ଖେଳ

ଐତିହାସିକ ଲଜ୍ଜା ପରେ: ଗମ୍ଭୀରଙ୍କୁ ନେଇ ଗଭୀର ଚର୍ଚ୍ଚା

ମୁମ୍ବାଇ: ଯାହା ପୂର୍ବରୁ କେବେବି ହୋଇ ନଥିଲା, ନ୍ୟୁଜିଲାଣ୍ଡ ବିପକ୍ଷରେ ତାହା ହେଲା। ଘରୋଇ ପରିବେଶରେ ଗୋଟିଏ ପାଳିରେ ସବୁଠୁ କମ୍ ରନ୍ (୪୬) କରିବାର ଅଲୋଡ଼ା ରେକର୍ଡ ପରେ କାଗଜୀ ବାଘ ଭାରତୀୟ କ୍ରିକେଟ୍ ଦଳ ସ୍ବଦେଶରେ ଲଜ୍ଜାଜନକ ଭାବେ ୯୧ ବର୍ଷ ପରେ ୦-୩ରେ ଶୃଙ୍ଖଳା ମୂଳପୋଛ ହେଲା। ସବୁଠୁ ବଡ଼ କଥା ହେଲା ଯେଉଁ କିୱି ଦଳ ଅନଭିଜ୍ଞ ତଥା ଅପରିଚିତ ଖେଳାଳିଙ୍କୁ ନେଇ ଗଠିତ ଶ୍ରୀଲଙ୍କା କ୍ରିକେଟ୍ ଦଳ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ୦-୨ରେ ଶୃଙ୍ଖଳା ହାରିଥିଲା ସେହି ଦଳ ତାରକା ଖଚିତ ଭାରତୀୟ କ୍ରିକେଟ୍ ଦଳକୁ ଅତି ସହଜରେ ଓ ଏକତରଫା ଭାବେ ଧରାଶାୟୀ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କଲା।

ଭାରତୀୟ କ୍ରିକେଟ୍ ଦଳର ଏହି ଦୟନୀୟ ତଥା ଅକଥନୀୟ ବିପର୍ଯ୍ୟୟ ପରେ ନୂଆ ପ୍ରଶିକ୍ଷକ ତଥା ପୂର୍ବତନ ଭାରତୀୟ କ୍ରିକେଟର୍ ଗୌତମ ଗମ୍ଭୀରଙ୍କ ଦକ୍ଷତା ଓ ଦଳ ପରିଚାଳନା ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ନ୍ୟୁଜିଲାଣ୍ଡଠାରୁ ଶୋଚନୀୟ ଭାବେ ହାରିବା ଗମ୍ଭୀରଙ୍କ ପ୍ରଶିକ୍ଷଣ ଜୀବନର କଳା ଦାଗ ହୋଇ ରହିବ ବୋଲି ଅନେକ କ୍ରିକେଟ୍ ପଣ୍ଡିତ କଟାକ୍ଷ କରିଛନ୍ତି। ସେହିଭଳି ଗମ୍ଭୀରଙ୍କ ସାଂସଦ ଜୀବନର ଦ୍ବାହି ଦେଇ ରାଜନେତାରୁ ପ୍ରଶିକ୍ଷକ ପାଲଟିଲେ ଏଭଳି ହଟହଟା ହେବାକୁ ପଡ଼େ ବୋଲି ସାମାଜିକ ଗଣମାଧ୍ୟମରେ ବହୁ କ୍ରିକେଟ୍ପ୍ରେମୀ ତାଙ୍କୁ ଛିଗୁଲେଇବା ଆରମ୍ଭ କରି ଦେଇଛନ୍ତି। ଏଭଳି ସମ୍ମାନହାନିକାରୀ ପ୍ରଦର୍ଶନ ପରେ ବିସିସିଆଇ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନକୁ ତର୍ଜମା କରି ଗମ୍ଭୀରଙ୍କଠାରୁ ସ୍ପଷ୍ଟୀକରଣ ମାଗିବ ବୋଲି ସଙ୍କେତ ଦେଇଛି। ଆଗାମୀ ସମୟରେ ଦଳ ଚୟନ ନେଇ ଗମ୍ଭୀରଙ୍କ କ୍ଷମତାକୁ ବିସିସିଆଇ ସଙ୍କୁଚିତ କରିବାର ସୂଚନା ମଧ୍ୟ ମିଳିଛି। କାରଣ ଏହି ପରାଜୟ ଯୋଗୁଁ ଭାରତର ଘରୋଇ ଦୁର୍ଗ ଭୁଶୁଡ଼ି ଯାଇଥିଲା ବେଳେ ୧୮ ଶୃଙ୍ଖଳା ଅପରାଜେୟ ଧାରା ବି ଅଟକି ଯାଇଛି। ସେହିଭଳି ଟିମ୍ ଇଣ୍ଡିଆର ଲଗାତାର ତୃତୀୟ ଥର ପାଇଁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବା ସମ୍ଭାବନା ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଏବେ ସବୁକିଛି ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଶୃଙ୍ଖଳାର ଫଳାଫଳ ଉପରେ ନିର୍ଭର କରୁଛି। ଏହି ପାଞ୍ଚଟିକିଆ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଉପରେ ଗମ୍ଭୀରଙ୍କ ସହ ଭାରତୀୟ ଦଳର ଏକାଧିକ ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତ ମଧ୍ୟ ନିର୍ଭର କରୁଛି।

