶୀଳତା କମାଇବାକୁ ହେଲେ ପାଠକ/ପାଠିକାଙ୍କୁ ଅଧିକ ଦେୟ ଦେଇ ଖବରକାଗଜ କିଣିବାକୁ ପଡ଼ିବ। ତାହା ହେଲେ ଯାଇ ଗୋଟିଏ ଖବରକାଗଜ ବଞ୍ଚିପାରିବ। ତେବେ ଓଡ଼ିଶାରେ ସାମ୍ବାଦିକ ଏବଂ ସାମ୍ବାଦିକତା ପାଇଁ ବିଶ୍ବସନୀୟତା ଏକ ବଡ଼ ଚ୍ୟାଲେଞ୍ଜ ବୋଲି ସେ କହିଥିଲେ। ‘ସମାଜ’ର ସମ୍ପାଦକ ତପନ ମିଶ୍ର କହିଲେ, କର୍ପୋରେଟ ହାଉସ୍ ବିଜ୍ଞାପନ ବାବଦ ଅର୍ଥ ଦିନକୁ ଦିନ କମୁଛି। ସରକାର ଏବେ ସବୁଠୁ ବଡ଼ ବିଜ୍ଞାପନଦାତା। ଏପରିସ୍ଥିତିରେ ଆଗକୁ ବଢ଼ିବା ଆହ୍ବାନପୂର୍ଣ୍ଣ।
ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ସ୍ବତନ୍ତ୍ର ଅଭିଭାଷଣ ପ୍ରଦାନ କରି କହିଲେ, ବାକ୍ ସ୍ବାଧୀନତାକୁ ସୁରକ୍ଷା ଦେବାକୁ ହେଲେ ବ୍ୟାବସାୟିକ ଅନୁଷ୍ଠାନ ଗଣମାଧ୍ୟମର ମାଲିକ ନହେବା ଦରକାର। ଗଣତନ୍ତ୍ର ପାଇଁ ନ୍ୟାୟପାଳିକାର ସ୍ବାଧୀନତା ଯେମିତି ଗୁରୁତ୍ବପୂର୍ଣ୍ଣ, ଗଣମାଧ୍ୟମର ସ୍ବାଧୀନତା ମଧ୍ୟ ସମାନ ଭାବେ ଜରୁରି। ଏହି ଅବସରରେ ‘ମିଡିଆ ଲ’, ନ୍ୟୁ କ୍ରିମିନାଲ ଲ’ ଆଣ୍ଡ ଦ ଚ୍ୟାଲେଞ୍ଜସ୍ ଫର୍ ଇଣ୍ଡିପେଣ୍ଡେଣ୍ଟ ଜର୍ଣ୍ଣାଲିଷ୍ଟ’ ଶୀର୍ଷକ ଆଲୋଚନା ‘ଦ କାରାଭାନ୍’ ସମ୍ପାଦକ ଅନନ୍ତ ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗନେଇ ସୁପ୍ରିମ୍କୋର୍ଟ ଆଇନଜୀବୀ ସଞ୍ଜୟ ହେଗଡ଼େ ଏବଂ ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ଗଣମାଧ୍ୟମ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଉପରେ ମତ ରଖିଥିଲେ। ଶେଷର ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କ ସଂଯୋଜନାରେ ‘ଡିଜିଟାଲ ଯୁଗରେ ସାମ୍ବାଦିକତା’ ଶୀର୍ଷକ ଆଲୋଚନାରେ ‘ନ୍ୟୁଜ୍ ରୁମ୍’ର ମୁଖ୍ୟ ମନୋରଞ୍ଜନ ମିଶ୍ର, ‘ନିର୍ଭୟ’ର ସମ୍ପାଦକ ନବୀନ ଦାସ ଓ ଓମ୍କମ୍ ନ୍ୟୁଜ୍ର ଯଯାତି କରଣ ଆଲୋଚନା କରିଥିଲେ।