ଗମ୍ଭୀର ନିଜ ପ୍ରଶିକ୍ଷଣ ଜୀବନର ଆଦ୍ୟ ପର୍ବରେ ଏଭଳି ଧକ୍କା ଖାଇଥିବାରୁ ତାଙ୍କୁ ଆଉ କିଛି ସମୟ ପରେ ହିଁ ତାଙ୍କ ପ୍ରଦର୍ଶନର ସମୀକ୍ଷା କରିବାକୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର୍ ବିଜୟ ଭରଦ୍ବାଜ ଆହ୍ବାନ କରିଛନ୍ତି। ଅବଶ୍ୟ ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଗମ୍ଭୀର କେତେକ ଗୁରୁତର ତ୍ରୁଟି କରିଥିବା ସ୍ବୀକାର କରିଛନ୍ତି ସେ। ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବା ଆଇପିଏଲ୍ (କେକେଆର୍) ଦଳ ସହ ସମାନ ନୁହେଁ ବୋଲି କହିବା ସହ ନ୍ୟୁଜିଲାଣ୍ଡ ଶୃଙ୍ଖଳାରୁ ଗମ୍ଭୀର ଅନେକ କିଛି ଶିକ୍ଷା କରିଥିବେ ବୋଲି ଆଶା ପ୍ରକାଶ କରିଛନ୍ତି ସେ। ‘‘ଭାରତୀୟ ଦଳ ପୂର୍ବରୁ ଶାସ୍ତ୍ରୀଙ୍କର କୌଣସି ପ୍ରଶିକ୍ଷଣ ଅଭିଜ୍ଞତା ନଥିଲା। ତେବେ ଖେଳାଳିଙ୍କ ମନୋବଳ ବଢ଼ାଇବାର କୌଶଳ ତାଙ୍କ ପାଖରେ ଥିଲା। ରାହୁଲ ଦ୍ରାବିଡ଼ଙ୍କର ଭାରତୀୟ ୧୯ବର୍ଷରୁ କମ୍ ଦଳକୁ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ଥିଲା। ଗମ୍ଭୀର ଜଣେ ପ୍ରଶିକ୍ଷିତ ପ୍ରଶିକ୍ଷକ ନୁହନ୍ତି, ହେଲେ ସମୟ ଅନୁସାରେ ସେ ଏହି କ୍ଷେତ୍ରରେ ନିଜ ଜ୍ଞାନ ବଢ଼ାଇପାରିବେ’’ ବୋଲି କହିଛନ୍ତି ଭରଦ୍ବାଜ। ଏଭଳି ସ୍ଥିତିରେ ଗମ୍ଭୀର/ଦ୍ରାବିଡ଼/ଶାସ୍ତ୍ରୀଙ୍କ ପ୍ରଶିକ୍ଷଣରେ ଭାରତ ଖେଳିଥିବା ମ୍ୟାଚ୍ ଏବଂ ଏହାର ଜୟ/ପରାଜୟ ପରିସଂଖ୍ୟାନ ମଧ୍ୟ ରୋଚକ ସ୍ଥିତି ବୟାନ କରୁଛି।

ମୂଳପୋଛ ଭୂତ ଅଷ୍ଟ୍ରେଲିଆରେ ବି ପିଛା କରିବ

‘‘ନ୍ୟୁଜିଲାଣ୍ଡଠାରୁ ୦-୩ରେ ମୂଳପୋଛ ହେବା ଭୂତ ଭାରତୀୟ ଦଳକୁ ଅଷ୍ଟ୍ରେଲିଆରେ ମଧ୍ୟ ପିଛା କରିବ। ଭାରତ ପାଖରେ ସଫଳ ପ୍ରତ୍ୟାବର୍ତ୍ତନ କରିବାର ଦକ୍ଷତା ରହିଛି। ହେଲେ କିଛି ବୟସ୍କ ଖେଳାଳିଙ୍କ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି। ଏହାର ମାନେ ନୁହେଁ ଯେ ବର୍ଡର-ଗାଭାସ୍କର ଶୃଙ୍ଖଳା ଜିତିବା ଅଷ୍ଟ୍ରେଲିଆ ପାଇଁ ସହଜ ହେବ’’ ସୋମବାର ପୂର୍ବତନ ଅନ୍ତର୍ଜାତୀୟ ୱିକେଟ୍ ରକ୍ଷକ ଆଡାମ ଗିଲକ୍ରୀଷ୍ଟ ଏହା କହିଛନ୍ତି। ମହମ୍ମଦ ସାମିଙ୍କ ଅନୁପସ୍ଥିତିକୁ ଭାରତ ପାଇଁ ଶକ୍ତ ଧକ୍କା ଭାବେ ବର୍ଣ୍ଣନା କରିଛନ୍ତି ଗିଲି। ସେ ଆହୁରି କହିଛନ୍ତି, ନ୍ୟୁଜିଲାଣ୍ଡ-ଭାରତ ଶୃଙ୍ଖଳାର ଫଳାଫଳ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆକୁ ସୁହାଇବ। ଏଥିରୁ ଆମ ଖେଳାଳିମାନେ ମନସ୍ତାତ୍ତ୍ବିକ ଉତ୍ସାହ ପାଇବେ। ମୋ ମତରେ ୧୬ବର୍ଷ ପରେ ବର୍ଡର-ଗାଭାସ୍କର୍ ଟ୍ରଫି ଫେରି ପାଇବା ଲାଗି ସେମାନଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ ଉପନୀତ ହୋଇଛି। କାରଣ ସଂପ୍ରତି ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ଢେର ତଳକୁ ଖସିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଦର୍ଶନକୁ ସେମାନେ ତର୍ଜମା କରୁଥିବେ। କ’ଣ ଭୁଲ୍ ହୋଇଗଲା, ସେକଥାକୁ ଖୋଜି ବାହାର କରିବାକୁ ଚେଷ୍ଟା କରୁଥିବେ। ଏହା ହିଁ ଅଷ୍ଟ୍ରେଲିଆର ସମ୍ଭାବନାକୁ ବଢ଼ାଇ ଦେଇଛି। ଆଗାମୀ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଜିତିବାର ସମ୍ଭାବନା ଏବେ ଯଥେଷ୍ଟ ବଢ଼ିଯାଇଛି।

କୋହଲି, ରୋହିତଙ୍କର କ’ଣ ହୋଇଛି?
ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଭାରତୀୟ ପ୍ରଶଂସକଙ୍କୁ ସବୁଠୁ ଅଧିକ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଓ ଉପଅଧିନାୟକ ବିରାଟ କୋହଲି। ଉଭୟ ପୂରା ଶୃଙ୍ଖଳାରେ ଅତି ଦୟନୀୟ କ୍ରିକେଟ୍ ଖେଳି ନିନ୍ଦିତ ହୋଇଛନ୍ତି। ଉଭୟଙ୍କୁ ବୋଲିଂ କରିବାକୁ ସ୍ପିନର ଏକଦା ଭୟ କରୁଥିଲା ବେଳେ ଦୁର୍ଭାଗ୍ୟଜନକ ଭାବେ ଦୁଇଜଣ ଯାକଙ୍କ ପାଇଁ ସ୍ପିନ୍ ଏବେ କାଳ ପାଲଟିଛି। ଏକଦା ସଚିନ ତେନ୍ଦୁଲକରଙ୍କ ଶତକ କୀର୍ତ୍ତିମାନ ଭାଙ୍ଗିବାର ପ୍ରମୁଖ ଦାବିଦାର ଥିବା କୋହଲି ଗତ ୬ଟି ପାଳିରେ ଯଥାକ୍ରମେ ୦, ୭୦, ୧, ୧୭, ୪ ଓ ୧ ରନ୍ କରିଛନ୍ତି। ବେଙ୍ଗାଲୁରୁ ଟେଷ୍ଟ୍ର ଦ୍ବିତୀୟ ପାଳିରେ ଅର୍ଦ୍ଧଶତକକୁ ଛାଡ଼ିଦେଲେ ଅନ୍ୟ କୌଣସି ପାଳିରେ ୨୦ ରନ୍ ଛୁଇଁ ପାରି ନାହାନ୍ତି ସେ। ସେହିଭଳି ରୋହିତ ମଧ୍ୟ ଅନୁରୂପ ଭାବେ ଗୋଟିଏ ଅର୍ଦ୍ଧଶତକ ଛଡ଼ା ଦଳ ପାଇଁ ଆପାତତଃ କିଛି କରି ନାହାନ୍ତି। ନ୍ୟୁଜିଲାଣ୍ଡ ଶୃଙ୍ଖଳାର ୬ ପାଳିରେ ତାଙ୍କ ପ୍ରଦର୍ଶନ କ୍ରମ ରହିଛି ୨, ୫୨, ୦, ୮, ୧୮ ଓ ୧୧। ତାଙ୍କ ପ୍ରଦର୍ଶନ ପାଇଁ ଦଳ ଲଜ୍ଜିତ ହୋଇଛି ବୋଲି ରୋହିତ ସ୍ବୀକାର କରିଛନ୍ତି। ତେବେ ନୂଆ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରଣନୀତି ଏବଂ ତାଙ୍କ ସହ ଭାରତୀୟ ଦଳର ବରିଷ୍ଠ ଖେଳାଳିଙ୍କ ସଂପର୍କକୁ କ୍ରିକେଟ୍ପ୍ରେମୀ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରି ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button